ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଟ୍ରାଫିକ୍‌ ପୋଲିସ କାର୍‌ ବୋନେଟ ଉପରେ ଛଟପଟ ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବେପଅରୁଆ ଗାଡ଼ି ଚାଳକଙ୍କର ଏଭଳି ନିନ୍ଦନୀୟ କାର୍ଯ୍ୟ ଦେଖିବାକୁ ମିଳିଛି।

ଟ୍ରାଫିକ ପୋଲିସ ଜଣକ କାର ବୋନେଟ ଉପରେ ପଡ଼ି ଛଟପଟ ହେଉଥିଲା ବେଳେ ଗାଡ଼ି ଚାଳକ ନଅଟକି କିଭଳି ଗାଡ଼ିକୁ ଏପଟ ସେପଟ କରି ତାଙ୍କୁ ତଳେ ପକାଇ ଦେବାକୁ ଚେଷ୍ଟା କରୁଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହେଉଛନ୍ତି,  ତାହା ହିଁ ଭିଡିଓରେ ଦେଖିବାକୁ ମିଳିଛି।

ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହେବା ପରେ ଏହି ଘଟଣାର ଅସଲ କାହାଣୀ ସାମ୍ନାକୁ ଆସିଛି। ପ୍ରକୃତରେ ଏହି ଘଟଣା ଗତ ୧୨ ତାରିଖର। ଜଣେ କାର ଡ୍ରାଇଭର ଟ୍ରାଫିକ ନିୟମ ଭାଙ୍ଗି ଗାଡ଼ିରେ ଫ୍ୟାନ୍ସି ନମ୍ବର ପ୍ଲେଟ ପକାଇଥିଲେ। ଏହି ଦୃଶ୍ୟ ଟ୍ରାଫିକ ପୋଲିସଙ୍କ ଆଖିରେ ପଡ଼ିବା ପରେ ସେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ମାତ୍ର ଗାଡ଼ିଟି ନ ଅଟକି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଫଳରେ ଟ୍ରାଫିକ ପୋଲିସ ବୋନେଟ ଉପରକୁ ଡେଇଁପଡ଼ିଥଲେ। ତଥାପି ଡ୍ରାଇଭର ଜଣକ ନ ଅଟକି ଟ୍ରାଫିକ ପୋଲିସଙ୍କୁ ବୋନେଟ ଉପରେ ପକାଇ ମାଡ଼ି ଚାଲିଥିଲେ। ୪୦୦ ମିଟର ବାଟ ଯିବା ପରେ ଡ୍ରାଇଭର ପୋଲିସଙ୍କୁ ତଳେ ପକାଇ ଦେଇ ଛୁ ମାରିଥିଲେ। ସୌଭାଗ୍ୟବଶତଃ ପୋଲିସଙ୍କ ଜୀବନ ବଞ୍ଚିଗଲା।

Comment