ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ପକ୍ଷରୁ ଗୁରୁବାର ଦୁଇ ଜଣ ପ୍ରାକ୍ତନ ବ୍ୟାଙ୍କ ଅଫିସରଙ୍କ ସମେତ ୫ ଜଣଙ୍କୁ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଋଣ ଜାଲିଆତି ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି।

କୋଟିଏ ଏକତିରିଶ ଲକ୍ଷ ଟଙ୍କାର ଏହି ଜାଲିଆତି ଘଟଣାରେ ବ୍ୟାଙ୍କର ଝାଡ଼ପୋଖରିଆ ସିପସ ବ୍ରାଞ୍ଚର ପୂର୍ବ ବ୍ରାଞ୍ଚ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର ଓ ଅନ୍ୟ ଜଣେ ଅଫିସର ଶତରୂପା ମହାନ୍ତି ଦଣ୍ଡ ପାଇଛନ୍ତି। ଏଥିସହିତ ଅନ୍ୟ ତିନି ଜଣ ଦଣ୍ଡିତ ବ୍ୟକ୍ତି ଏହି ଠକେଇ ମାମଲାରେ ଜଡିତ ଥିଲେ।

ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଅଭିଯୋଗ ପାଇବା ପରେ ଓଡ଼ିଶା ସରକାରଙ୍କ କ୍ରାଇମ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ନଭେମ୍ବର ୨୦୧୪ରେ ଏନେଇ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଜଣାପଡିଥିଲା ଯେ ମେ ୨୦୧୨ରୁ ମାର୍ଚ୍ଚ ୨୦୧୩ ମଧ୍ୟରେ ଉକ୍ତ ଶାଖା ପକ୍ଷରୁ ୧୩୧ ଜଣ ହିତାଧିକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏ ଜଳନିଧି ଯୋଜନା ଅଧୀନରେ ସହାୟତା ଯୋଗାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତ ଦୁଇ ଅଫିସର ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ଏହି ଋଣ ଉଠାଇଥିଲେ ଓ ପରେ ଏହି ଟଙ୍କାକୁ ସେମାନେ  ହଡ଼ପ କରିନେଇଥିଲେ।

Comment