କମଳାକାନ୍ତ ପତି

ଗତକାଲି (ସୋମବାର) ସାରା ପୃଥିବୀରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଗଲା। ଏହି ପରିପ୍ରେକ୍ଷୀରେ କରୋନା ପ୍ରତିଷେଧକ ଟିକା ନେଇ ଅନେକ ଦେଶରେ ଆଗ୍ରହ ପ୍ରକାଶ ପାଉଥିବା ବେଳେ ୟୁରୋପୀୟ ଦେଶଗୁଡ଼ିକରେ ସ୍ଵର ‘ଆମର ଟିକା ଲୋଡ଼ା ନାହିଁ’।

ଭ୍ୟାକସିନ୍ : ଆଉ କିଛି ଦିନ ଅପେକ୍ଷା

ଚଳିତ ବର୍ଷ ଆରମ୍ଭରୁ ସମଗ୍ର ପୃଥିବୀରେ ଦେଖା ଦେଇଥିବା ଅତିମାରୀ କରୋନା ଇତିମଧ୍ୟରେ ୧୦ ଲକ୍ଷ ମୁଣ୍ଡ ନେଲାଣି। ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) କହୁଛି ମୃତ୍ୟୁ ସଂଖ୍ୟା ୨୦ ଲକ୍ଷକୁ ଟପିଯିବ। ‘ହୁ’ର ଏହି ଆକଳନ ବିଶ୍ଵବାସୀଙ୍କୁ ଚିନ୍ତିତ କରିଛି। ପ୍ରତିଷେଧକ ଟିକାକୁ ଅପେକ୍ଷା କରି କ୍ଳାନ୍ତ ହୋଇ ପଡ଼ିଥିବା ଲୋକଙ୍କ ପ୍ରଶ୍ନ – ସାରା ପୃଥିବୀରେ ଏତେ ଗବେଷଣା ଚାଲିଛି। କେବେ ଆସିବ ଭ୍ୟାକସିନ୍? ବିଶେଷଜ୍ଞମାନେ କହୁଛନ୍ତି – ରେକର୍ଡ ଗତିରେ ଗବେଷଣା ଚାଲିଛି। ଏତେ ଦ୍ରୁତ ଗତିରେ କୌଣସି ପ୍ରତିଷେଧକ ଟିକା ତିଆରି ହେବାର ନଜିର ଇତିହାସ ନାହିଁ। କିନ୍ତୁ ଆମକୁ ଆଉ କିଛି ସମୟ  ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହା ସତ୍ୟ ଯେ, ଭ୍ୟାକସିନ୍ ପ୍ରସ୍ତୁତିରେ ଗବେଷକମାନେ ଯେତେ ଦ୍ରୁତ ଗତିରେ କାର୍ଯ୍ୟ କରନ୍ତୁ ନା କାହିଁକି ଚଳିତ ବର୍ଷ ଏହି ଟିକା ବଜାରକୁ ଆସିବାର ସମ୍ଭାବନା କ୍ଷୀଣ।

