ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଆ ଭାଷାବିତ, ଲେଖକ, ବାରିଷ୍ଟର ତଥା ପ୍ରଥମ ଭାଷାକୋଷ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି।

 ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିତ, ଲେଖକ ଓ ବାରିଷ୍ଟର ଥିଲେ। ୧୮୭୪ ଆଜିର ଦିନରେ ସେ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଜନ୍ମ ହୋଇଥିଲେ। ତାଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ଗୋପଳ ଚନ୍ଦ୍ର ପ୍ରହରାଜ ଜଣେ ଆଇନଜୀବୀ ଥିଲେ। ସେ ମଧୁବାବୁଙ୍କ ସମସାମୟିକ ଥିଲେ। ସେ ସମୟରେ ତାଙ୍କର ପ୍ରତିପତ୍ତି ଥିଲା। ସେ ଏକ ବିଳାସମୟ ଜୀବନ ବିତାଇପାରିଥାନ୍ତେ କିନ୍ତୁ ସେ ସେପରି କରିନଥିଲେ। ତାଙ୍କ ଜୀବନର ସବୁଠୁ ବଡ଼ ଅବଦାନ ହେଉଛି ସେ ୭ ଖଣ୍ଡ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରଚନା କରିଥିଲେ। ସେଥିପାଇଁ ସେ ଅନେକ ପରିଶ୍ରମ କରିଥିଲେ। ବହୁ ରାଜାଙ୍କୁ ମଧ୍ୟ ଭେଟିଥିଲେ। ବହୁ ପ୍ରଚେଷ୍ଟା ପରେ ସେ ଏହାକୁ ପ୍ରକାଶ କରିପାରିଥିଲେ। ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

‘‘ଗୋପାଳ ଚନ୍ଦ୍ର ପ୍ରହରାଜ ଥିଲେ ଏକାଧାରରେ ଜଣେ ପ୍ରାବନ୍ଧିକ, ଲୋକସାହିତ୍ୟ ଗବେଷକ, ଭାଷା ପ୍ରବୀଣ। ତାଙ୍କ ଲେଖାରେ ତତ୍‌କାଳୀନ ଗ୍ରାମୀଣ ଶବ୍ଦର ବ୍ୟବହାର ଅଧିକ ଦେଖିବାକୁ ମିଳେ। ଫକୀର ମୋହନଙ୍କ ପରେ ଗୋପାଳ ଚନ୍ଦ୍ର ପ୍ରହରାଜ ହେଉଛନ୍ତି ଦ୍ୱିତୀୟ ସାହିତ୍ୟିକ ଯିଏ ଗ୍ରାମୀଣ ଭାଷାକୁ ଗ୍ରହଣ କରିଛନ୍ତି। ସେ ସ୍ପଷ୍ଟ, ସରଳ ଓ ସହଜ ଶବ୍ଦକୁ ଅଧିକ ଗୁରୁତ୍ୱ ଦେଇଥିଲେ। ତାଙ୍କ ରଚିତ ‘ଦୁନିଆର ହାଲଚାଲ’, ‘ଆମ ଘର ହାଲଚାଲ’, ‘ନନାଙ୍କ ବସ୍ତାନୀ’ ଓଡ଼ିଆ ସାହିତ୍ୟର ଅନ୍ୟତମ  ରତ୍ନ ଭାବେ ପରିଚିତ। ଭାଷାକୋଷ ପ୍ରସ୍ତୁତି ପାଇଁ ସେ ଯେଉଁ ପଦ୍ଧତି ଅନୁସରଣ କରିଥିଲେ ତାକୁ ଆଜି ମଧ୍ୟ ଅନୁସରଣ କରାଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ଲୋକସାହିତ୍ୟର ସେ ଥିଲେ ତ୍ରିବେଣୀ ସଙ୍ଗମ ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

