ଓଡ଼ିଶାଲାଇଭ୍ ବ୍ୟୁରୋ

  • ସଂକ୍ରମଣରେ କଟକ ଦୁଇ ନମ୍ଵର
  • ଗଞ୍ଜାମକୁ ପଛରେ ପକାଇଲା
  • ଜିଲ୍ଲାରେ ମୃତ୍ୟୁହାର କମ୍
  • ଅନଲକ୍ ବଢ଼ାଇ ଦେଇଛି ଚିନ୍ତା

ରାଜ୍ୟ କରୋନା ସଂକ୍ରମିତଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଲା କଟକ। ମଙ୍ଗଳବାର ୨୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ଜିଲ୍ଲା ଏବେ ଗଞ୍ଜାମକୁ ପଛରେ ପକାଇଛି। ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବା ବେଳେ କରୋନା ଉପରେ ରୋକ୍ ଲାଗିବା ଅସମ୍ଭବ ହେଲାଣି। ଅନଲକ୍ ଯୋଗୁଁ ସବୁ କିଛି ସ୍ୱାଭାବିକ ଥିବାବେଳେ ନିୟମିତ ଧାରାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହେବା ଜଟିଳ ସମୟ ସୃଷ୍ଟି କଲାଣି।

ଗତ ୧୦ଦିନ ଭିତରେ କଟକ ଜିଲ୍ଲାରୁ ୫ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ୍ ୨୦ହଜାର ୧୬୧ ଜଣ ସଂକ୍ରମିତ ବାହାରିଥିବା ବେଳେ ସେଥିରୁ ୧୬ହଜାର ୩୩୦ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏବେ ସୁଦ୍ଧା ୩ହଜାର ୭୫୮ ଜଣ ଆକ୍ଟିଭ୍ ଆକ୍ରାନ୍ତ ରହିଛନ୍ତି। ୬୯ଜଣ କରୋନା ଯୋଗୁଁ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଅଗଷ୍ଟ ପହିଲା ବେଳକୁ ଗଞ୍ଜାମ ଠାରୁ କଟକରେ ପ୍ରାୟ ୫ହଜାର କମ୍ କରୋନା ପଜିଟିଭ୍ ରହିଥିଲେ। ଜିଲ୍ଲାୱାରୀ ସଂକ୍ରମଣ ଅନୁପାତରେ ଖୋର୍ଦ୍ଧା ଓ ଗଞ୍ଜାମ ଠାରୁ ଢେର କମ୍‌ରେ ରହିଥିଲା କଟକ। ଯେତେବେଳେ ଗଞ୍ଜାମ ଓ ଖୋର୍ଦ୍ଧାରେ ଦୈନିକ ୫ଶହରୁ ଅଧିକ ପଜିଟିଭ୍ ବାହାରୁଥିଲେ ସେଠି କଟକ ଜିଲ୍ଲାରୁ ଦୁଇ ଶହରୁ ଅତିବେଶୀରେ ତିନିଶହ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ସେପ୍ଟେମ୍ବର ମାସରେ କଟକ ସବୁ ରେକର୍ଡ ଭାଙ୍ଗିଲା।

ମଙ୍ଗଳବାର ସୁଦ୍ଧା ମୋଟ୍ ୨୯ ଦିନ ଭିତରେ ପ୍ରାୟ ୧୮ଦିନ କଟକରୁ ଦୈନିକ ସର୍ବାଧିକ ପଜିଟିଭ୍ ବାହାରିଆସୁଛନ୍ତି। ଯାହାଫଳରେ ସେପ୍ଟେମ୍ବରରେ କଟକରେ ଏଭଳି ସଂକ୍ରମଣ ବ୍ୟାପିଲା ଯେ, ଏବେ ଗଞ୍ଜାମକୁ ପଛରେ ପକାଇଦେଲା କଟକ। ମଙ୍ଗଳବାରର ରିପୋର୍ଟ ଅନୁସାରେ, ମୋଟ୍ ପଜିଟିଭ୍ ସଂଖ୍ୟାରେ ଗଞ୍ଜାମ ଠାରୁ ୧୬୪ ଜଣ ଅଧିକ ପଜିଟିଭ୍ କଟକରେ ରହିଛନ୍ତି।

ଅନ୍ୟପକ୍ଷରେ ଯଦି ଦୁଇ ଜିଲ୍ଲା ମଧ୍ୟରେ ସୁସ୍ଥହାର ଦେଖାଯାଏ ତେବେ ଯଥେଷ୍ଟ ଫରକ୍। ଗଞ୍ଜାମରେ ମୋଟ୍ ୨୦ହଜାର ୯୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୯ହଜାର ୬୩୬ ଜଣ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥହାର ରହିଛି ୯୭.୭୦ ପ୍ରତିଶତ। ଅନ୍ୟପକ୍ଷରେ କଟକ ଜିଲ୍ଲାରେ ସୁସ୍ଥହାର ରହିଛି ୮୨.୪୮ ପ୍ରତିଶତ।ସେହିପରି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସୂଚନାକୁ ଯଦି ଦେଖାଯାଏ ତେବେ କରୋନା ମୃତ୍ୟୁରେ କଟକର ଭଲ ରେକର୍ଡ ରହିଛି। କଟକରେ ଏବେ ସୁଦ୍ଧା ୬୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ଏହାର ପ୍ରାୟ ତିନିଗୁଣ ଅର୍ଥାତ୍ ୨୧୯ ଜଣଙ୍କର ପ୍ରାଣହାନୀ ହୋଇଥିବା ସୂଚନା ରହିଛି।

Comment