ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଜମିଜମା ବିବାଦକୁ ନେଇ ମାମଲା ଏବେ ବି ଅଦାଲତରେ ବିଚାରଧୀନ ଅଛି। ତଥାପି ପୋଲିସ୍ ରାତିରେ ଆସି ବିନା କୌଣସି କାରଣରେ ଘରେ ପଶିବା ସହିତ ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରିଛି। ଏହାକୁ ବିରୋଧ କରି ଆଜି ନେତାଜୀ ନଗରର ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇଥିଲେ।

ସେଲ୍ଟର ଛକର ମୁଖ୍ୟ ରାସ୍ତାରେ ପ୍ଲା କାଡର଼୍ ଧରି ମହିଳାମାନେ ପ୍ରତିବାଦ କରିଥିଲେ। ଯାହାଫଳରେ ସହରର ଏହି ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକିରହିଥିଲା। ଶେଷରେ ଜୋନ୍ ଏସପି ସେଠାକୁ ଆସି ମହିଳାଙ୍କୁ ବୁଝାସୁଝା କରିବା ସହିତ ସପ୍ତାହେ ଭିତରେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।

ସେଲଟର ଛକ ନିଟକସ୍ଥ ନେତାଜୀ ନଗରଠାରେ ଥିବା ନେତାଜୀ ସଂଘ ହେଉଛି ବହୁ ପୁରାତନ ସାମାଜିକ ଅନୁଷ୍ଠାନ। ୧୯୭୧ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ପ୍ରସିଦ୍ଧ ଦୁର୍ଗାପୂଜା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନେତାଜୀଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପାଳିତ ହୋଇଥାଏ।

ସଂଘର ସାମାଜିକ କାର୍ଯ୍ୟଶୈଳୀକୁ ନଜର ରଖି ନିବେଦନ ଅନୁସାରେ ସେତେବେଳର ରାଜ୍ୟ ସରକାର ୧୯୮୦ ମସିହାରେ ୫ଶହ ଡିସିମିଲ ଜମି ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ଅବସ୍ଥାରେ କିଛି ଜମି ମାଫିଆଙ୍କ ଦ୍ୱାରା ଏହି ଜମିକୁ ଅକ୍ତିଆର କରିବା ପାଇଁ ଯୋଜନା କରାଯାଇଥିଲା । ଏହାକୁ ବିରୋଧ କରି ସଂଘ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି। ମାତ୍ର କିଛି ଦିନ ତଳେ ପ୍ରତିପକ୍ଷ ଜମି ଦଖଲ ପାଇଁ ଉଦ୍ୟମ କରିବାରୁ ଅଞ୍ଚଳବାସୀ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଏ ନେଇ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଶନିବାର ପୁଣି ଜଣେ ପ୍ରତିପକ୍ଷ କିଛି ଲୋକଙ୍କ ଧରି ଜମି ଦଖଲ କରିବା ସହ ଲୋକଙ୍କୁ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଛି। ଏନେଇ ସଂଘ ପକ୍ଷରୁ ଏସପି ଓ ଡିସିପିଙ୍କ ନିକଟରେ ଅଭିଯୋଗ କରାଯିବା ସହ ସ୍ଥାନୀୟ ବାସିନ୍ଦା ଓ କର୍ମକର୍ତ୍ତାମାନେ ଧାରଣାରେ ବସିଥିଲେ। ପରେ ଧାରଣାରେ ଉଠିବା ଘରକୁ ଯାଇଥିଲେ ବି ଗତକାଲି ବିଳମ୍ବିତ ରାତିରେ ପୋଲିସ ନେତାଜୀ ନଗର ଯାଇ ସମସ୍ତଙ୍କ ଘରେ ପଶି ଫୋପଡ଼ା ଫିଙ୍ଗା କରିଥିବା ଅଭିଯୋଗ ହୋଇଛି।

ଏମିତିକି ସ୍ଥାନୀୟ ଅଞ୍ଚଳର ୭ଜଣ ବ୍ୟକ୍ତିଙ୍କୁ ଉଠାଇନେଇଥିଲା ପୁଲିସ୍। ଏହାକୁ କେନ୍ଦ୍ର କରି ମହିଳା ମାନେ ଆଜି ପୁଣି ରାସ୍ତାକୁ ଓହ୍ଲାଇଥିଲେ। ମହିଳା ପୁଲିସଙ୍କୁ ନଆଣି ପୁରୁଷ ପୁଲିସମାନେ ବିଳମ୍ବିତ ରାତିରେ ଘରେ ପଶିବାରମାନେ କ’ଣ ବୋଲି ମହିଳା ମାନେ ପ୍ରଶ୍ନ କରିବା ସହ ପ୍ରତିବାଦ କରିଥିଲେ। ଏହାକୁ ନେଇ ପରିସ୍ଥିତି ଜଟିଳ ହେବାରୁ ଜୋନ୍ ଏସପି ପ୍ରମୋଦ ରଥ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସପ୍ତାହେ ଭିତରେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ପୋଲିସ୍ ପକ୍ଷରୁ ଉଠାଇ ନିଆଯାଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଅପରାହ୍ନରେ ଛାଡ଼ି ଦିଆଯାଇଥିବା ସୂଚନା ରହିଛି।

 

Comment