ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ ପଲିଥିନ୍ ବିକ୍ରି ଓ ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ। ସର୍ବଭାରତୀୟ ସ୍ତରରେ କୋଣାର୍କକୁ ପଲିଥିନ୍‌ମୁକ୍ତ ସହର ଭାବେ ଗଢ଼ିତୋଳିବାକୁ ଜିଲ୍ଲାପାଳ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି।

କୋଣାର୍କ ଅଞ୍ଚଳରୁ ପଲିଥିନ୍ ବନ୍ଦ କରିବା ଦାୟିତ୍ଵ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ ରହିଛି। ମାତ୍ର କୋଣାର୍କ ଏନ୍ଏସିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ୧ ପ୍ରତିଶତ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଏବେ ଦେଖିବାକୁ ମିଳିଛି। ଏନ୍ଏସି କର୍ତ୍ତୃପକ୍ଷଙ୍କ ଅପାରଗତା ଓ ମନଇଚ୍ଛା କାମ ପାଇଁ କୋଣାର୍କରେ ପୂର୍ବଭଳି ପଲିଥିନ୍ ବିକ୍ରି ଓ ବ୍ୟବହାର ହୁ ହୁ ହୋଇ ବଢ଼ି ଚାଲିଛି। ମାଛ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ପରିବା, ତେଜରାତି ବ୍ୟବସାୟୀଙ୍କ ପରି ସମସ୍ତ ଖୁଚୁରା ବ୍ୟବସାୟୀମାନେ ଏବେ ଖୋଲାଖୋଲି ଭାବେ ପଲିଥିନ୍ ବ୍ୟବହାର କରୁଛନ୍ତି।ଏ ଦିଗରେ ବାରମ୍ଵାର ଅଭିଯୋଗ ହୋଇଥିଲେ ମଧ୍ୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କେବଳ ନାମକୁ ମାତ୍ର ଚଢ଼ାଉ କରି କିଛି ଜରିମାନା ଆଦାୟ କରାଯାଉଥିବା ପରିଲକ୍ଷିତ ହେଉଛି। ଫଳରେ କୋଣାର୍କରେ ପଲିଥିନ୍ ବିକ୍ରି ଓ ବ୍ୟବହାର ହ୍ରାସ ପାଇବାରେ ନାଁ ଧରୁନି।ଶହ ଶହ କ୍ଵିଣ୍ଟାଲ ପଲିଥିନ୍ ବିଭିନ୍ନ ବ୍ୟବସାୟୀମାନେ ଏବେ ଗଚ୍ଛିତ ରଖି ବ୍ୟବସାୟ କରୁଥିବା ଜଣାପଡିଛି। ଏ ଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ପଲିଥିନ୍ ବିକ୍ରି ଓ ବ୍ୟବହାର ରୋକିବା ପାଇଁ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Comment