କମଳାକାନ୍ତ ପତି

ଆକାଶଛୁଆଁ ଦରଦାମ୍‌, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଓ ଅନ୍ୟାନ୍ୟ ଅର୍ଥନୈତିକ ଦୁର୍ଦ୍ଦଶା ପାକିସ୍ତାନର ଇମ୍ରାନ ଖାଁ ସରକାର ବିରୋଧରେ ବିଦ୍ରୋହର ସୂତ୍ରପାତ ଘଟାଇଛି। ପିଏମ୍‌ଏଲ୍, (ନୱାଜ), ପିପିପି ଏବଂ ପିଏମ୍‌ଏପି ଭଳି ଦେଶର ବୃହତ୍ ବିରୋଧୀ ଦଳ ଅନ୍ୟ ୮ଟି ଛୋଟ ଦଳକୁ ସାଙ୍ଗରେ ନେଇ ଇମ୍ରାନ ହଟାଓ ଅଭିଯାନ ଆରମ୍ଭ କରିଛନ୍ତି। ନବଗଠିତ ମେଣ୍ଟ ‘ପିଡିଏମ୍’ ଏହି ଅଭିଯାନରେ ସଫଳ ହେବ କି?

ବ୍ରିଟେନରେ ଥାଇ ଗର୍ଜିଲେ ନୱାଜ

ପାକିସ୍ତାନ ସେନାକୁ ଢାଲ କରି ବେସାମରିକ ସରକାର ଚଳାଇଛନ୍ତି କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାଁ। ଇମ୍ରାନଙ୍କ ଶାସନକାଳରେ ପାକିସ୍ତାନୀ ନାଗରିକ ଅର୍ଥନୈତିକ ସଙ୍କଟରେ ଜର୍ଜରିତ। ଲୋକଙ୍କର ଅସନ୍ତୋଷକୁ ବିଦ୍ରୋହରେ ପରିଣତ କରିବା ପାଇଁ ଆଗେଇ ଆସିଛନ୍ତି ପାକିସ୍ତାନର ବିରୋଧୀ ଦଳ। ଗଢ଼ାଯାଇଛି ୧୧ ଦଳୀୟ ମେଣ୍ଟ। ଯାହାର ନାମ ରଖାଯାଇଛି ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)।

ଚଳିତମାସ ୧୬ ତାରିଖରେ ପାକିସ୍ତାନ ମୁସଲିମ୍ ଲିଗ୍ (ନୱାଜ)ର ନେତା ତଥା ଆତ୍ମନିର୍ବାସନରେ ବ୍ରିଟେନରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ଇମ୍ରାନ ସରକାରର ଏକଛତ୍ରବାଦୀ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏହି ରାଲିର ଆୟୋଜନ କରାଯାଇଥିଲା ଗୁଜରନୱାଲାରେ। ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ଅତିମାରୀ କଟକଣାକୁ ଭ୍ରୁକ୍ଷେପ ନ କରି ଏହି ରାଲିରେ  ଯୋଗ ଦେଇଥିଲେ।

ଏହାର ଠିକ୍ ଦୁଇ ଦିନ ପରେ ଗତ ରବିବାର କରାଚିଠାରେ ଏକ ବିରୋଧୀ ରାଲିକୁ ସମ୍ବୋଧିତ କଲେ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ କନ୍ୟା ମରିୟମ୍ ନୱାଜ ଏବଂ ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁତ୍ର ବିଲାୱଲ ଭୁଟ୍ଟୋ। ସମାନ ଭାବେ ବିପୁଳ ଜନସମାବେଶରେ ଏହି ଦୁଇ ଯୁବ ପିଢ଼ିର ନେତା ବର୍ତ୍ତମାନର ସରକାର ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ। ପୂର୍ବ ରାଲିରେ ଶରିଫଙ୍କ ବକ୍ତବ୍ୟ ଭଳି ଶାଣିତ ସ୍ଵର ଶୁଣିବାକୁ ମିଳିଥିଲା କରାଚିର ଜିନ୍ନା ଷ୍ଟାଡିୟମରେ। ପ୍ରଶ୍ନ ଉଠୁଛି ପାକିସ୍ତାନରେ ବିରୋଧୀ ଏକତା ଦାନା ବାନ୍ଧିଥିଲେ ମଧ୍ୟ ତାହା ଇମ୍ରାନ ସରକାରକୁ ଗାଦିଚ୍ୟୁତ କରିପାରିବ କି?