କୋଭିଡ୍ ଟିକା ନେଇ ଅର୍ଦ୍ଧାଧିକ /ଆମେରିକାବାସୀ ଅନାଗ୍ରହୀ

କରୋନା ସଂକ୍ରମଣ ଦ୍ରୁତ ହେଉଥିବା ବେଳେ ପ୍ରତିଷେଧକ ଟିକା ନେଇ ପ୍ରତିଯୋଗିତା ଲାଗି ରହିଛି। ବ୍ରିଟେନଠାରୁ ଆରମ୍ଭ କରି ଆମେରିକା, ରୁଷ୍, ଚୀନ୍, ଏପରିକି ଭାରତ ମଧ୍ୟ ଭ୍ୟାକସିନ୍ ଆବିଷ୍କାର ପାଇଁ ପ୍ରାଣପଣେ ଉଦ୍ୟମ କରୁଛି। କିନ୍ତୁ ବର୍ତ୍ତମାନ କରୋନା ଟିକା ହାତକୁ ଆସିଲେ ମଧ୍ୟ ତାହାକୁ ନେବା ପାଇଁ ରାଜି ନୁହନ୍ତି ଆମେରିକାର ପ୍ରାୟ ଅଧା ଲୋକ। ନିକଟରେ ସେହି ଦେଶରେ କରାଯାଇଥିବା ଏକ ସର୍ଭେରୁ ଏହା ଜାଣିବାକୁ ମିଳିଛି। ସର୍ଭେ ରିପୋର୍ଟ ଅନୁସାରେ ସମଗ୍ର ପୃଥିବୀରେ କରୋନା ଟିକାକୁ ନେଇ ଚାଲିଥିବା ଗବେଷଣାର ଅଗ୍ରଗତି ଉପରେ ଆମେରିକାର ଅଧିକାଂଶ ଲୋକଙ୍କ ଆସ୍ଥା ନାହିଁ। ସେମାନେ ଏହି ଟିକାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସନ୍ଦେହ ବ୍ୟକ୍ତ କରିଛନ୍ତି।

ସେପ୍ଟେମ୍ବର ୮ରୁ ୧୩ ତାରିଖ ମଧ୍ୟରେ ଆମେରିକାର ବିଭିନ୍ନ ପ୍ରଦେଶରୁ ପ୍ରାୟ ୧୦ ହଜାର ପ୍ରାପ୍ତବୟସ୍କଙ୍କୁ ନେଇ ସର୍ଭେ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ୱାଶିଂଟନର ପିଉ ରିସର୍ଚ୍ଚ ସେଣ୍ଟର। ସର୍ଭେରୁ ସ୍ପଷ୍ଟ ଯେ, ଏବେ ଯଦି କରୋନା ଟିକା ଆସେ, ତେବେ ୫୧ ପ୍ରତିଶତ ଆମେରିକୀୟ ତାହା ନେବାକୁ ପସନ୍ଦ କରିବେ। ଅବଶିଷ୍ଟ ୪୯ ପ୍ରତିଶତଙ୍କର ଏଥିପ୍ରତି ଆଗ୍ରହ ନାହିଁ। ଗତ ମେ’ରେ ଏହି ସଂସ୍ଥା ମଧ୍ୟ ସର୍ଭେ କରିଥିଲା। ସେତେବେଳେ ଟିକାକୁ ନେଇ ୭୨ ପ୍ରତିଶତ ଲୋକ ଆଗ୍ରହ ଦେଖାଇଥିଲେ। ଏବେ ଅଧିକାଂଶ ଆମେରିକୀୟଙ୍କୁ ପାର୍ଶ୍ଵ ପ୍ରତିକ୍ରିୟା ଭୟ ଘାରିଛି।

ଲଣ୍ଡନ ସମାବେଶରେ ସ୍ଳୋଗାନ ‘ଭ୍ୟାକସିନ୍ ଲୋଡ଼ା ନାହିଁ’

ସାରା ବିଶ୍ଵରେ ଦଶ ମାସରେ ଦଶ ଲକ୍ଷ କରୋନାଜନିତ ମୃତ୍ୟୁ ଘଟିଲାଣି। ପୃଥିବୀର ମୋଟ ମୃତ୍ୟୁର ଅର୍ଦ୍ଧେକରୁ ବେଶୀ ସଂଖ୍ୟା ଚାରିଗୋଟି ଦେଶ – ଆମେରିକା, ବ୍ରାଜିଲ୍, ଭାରତ ଓ ମେକ୍‌ସିକୋରେ ସୀମିତ। ଅଗଷ୍ଟଠାରୁ ମୃତ୍ୟୁ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଭାରତରେ ୯୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଆତଙ୍କ ୟୁରୋପ ଏବଂ ଆମେରିକା ଭଳି ଶୀତପ୍ରଧାନ ଦେଶରେ। ବିଶେଷଜ୍ଞମାନେ ଆଶଙ୍କା କଲେଣି ଶୀତରେ ସଂକ୍ରମଣ ଅଧିକ ହେବ। ତେଣୁ ସ୍ପେନ୍ ଓ ବ୍ରିଟେନ୍ ଭଳି ରାଷ୍ଟ୍ର ପୁଣି ଲକ୍‌ଡାଉନ୍ ଆଡ଼କୁ ମୁହାଁଇଲେଣି।  କିନ୍ତୁ ବ୍ରିଟେନ୍‌ ପ୍ରଶାସନର ଅଧିକ ଭୟ ଲକ୍‌ଡାଉନ୍ ବିରୋଧୀ ସମାବେଶକୁ ନେଇ।

