ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳନ କରିବା ବେଶ୍ ମହଙ୍ଗା ପଡ଼ିଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ। କୋଭିଡ ନିୟମ ଉଲ୍ଲଂଘନ ମାମଲାରେ ବିଏମ୍‌ସି ପକ୍ଷରୁ ଶନିବାର ଅପରାଜିତାଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍ ଘୋଷଣା କରାଯାଇଛି।

ଅପରାଜିତାଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଭାଇରାଲ ହେବା ପରେ ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ବିଏମ୍‌ସିର ଜୋନଲ ଡେପୁଟୀ କମିସନରଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଯାଇ ସାଂସଦଙ୍କ  କାର୍ଯ୍ୟାଳୟରେ ପହଞ୍ଚିଛି। ସିଲ୍ କରାଯିବା ପରେ ପୁରା ଅଫିସ୍‌କୁ ସାନିଟାଇଜ କରାଯିବା ସହ ଜନ୍ମଦିନରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।ଅନ୍ୟପଟେ ଅପରାଜିତାଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ଜଣେ କୋଭିଡ ଯୋଦ୍ଧା ଭୁବନେଶ୍ଵର ଡିସିପିଙ୍କ ଅଫିସରେ ଏନେଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସାଂସଦ ବାରମ୍ଵାର କୋଭିଡ ଆଇନ ଭାଙ୍ଗୁଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଜନ୍ମଦିନ ଉତ୍ସବରେ ସାମିଲ ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିଲେ ଏବଂ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ସେ ପାଇଁ ଦାବି କରିଥିଲେ।

Comment