ପ୍ରବଳ ଚାପରେ ପ୍ରଧାନମନ୍ତ୍ରୀ ଇମ୍ରାନ

ପାକିସ୍ତାନରେ ନୂଆ କରି ଏକ ଦଳ (ପାକିସ୍ତାନ ତେହରିକ୍ ଇନ୍‌ସାଫ୍‌) ଗଢ଼ି ଗୋଟିଏ ପୁରାତନ ଦଳ (ପିଏମଏଲ୍ ନୱାଜ)କୁ ନିର୍ବାଚନରେ ପରାଜିତ କରିବା କିଛି କମ୍ କଥା ନଥିଲା ଇମ୍ରାନ ଖାଁଙ୍କ ପାଇଁ। କ୍ରିକେଟ୍ ଦୁନିଆରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ଇମ୍ରାନଙ୍କ ପାଇଁ ସତେ ଯେପରି ସଫଳତା ଅପେକ୍ଷା କରି ରହିଥିଲା। ନୱାଜ ଶରିଫ୍ ସରକାରକୁ ଗାଦିଚ୍ୟୁତ କରିଥିବା ଇମ୍ରାନ ଗତ ଅଢ଼େଇ ବର୍ଷ ମଧ୍ୟରେ ନିଜ ଅପରିପକ୍ଵତାର ପ୍ରମାଣ ଦେଇସାରିଲାଣି। ମିଆଦ ପୂରଣକୁ ଆହୁରି ଅଢ଼େଇ ବର୍ଷ ଥିବାବେଳେ ଏକ ପ୍ରବଳ ଚାପରେ ଇମ୍ରାନ ଖାଁ ଏବଂ ତାଙ୍କ ସରକାର।

ତାଙ୍କୁ ଗାଦିଚ୍ୟୁତ କରିବା ସକାଶେ ଅଣ୍ଟା ଭିଡିଛନ୍ତି ୧୧ଟି ବିରୋଧୀ ରାଜନୈତିକ ଦଳ। ନୱାଜ ଶରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମଏଲ୍-ଏନ୍), ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି), ଜାମିଏତ୍ ଉଲେମ୍ବା-ଇ-ଇସଲାମ୍ (ଏଫ୍) ଏବଂ ପାଖତୁନଖ୍ୱା ମିଲି ଆୱାମୀ ପାର୍ଟି ସମେତ ଏହି ୧୧ ଦଳ ମିଶି ଗଢ଼ିଛନ୍ତି ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)। ଏହି ମିଳିତ ମହାମେଣ୍ଟ ଏବେ ଇମ୍ରାନଙ୍କ ନିଦ ହଜାଇ ଦେଇଛି।

ନୂଆ ପିଢ଼ି, ନୂଆ ଆହ୍ଵାନ

ପାକିସ୍ତାନ ରାଜନୀତି ମଇଦାନକୁ ଏବେ ଓହ୍ଲାଇଛନ୍ତି ଏକ ନୂଆ ପିଢ଼ି। ଯେଉଁଠି ଦେଖିବାକୁ ମିଳୁଛି ପୁରୁଣା ପିଢ଼ିର ଦାୟାଦମାନଙ୍କୁ। ଶରିଫଙ୍କ କନ୍ୟା ମରିୟମ୍, ବେନଜିର- ଜର୍ଦ୍ଦାରୀଙ୍କ ପୁତ୍ର ବିଲାୱଲ ଏବେ ଦେଶର ରାଜନୀତିରେ ସକ୍ରିୟ। ତେବେ ଗତ ମାସରେ ଜନ୍ମ ନେଇଥିବା ମହାମେଣ୍ଟ ପିଡିଏମର ନେତୃତ୍ଵ ସମର୍ପଣ କରାଯାଇଛି ମୌଲାନା ଫାଜଲୁର ରହମନଙ୍କ ଉପରେ। ସେ ହେଉଛନ୍ତି ଜାମିଏତ୍ ଉଲେମା-ଇ-ଇସଲାମ୍ (ଫାଜୁଲର)ର ମୁଖ୍ୟ। ଶରିଫ୍ ଏବଂ ଭୁଟ୍ଟୋ-ଜର୍ଦ୍ଦାରୀଙ୍କ ମଧ୍ୟରେ ବିରୋଧାଭାସକୁ ଦୃଷ୍ଟିରେ ରଖି ଫାଜଲୁରଙ୍କୁ ମହାମେଣ୍ଟର ସଭାପତି କରାଯାଇଛି।