ରବିବାର ଲଣ୍ଡନର ଟ୍ରାଫାଲଗାର ସ୍କୋୟାର ନିକଟରେ ଲକ୍‌ଡାଉନ୍ ବିରୋଧୀ ସମାବେଶ ବୋରିସ୍ ଜନସନ୍ ସରକାର ପାଇଁ ଚିନ୍ତାର କାରଣ ହୋଇଛି। ଏହି ସମାବେଶରେ ହଜାର ହଜାର ବିକ୍ଷୋଭକାରୀ ଏକତ୍ରିତ ହୋଇ ସାନି ଲକ୍‌ଡାଉନ୍ ପ୍ରସ୍ତାବକୁ ତୀବ୍ର ବିରୋଧ କରିବା ସହ ‘ଭ୍ୟାକସିନ୍ ଲୋଡ଼ା ନାହିଁ’, ‘ଲକ୍‌ଡାଉନ୍ ଚଳିବ ନାହିଁ’ ‘ରୁଲ୍ ଅଫ୍ ସ୍ପିକସ୍ ମାନିବୁ ନାହିଁ’ ବୋଲି ସ୍ଳୋଗାନ ଦେଇଥିଲେ।

ଚୀନରେ ଟ୍ରାଏଲ୍ ନ ସରୁଣୁ ଟିକା ଦିଆଗଲାଣି

କରୋନା ପ୍ରତିଷେଧକ ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ଏହାକୁ ନେଇ ବିରୋଧାଭାସ ତେଜୁଛି। ଅନ୍ୟପକ୍ଷରେ ଟ୍ରାଏଲ୍ ନ ସରୁଣୁ ସାଧାରଣ ଲୋକଙ୍କ ଉପରେ ସମ୍ଭାବ୍ୟ କରୋନା ଟିକା ପ୍ରୟୋଗ କଲାଣି ଚୀନ୍। ଆମେରିକୀୟ ସମ୍ବାଦପତ୍ର ନ୍ୟୁୟର୍କ ଟାଇମସ୍ ଏଭଳି ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରକାଶିତ ଖବରରେ କୁହାଯାଇଛି ଯେ, ଚୀନ୍ ଯେଉଁ ଟିକା ଲୋକଙ୍କ ଉପରେ ପ୍ରୟୋଗ କରୁଛି, ତାହା କରୋନା ବିରୋଧରେ କାମ କରିବ କି ନାହିଁ ତାହା ପ୍ରମାଣିତ ହୋଇ ନାହିଁ। କିନ୍ତୁ ଚୀନ୍ ହଜାର ହଜାର ଲୋକଙ୍କୁ ଏହି ଟିକା ଦେଇସାରିଲାଣି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ, ବେସରକାରୀ ସଂସ୍ଥାର କର୍ମଚାରୀ,  ଟିକା ପ୍ରସ୍ତୁତକାରୀ ସଂସ୍ଥାର କର୍ମଚାରୀ, ଶିକ୍ଷକ ଓ ଶିକ୍ଷାକର୍ମୀ।

