ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସରିବ ଅନଲକ୍‌ ୪.୦
  • ଅକ୍ଟୋବର ୧ରୁ ଆରମ୍ଭ ହେବ ଅନଲକ୍‌ ୫.୦
  • କୋହଳ ହୋଇପାରେ ଅନେକ କଟକଣା

ଶେଷ ହେବାକୁ ଯାଉଛି ଅନଲକ୍ ୪.୦ ପର୍ଯ୍ୟାୟ। ଅକ୍ଟୋବର ୧ରୁ ଆରମ୍ଭ ହେବ ଅନଲକ୍ ୫.୦। ତେବେ ଚତୁର୍ଥ ପର୍ଯ୍ୟାୟରେ ଅନେକ କଟକଣା କୋହଳ କରିଥିଲେ କେନ୍ଦ୍ର ସରକାର। ମେଟ୍ରୋ ସର୍ଭିସ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ସବୁ ଆଂଶିକ ଖୋଲିଛି। ତେବେ ପଞ୍ଚମ ପର୍ଯ୍ୟାୟରେ ଆଉ ବଡ଼ ବଡ଼ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ନ ପାରେ। ବରଂ ଅଣୁ ନିଷେଧାଞ୍ଚଳ ବା ମାଇକ୍ରୋ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ଗତ ସପ୍ତାହରେ ସବୁଠାରୁ ଗୁରୁତର ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଜୀବନରେ ଟିକେ ଅଧିକ ସାମାଜିକତା ଆଣିବା ପାଇଁ ଆଉ କିଛି କୋହଳ କରିପାରନ୍ତି କେନ୍ଦ୍ର ସରକାର। ବିଶେଷ କରି ଅର୍ଥନୈତିକ ସାବଲୀଳତା ପାଇଁ କଟକଣାରେ କୋହଳ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଖାସ୍ ସେଥିପାଇଁ ଲକଡାଉନ, ସଟଡାଉନ, କଣ୍ଟେନମେଣ୍ଟକୁ କେମିତି କେବଳ ସଂକ୍ରମିତ ଅଞ୍ଚଳ ଭିତରେ ସୀମିତ କରିହେବ ତାକୁ ନେଇ ପଦକ୍ଷେପ ନିଆଯାଇପାରେ।

ମଲ୍ଟିପ୍ଲେକ୍ସ ଓ ବିଭିନ୍ନ ସିନେମା ହଲ୍ ମାଲିକମାନଙ୍କ ବାରମ୍ବାର ଦାବି ପରେ ଏବେ ସେମାନଙ୍କ ସମ୍ପର୍କରେ ଚିନ୍ତା କରିପାରନ୍ତି କେନ୍ଦ୍ର ସରକାର। ଶାରିରୀକ ଦୂରତା ଭିତରେ ହଲ ଖୋଲିବାକୁ ଅନୁମତି ମିଳିପାରେ।  ସୂଚନା ଓ ପ୍ରସାରଣ ସଚିବ ହଲର ସିଟିଂ ଆରେଞ୍ଜମେଣ୍ଟ ଉପରେ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା ପ୍ରଦାନ କରିଛନ୍ତି। ଗୋଟେ ସିଟ୍ ଛାଡ଼ି ଗୋଟେରେ ବସିବେ ଦର୍ଶକ। ଏହା ସହ ଗୋଟିଏ ଧାଡ଼ିର ପଛ ଧାଡ଼ି ଖାଲି ରହିବ। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ରୁ ହଲ୍, ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ଅନୁମତି ଦେଇଛନ୍ତି।

ଅର୍ଥନୀତି ଓ ପର୍ଯ୍ୟଟନ ଆଜିକା ଯୁଗରେ ଅଙ୍ଗାଙ୍ଗୀ ଭାବେ ଜଡିତ। କାରଣ ମନୋରଞ୍ଜନ ପରି ପର୍ଯ୍ୟଟନ ବି ଆଞ୍ଚଳିକ ଅର୍ଥନୀତିକୁ ସମୃଦ୍ଧ କରେ। କେନ୍ଦ୍ର ସରକାର ଏଥିରେ କୋହଳ କରିବାକୁ ଯୋଜନା କରିଥିବା ବେଳେ, ଓଡ଼ିଶା ସରକାର ପର୍ଯ୍ୟଟନ କ୍ଷେତ୍ରରେ କୋହଳ ପାଇଁ ସୂଚନା ଦେଇଛନ୍ତି। ଶାରିରୀକ ଦୂରତା ମଧ୍ୟରେ ପର୍ଯ୍ୟଟକ ଆସିବେ। ହୋଟେଲ ବ୍ୟବସାୟ ପୂରା ଠପ୍ ହୋଇଯାଇଥିବା ବେଳେ, ଏହା ସେମାନଙ୍କ ପାଇଁ ଏକ ଭଲ ଖବର ହେବ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ସରକାର ପର୍ଯ୍ୟଟକମାନଙ୍କ ପାଇଁ କ୍ୱାରାଣ୍ଟିନ କଟକଣାକୁ କୋହଳ କରିସାରିଛନ୍ତି। ତାଜମହଲରୁ ବି ଖୋଲିସାରିଛି। ଅନଲକ ୫.୦ ପର୍ଯ୍ୟାୟରେ ଅଧିକ ପର୍ଯ୍ୟଟନସ୍ଥଳ  ଖୋଲିବାର ଆଶା ରହିଛି।

LEAVE A REPLY

Please enter your comment!
Please enter your name here