‘‘ପୂର୍ଣ୍ଣଚନ୍ଦ୍ର ଭାଷା କୋଷ ନିର୍ମାଣ କରି ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଜୀବନବ୍ୟାପୀ ପରିଶ୍ରମ ଅତୁଳନୀୟ। ଭାଷାକୋଷ ନିର୍ମାଣ ପାଇଁ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ପ୍ରହରାଜଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଯେଉଁଥିପାଇଁ ଗୋପାଳ ଚନ୍ଦ୍ରଙ୍କ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭାବରେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତ। ଓଡ଼ିଶା ଗସ୍ତ ସମୟରେ ଖୋଦ ମହାତ୍ମା ଗାନ୍ଧୀ ମଧ୍ୟ ଗୋପଳ ଚନ୍ଦ୍ର ପ୍ରହରାଜଙ୍କ ଘରକୁ ଯାଇଥିଲେ। କାରଣ ଭାରତ ବର୍ଷର ଯେଉଁ ଆଞ୍ଚଳିକ ଭାଷା ରହିଛି ତାହାର ବିକାଶ ମଧ୍ୟ ଗାନ୍ଧୀଜୀ ଚାହୁଁଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘ଗୋପାଳ ଚନ୍ଦ୍ର ପ୍ରହରାଜ ବୃତ୍ତିରେ ଜଣେ ଓକିଲ ହୋଇଥିଲେ ବି ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଅଭିରୁଚି ହେତୁ ସେ ଓଡ଼ିଆ ଜାତି ପାଇଁ ଭାଷାର କୋଣାର୍କ ପୂଣ୍ଣଚନ୍ଦ୍ର ଭାଷାକୋଷ ତିଆରି କରି ଏ ଜାତିର ଐତିହାସକ ଆବଶ୍ୟକତା ପୂରଣ କରିଛନ୍ତି। ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଶୀର୍ଷକ ଏକ ଲେଖା ଲେଖିଥିଲେ। ଏହା ତାଙ୍କର ପ୍ରଥମ ଲେଖା ଥିଲା। ତାଙ୍କ ଲେଖାରେ ହିନ୍ଦୁସ୍ତାନୀ, ପାର୍ସୀ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳିଥିଲା‘‘, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସାହିତ୍ୟ ସାଧନା ଥିଲା ଅତି କଠିନ। ୧ ଲକ୍ଷ ୮୫ ହଜାର ଶବ୍ଦର ସଂକଳନ କରିବା ଓ ତାକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ଏବଂ ତାକୁ ପ୍ରକାଶ କରିବା ଏକ ଅସାଧ୍ୟ କାମ। ସେତେବେଳେ ପୁଣି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବିରେ ସଂଗ୍ରାମ ଚାଲିଥିଲା। ତା’ ଭିତରେ ଏଭଳି ଏକ ଚେଷ୍ଟା ସତରେ ଅତୁଳନୀୟ’’, କହିଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜଣେ ସମ୍ପର୍କୀୟ ତଥା ତେଲାଙ୍ଗାନା ସରକାରଙ୍କ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୁ ପ୍ରସାଦ ଆଚାର୍ଯ୍ୟ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାଁରେ ଏକ ପୁରସ୍କାର ଘୋଷଣା କରିବାକୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

‘‘ରାତି ଅଧରେ ଡିବିରି ଆଲୁଅରେ ସାରା ଓଡ଼ିଶାର ଲୋକମୁଖର ଭାଷାକୁ ସଂଗ୍ରହ କରି ଗୋପାଳ ଚନ୍ଦ୍ର ଯେଉଁ ମନ୍ଦିର ନିର୍ମାଣ କରିଥିଲେ ତାକୁ ଏବେ ଓଡ଼ିଆ ଜାତି ଓଡ଼ିଆ ଭାଷାର କୋଣାର୍କ ବୋଲି ସ୍ୱୀକାର କରୁଛି। କେବଳ ଭାଷାକୋଷ ନୁହେଁ ତାଙ୍କ  ଅନ୍ୟ ଲେଖାଗୁଡ଼ିକ ମଧ୍ୟ ବେଶ ଉଚ୍ଚକୋଟୀର’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ।

‘‘ପ୍ରତିକୂଳ ପରସ୍ଥିତିରେ ବି ଗୋପଳ ଚନ୍ଦ୍ର ପ୍ରହରାଜ ଯେଉଁ ଅନୁକୂଳ ତିଆରି କରିଯାଇଛନ୍ତି ତାହା ଓଡ଼ିଶାକୁ ଗୌରାବାନ୍ୱିତ କରିଛି। ୧୯୧୨ରୁ ୧୯୪୩ ପର୍ଯ୍ୟନ୍ତ ତାଙ୍କର ସାହିତ୍ୟ ସାଧନା ଜାତି ନିର୍ମାଣର କର୍ତ୍ତବ୍ୟକୁ ତ୍ୱରାନ୍ୱିତ କରିଛି’’ , କହିଛନ୍ତି ବିଶିଷ୍ଟ ଡକ୍ଟର ସନ୍ତୋଷ ତ୍ରିପାଠୀ।

ଭାଷାକୋଷ ବ୍ୟତୀତ ବହୁ ପ୍ରବନ୍ଧ, ଜୀବନୀ, ଚିଠି, ସମୀକ୍ଷା, ମୁଖବନ୍ଧର ଲେଖକ ଓ ସଂକଳକ ଭାବେ ଗୋପଳ ଚନ୍ଦ୍ର ସୁପରିଚିତ । ନିଜ ଇଚ୍ଛାରେ ଜୀବନ ବଞ୍ଚିଥିବା ଓ ସମାଲୋଚନାକୁ ଖାତିର କରୁନଥିବା ଏହି ପ୍ରତିଭା ୧୬ ମେ ୧୯୪୫ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ।

LEAVE A REPLY

Please enter your comment!
Please enter your name here