ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭୂତାଣୁକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ତଥ୍ୟ। ମୋବାଇଲ୍ ସ୍କ୍ରିନ୍ ଏବଂ ବ୍ୟାଙ୍କ ନୋଟ୍ରେ ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିପାରେ କରୋନା ଭାଇରସ୍। ସୋମବାର ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।
ଅଷ୍ଟ୍ରେଲିଆର ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ କାଚ ଏବଂ ପ୍ଲାଷ୍ଟିକ ଆଦି ଜିନିଷରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବାର ତଥ୍ୟ ଜଣାପଡ଼ିଥିଲା। ହେଲେ ଏବେ ଯାହା ଜଣାପଡୁଛି ଏହା ୨୮ ଦିନ ଯାଏଁ ବଞ୍ଚି ରହିପାରେ।
ଅଷ୍ଟ୍ରେଲିଆର ଏହି ଗବେଷକମାନଙ୍କ ପକ୍ଷରୁ ଅନ୍ଧାରରେ ୩ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ SARS-CoV-2 କେତେ ସମୟ ଜୀବିତ ରହିପାରେ ସେ ନେଇ ପରୀକ୍ଷା କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା, ଅଧିକ ଗରମରେ ଏହି ଭାଇରସ କମ୍ ସମୟ ଜୀବିତ ରହୁଛି।
ତେବେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ, ୨୦ ଡିଗ୍ରୀ ତାପମାତ୍ରାରେ କରୋନା ଭୂତାଣୁ ମୋବାଇଲ ସ୍କ୍ରିନ, ଷ୍ଟିଲ, ବ୍ୟାଙ୍କ ନୋଟ୍ ଉପରେ ଅଧିକ ମାତ୍ରାରେ ବୃଦ୍ଧି ପାଉଛି ଏବଂ ୨୮ ଦିନ ଧରି ଜୀବିତ ମଧ୍ୟ ରହିପାରୁଛି। ଅନ୍ୟପଟେ ୩୦ ଡିଗ୍ରୀ ତାପମାତ୍ରାରେ ଏମାନଙ୍କ ଜୀବିତ ରହିବାର ସମୟସୀମା ହ୍ରାସ ପାଉଛି। ଏହି ତାପମାତ୍ରାରେ କରୋନା ଭୂତାଣୁ ମାତ୍ର ୭ଦିନ ଜୀବିତ ରହିପାରୁଛି। ହେଲେ ୪୦ ଡିଗ୍ରୀରେ ମାତ୍ର ୨୪ ଘଣ୍ଟା ରହିପାରୁଛି।
ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ, କମ ତାପମାତ୍ରାରେ ଭାଇରସ ଅଧିକ ଦିନ ଜୀବିତ ରହିପାରୁଛି। ତେବେ କପଡା ଆଦି ଜିନିଷ ଉପରେ ଏହି ଭାଇରସ ୧୪ ଦିନରୁ ଅଧିକ ଦିନ ପର୍ଯନ୍ତ ରହିପାରେ ନାହିଁ। ତେଣୁ ଏହି ସମୟରେ କୌଣସି ଲୋକ ଭୂତାଣୁ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହେବାର ଆଶଙ୍କା ରହିଛି।













