ଓଡ଼ିଶାଲାଇଭ୍ ବ୍ୟୁରୋ

ବୈଚିତ୍ର୍ୟମୟ ଦୁନିଆରେ ଏମିତି ଅନେକ ଜିନିଷ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ନହୋଇ ରହି ହୁଏନାହିଁ। ସେଥିମଧ୍ୟରୁ ଗ୍ରହଜଗତ ଅନ୍ୟତମ। କିନ୍ତୁ ବିଜ୍ଞାନର ଉନ୍ନତି ଫଳରେ ଆମେ ଆମ ସୌରମଣ୍ଡଳରେ ଥିବା ସବୁ ଗ୍ରହ ବିଷୟରେ ଅଳ୍ପ ବହୁତ ତଥ୍ୟ ହାସଲ କରିପାରିଛୁ। ତେବେ ପୃଥିବୀ ବ୍ୟତୀତ ମଙ୍ଗଳ ଗ୍ରହକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗି ରହିଥାଏ। ଜାଣନ୍ତୁ ସେହି ମଙ୍ଗଳ ଗ୍ରହ ବିଷୟରେ କିଛି ଖାସ୍ କଥା…

-ମଙ୍ଗଳ ଗ୍ରହର ରଙ୍ଗ ଲାଲ୍ ହୋଇଥିବାରୁ ଏହାକୁ ଲାଲ୍ ଗ୍ରହ ବୋଲି ମଧ୍ୟ କୁହାଯାଏ। ପୃଥିବୀ ପରି ମଙ୍ଗଳ ମଧ୍ୟ ଏକ ସ୍ଥଳୀୟ ଧରାତଳବିଶିଷ୍ଟ ଗ୍ରହ। ଏଥିରେ ଆଗ୍ନେୟଗିରି, ଉପତ୍ୟକା, ମରୁଭୂମି ଏବଂ ବରଫ ପାହାଡ ରହିଛି। କିନ୍ତୁ ଏହି ଗ୍ରହରେ ଜନବସତି ତିଷ୍ଠି ରହିବା ଅସମ୍ଭବ।-ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ପାଇଁ ପାଖାପାଖି ୩୬୫ ଦିନ ସମୟ ନେଉଥିବା ବେଳେ ମଙ୍ଗଳ ସୂର୍ଯ୍ୟଙ୍କୁ ପରିକ୍ରମା କରିବାକୁ ୬୮୭ ଦିନ ସମୟ ନେଇଥାଏ। ତେଣୁ ମଙ୍ଗଳ ଗ୍ରହରେ ୬୮୭ ଦିନରେ ଏକ ବର୍ଷ ହୋଇଥାଏ।

-ମଙ୍ଗଳରେ ଦେହ ଥରାଇଲା ଭଳି ଶୀତ ଅନୁଭୂତ ହୁଏ। ଏଥିସହ ସବୁବେଳେ ଧୂଳି ଝଡ଼ ହୁଏ। ଗ୍ରୀଷ୍ମ ଋତୁରେ ଏଠାରେ ତାପମାତ୍ରା ପ୍ରାୟ ୩୦ ଡିଗ୍ରୀ ସେଲ୍‌ସିୟସ୍ ରହୁଥିବା ବେଳେ ଶୀତଦିନେ ଏହା ମାଇନସ୍ ୧୪୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଆସେ। ଏମିତି ଶୀତରେ ଜଣେ ବ୍ୟକ୍ତି ପଥର ହେବା ସୁନିଶ୍ଚିତ।-ତେବେ ପୃଥିବୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ରହିଛି। ତାହା ହେଉଛି ଋତୁ। ପୃଥିବୀ ପରି ମଙ୍ଗଳରେ ବର୍ଷକୁ ୪ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମ, ଶୀତ, ଶରତ ଆଦି ଚାରି ଋତୁ ପୃଥିବୀ ତୁଳନାରେ ଏଠାରେ ଦୁଇଗୁଣ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।

-ତେବେ ପୃଥିବୀ ଓ ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଭିନ୍ନ। ଏହି କାରଣରୁ, ଯଦି ୧୦୦ ପାଉଣ୍ଟ ଓଜନର ଜଣେ ବ୍ୟକ୍ତି ଯଦି ମଙ୍ଗଳ ଗ୍ରହକୁ ଯାଆନ୍ତି ତେବେ ସେଠାରେ ତାଙ୍କ ଓଜନ ୩୮ ପାଉଣ୍ଡ ହେବ।-ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଥିବା ବେଳେ ମଙ୍ଗଳର ୨ଟି ଚନ୍ଦ୍ର ରହିଛି, ଯାହାର ନାମ ହେଉଛି ଫୋବସ୍ ଓ ଡିମୋସ୍। ଫୋବସ୍‌ର ବ୍ୟାସ ୧୩.୮ ମାଇଲ୍ ଥିବା ବେଳେ ଡିମୋସ୍‌ର ବ୍ୟାସ ହେଉଛି ୭.୮ ମାଇଲ୍।

-୪ଟି ଋତୁ ପରି ମଙ୍ଗଳ ଗ୍ରହରେ ଆଉ ଏକ ଋତୁ ରହିଛି ଯାହାକି ପୃଥିବୀ ସହ ସମାନ। ଉଭୟ ପୃଥିବୀ ଓ ମଙ୍ଗଳ ୪ଟି ସ୍ତରରେ ଗଠିତ। ପ୍ରଥମଟି ହେଉଛି ଭୂତଳ ବା କ୍ରଷ୍ଟ୍, ଯାହାକି ଲୁହା-ବେସାଲ୍ଟିକ୍ ପଥରରେ ତିଆରି। ସେହିପରି ଦ୍ଵିତୀୟ ସ୍ତରଟି ହେଉଛି ମେଣ୍ଟାଲ, ଯାହାକି ସିଲିକେଟ୍ ପଥରରେ ତିଆରି। ସେହିପରି ତୃତୀୟ ଓ ଚତୁର୍ଥ ସ୍ତର ହେଉଛି କୋର୍, ଯାହାକି ଲୁହା ଓ ନିକେଲରେ ପ୍ରସ୍ତୁତ ହୋଇଥିବା ବିଶ୍ଵାସ କରାଯାଏ।-ପ୍ରାୟ ଦୁଇ ବର୍ଷ ବ୍ୟବଧାନରେ ପୃଥିବୀ ଓ ମଙ୍ଗଳ ପରସ୍ପରର ନିକଟତର ହୁଅନ୍ତି। ଏହି ସମୟରେ ପୃଥିବୀ ପୃଷ୍ଠରୁ ମଙ୍ଗଳ ଗ୍ରହକୁ ଖାଲି ଆଖିରେ ମଧ୍ୟ ଦେଖିହୁଏ। ଗତ ଅକ୍ଟୋବର ୬ ତାରିଖରେ ମଙ୍ଗଳ ପୃଥିବୀର ନିକଟତର ହୋଇଥିଲା। ୨୦୨୨ ମସିହା ଡିସେମ୍ବରରେ ପୁଣି ଏହି ଦୁଇ ଗ୍ରହ ପରସ୍ପରର ନିକଟତର ହେବେ ବୋଲି କୁହାଯାଉଛି।

Comment