ତେବେ ବିରୋଧୀ ରାଜନୀତିରେ ଗୁରୁତ୍ଵ ପାଉଛନ୍ତି ନୂଆପିଢ଼ିର ନେତା ବିଲାୱଲ ଏବଂ ମରିୟମ୍। ଫାଜଲୁରଙ୍କ ପ୍ରତି ପାସ୍ତୁନ ସମ୍ପ୍ରଦାୟର ବିପୁଳ ସମର୍ଥନ ରହିଛି। ସେ ମଧ୍ୟ ଜଣେ କଠୋର ଦକ୍ଷିଣପନ୍ଥୀ ଭାବେ ପରିଚିତ। ବର୍ତ୍ତମାନ ସମୟରେ ଏହି ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଆହ୍ଵାନ ହେଉଛି ଇମ୍ରାନ ସରକାରର ପତନ। ସେମାନେ ପର୍ଯ୍ୟାୟକ୍ରମେ ଦେଶର ଗୋଟିଏ ଗୋଟିଏ ସହରରେ ସମାବେଶର ଆୟୋଜନ କରି ଇମ୍ରାନ ସରକାରର ଅପାରଗତାକୁ ଜନତାଙ୍କ ସମ୍ମୁଖକୁ ଆଣିବା ପାଇଁ ବଦ୍ଧପରିକର। ଆଗାମୀ ଜାନୁୟାରୀ ମାସରେ ରାଜଧାନୀ ଇସଲାମାବାଦରେ ଏକ ବଡ଼ ଧରଣର ସମାବେଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ମୁଖ୍ୟ ଦାବି ଇମ୍ରାନଙ୍କ ଅପସାରଣ

କ’ଣ ରହିଛି ପିଡିଏସର ମୁଖ୍ୟ ଦାବି? ଏହି ମହାମେଣ୍ଟରେ ସାମିଲ୍ ନେତାମାନଙ୍କର ପ୍ରମୁଖ ଦାବି ହେଉଛି- କ୍ଷମତା ଛାଡ଼ନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଏହି ନେତାମାନଙ୍କର ଅଭିଯୋଗ ବାସ୍ତବ କ୍ଷେତ୍ରରେ ଇମ୍ରାନ୍ ୨୦୧୮ ନିର୍ବାଚନରେ ଲୋକଙ୍କ ଦ୍ଵାରା ‘ନିର୍ବାଚିତ’ ହୋଇନାହାନ୍ତି। ବରଂ ପାକିସ୍ତାନ ଆର୍ମି ଦ୍ୱାରା ଏହି ନେତା ମନୋନୀତ ହୋଇଛନ୍ତି। ଇମ୍ରାନ କେବଳ ସେନାର ବଚସ୍କର ସାଜି କାର୍ଯ୍ୟ କରୁଛନ୍ତି। ସେନା କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଛନ୍ତି। ତେବେ ଏହି ବିରୋଧୀ ନେତାମାନେ ସିଧାସଳଖ ଭାବେ ସେନାକୁ ଦୋଷୀ କରୁନାହାନ୍ତି। ଦେଶର ପ୍ରଧାନମନ୍ତ୍ରୀ ସେନା ପଛରେ ମୁହଁ ଲୁଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମରିୟମ। ସେ କହିଛନ୍ତି ଯେ, ଇମ୍ରାନ ଦେଶବାସୀଙ୍କ ପ୍ରତି ଅବିଚାର କରୁଛନ୍ତି। ସେନାରେ ଅସ୍ତ୍ର ଭାବେ ବ୍ୟବହାର କରି କ୍ଷମତାର ଅପବ୍ୟବହାର କରୁଛନ୍ତି। ସେନାକୁ ତାଙ୍କର ବିରୋଧ ନାହିଁ ବୋଲି ମରିୟମ୍ ତାଙ୍କ ଭାଷଣରେ କହିଥିଲେ ମଧ୍ୟ ପ୍ରଚ୍ଛନ୍ନରେ ସେ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ଟାର୍ଗେଟ୍‌ କରିଥିବା ସ୍ପଷ୍ଟ।