ଏହି ଟିକାକରଣ ପ୍ରକ୍ରିୟା ଗୋପନରେ ଚଳାଇଛି ଚୀନ୍। କୁହାଯାଇଛି ଯେ, କେବଳ ବେଜିଂରେ ୧୦ ହଜାର ଲୋକଙ୍କୁ ଏହି ଟିକା ଦିଆଗଲାଣି। କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କାର୍ଯ୍ୟରେ ଲାଗିଥିବା ଚୀନ୍‌ର ଏକ ସରକାରୀ ସଂସ୍ଥା ସିନୋ ଫାର୍ମା ସୂତ୍ରକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମସ୍ ଏହି ରିପୋର୍ଟ ପ୍ରକାଶ କରିଛି। ଅନ୍ୟ ଏକ ସଂସ୍ଥା ସିନୋଭାକ୍ ମଧ୍ୟ ଏହି ସୂଚନା ଦେଇଛି। ବର୍ତ୍ତମାନ ଚୀନରେ ୧୧ଟି ସମ୍ଭାବ୍ୟ ପ୍ରତିଷେଧକ ନେଇ ଗବେଷଣା ଚାଲିଛି।

ଟିକା ଆସିବା ପର୍ଯ୍ୟନ୍ତ ଲମ୍ବିବ ସଂକ୍ରମଣର ତାଲିକା

ସାରା ପୃଥିବୀର ବିଭିନ୍ନ ଦେଶରେ ଚାଲିଛି କରୋନା ପ୍ରତିଷେଧକ ଟିକା ଆବିଷ୍କାର ନେଇ ଗବେଷଣା। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କୁହାଯାଉଛି ଯେ, ଅତୀତରେ ବସନ୍ତ (ସ୍ମଲ ପ କସ୍), ପ୍ଲେଗ୍, ଟାଇଫଏଡ୍, ୟେଲୋ ଫିଭର୍, ଇନଫ୍ଲୁଏଞ୍ଜା, ପୋଲିଓ, ଆନ୍ଥ୍ରାକ୍ସ, ଚିକେନପକ୍ସ, ହେପାଟାଇଟିସ୍ ବି ଭଳି ଦୁରାରୋଗ୍ୟ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ଟିକା ଆବିଷ୍କାର କରାଯାଇଥିଲା। ସେହିସବୁ ଟିକା ତିଆରି ସକାଶେ ଯେତିକି ସମୟ ଲାଗିଥିଲା ତା’ଠାରୁ ଯଥେଷ୍ଟ କମ୍ ସମୟରେ କରୋନା ପ୍ରତିଷେଧକ ବଜାରକୁ ଆସିବ।

ସମାଲୋଚକଙ୍କ ମତରେ ଯେତେଦିନ ପର୍ଯ୍ୟନ୍ତ ପ୍ରତିଷେଧକ ନ ଆସିବ, ସେତେଦିନ ଯାଏ ସଂକ୍ରମିତ/ମୃତକଙ୍କ ସଂଖ୍ୟା ତାଲିକା ଲମ୍ବି ଚାଲିଥିବ। ପ୍ରତିଷେଧକ ଆସିବା ପୂର୍ବରୁ ଯଦି କରୋନା ସଂକ୍ରମଣ ହ୍ରାସ ପାଇଯାଏ, ତେବେ ଫାର୍ମ କମ୍ପାନିଗୁଡ଼ିକର ବିନିଯୋଗ ପାଣିରେ ପଡ଼ିବ। ତେଣୁ ସବୁଦେଶର ସରକାର ଟିକାକୁ ଅପେକ୍ଷା କରିଥିବା ବେଳେ ବିପନ୍ନ ସାଧାରଣ ଜନତା କ୍ଷୁବ୍ଧ ହୋଇ ଭ୍ୟାକସିନ୍ ଆଡୁ ମୁହଁ ଫେରାଇବା ଆରମ୍ଭ କଲେଣି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ)

Comment