ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନକୁ ନେଇ ଉଠିଲା ପ୍ରଶ୍ନ। ଖୋଦ୍‌ ଶାସକ ଦଳର ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରଶ୍ନ ଉଠାଇଛନ୍ତି। କୋଭିଡ ପରିଚାଳନାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ ବୋଲି ବିଧାୟକ ଉମା ସାମନ୍ତରାୟ କହିଛନ୍ତି।

‘‘ଏବେ ମେଡିକାଲଗୁଡ଼ିକରେ ଯେତିକି ବେଡ ଅଛି, ତା’ଠାରୁ ଅଧିକ ରୋଗୀ ଆସିଛନ୍ତି। ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ଅଧିକ ଆଇସିୟୁ ବେଡ୍‌ ଦରକାର। ଏବେ ଯେତିକି କୋଭିଡ ହସ୍ପିଟାଲ ଅଛି ତାହା ଯଥେଷ୍ଟ ନୁହେଁ, ମେଡିକାଲ ସଂଖ୍ୟା ବି ବଢ଼ାଇବାକୁ ହେବ’’ କହିଛନ୍ତି ଉମା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏବେ ସ୍ଥିତି ଏମିତି ଯେ ଯେଉଁମାନଙ୍କୁ କୋଭିଡ ହୋଇନି ସେମାନେ ମେଡିକାଲ ଗଲେ ଚିକତ୍ସା ମିଳୁନି। ତେଣୁ ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

ଅନ୍ୟପଟେ ଆଜି ଉମା କୋଭିଡ ଗୁମର ଖୋଲିବା ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପରିଚାଳନା ତ୍ରୁଟିକୁ ସ୍ୱୀକାର କରିଥିବାରୁ ଉମାଙ୍କୁ ଧନ୍ୟବାଦ ଦେଇଛନ୍ତି ତାରା।

ନିକଟରେ ବିରୋଧୀ ଅଭିଯୋଗ ଆଣିଥିଲେ ଯେ ସରକାର ତଥ୍ୟ ଲୁଚାଇବା ସହ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ, ବିଏମସିର ତଥ୍ୟ ଓ ଜିଲ୍ଲା ସ୍ତରର ତଥ୍ୟ କାହାରି କାହା ସଙ୍ଗେ ମେଳ ଖାଉନି।

Comment