ଶରିଫଙ୍କ ପାଇଁ ଭସ୍ମାସୁର ବାଜୱା

ଆଶ୍ଚର୍ଯ୍ୟର କଥା ହେଉଛି ମରିୟମ୍ ନୱାଜ ସିଧାସଳଖ ଦେଶର ସେନା ମୁଖ୍ୟ ଜେନେରାଲ୍ କମର ଜାଭେଦ୍ ବାଜୱାଙ୍କୁ ଟାର୍ଗେଟ୍ କରିନଥିଲେ ମଧ୍ୟ ତାଙ୍କ ପିତା ଶରିଫଙ୍କ ଭାଷଣରେ ନିଶାନାରେ ଥିଲେ ଇମ୍ରାନ ଓ ଜେନେରାଲ୍ ବାଜୱା। କହିବା ବାହୁଲ୍ୟ ଯେ, ବାଜୱା ହିଁ ନୱାଜ ଶରିଫଙ୍କ ସକାଶେ ଭସ୍ମାସୁର ପାଲଟି ଯାଇଥିଲେ। ପ୍ରଧାନମନ୍ତ୍ରୀ ଥିବା ସମୟରେ ଜେନେରାଲ୍ ବାଜୱାଙ୍କୁ ଏକଷ୍ଟେନସନ୍ ଦେଇଥିଲେ ଶରିଫ୍। କିନ୍ତୁ ସେହି ବାଜୱା ତାଙ୍କୁ ଗାଦିଚ୍ୟୁତ କରିବାର କାରଣ ହୋଇଯାଇଥିଲେ। ଦୁର୍ନୀତି ଅଭିଯୋଗରେ ନୱାଜ ଶରିଫଙ୍କୁ ବନ୍ଦୀ କରାଯାଇଥିଲା।

ଜାମିନରେ ମୁକୁଳିଯିବା ପରେ ଅସୁସ୍ଥ ଶରିଫ୍ ଏବେ ସେହି କଥା କହିଛନ୍ତି। ଲଣ୍ଡନରୁ ୧୬ ତାରିଖ ସମାବେଶକୁ ସମ୍ବୋଧିତ କରି (ଭର୍ଚୁଆଲ୍ ରାଲି) ଶରିଫ୍ କହିଥିଲେ, ଆଜି ପାକିସ୍ତାନରେ ଯେଉଁ ଦୁର୍ଦ୍ଦଶା ଆସିଛି ତାହା କେବଳ ଜେନେରାଲ୍ ବାଜୱାଙ୍କ ପାଇଁ, ପାକିସ୍ତାନର ସେନା ଏବେ ଦେଶ ଶାସନର ଊର୍ଦ୍ଧ୍ୱରେ ବସିଛି। ନ୍ୟାୟିକ ବ୍ୟବସ୍ଥା ସହ ମିଲିଭଗତ ସାଜି ଜେନେରାଲ୍ ବାଜୱା ତାଙ୍କୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ଦେଇଥିଲେ ବୋଲି ଶରିଫ୍ କହିଛନ୍ତି।

ଭାରତକୁ ଦାୟୀ କଲେ ପାକ୍ ପ୍ରଧାନମନ୍ତ୍ରୀ

ଦେଶରେ ବିରୋଧୀ ଏକତା ଶକ୍ତିଶାଳୀ ହେଉଥିବାରୁ ଭୟ ପାଇଗଲେଣି ଇମ୍ରାନ। ତେବେ ତାଙ୍କର ମୁହଁ ଟାଣ କମିନାହିଁ। ପ୍ରଧାନମନ୍ତ୍ରୀ ହେବାଠାରୁ ବାରମ୍ବାର ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅପଦସ୍ତ କରିବା ପାଇଁ ଉଦ୍ୟମ କରି ଆସିଥିବା ଇମ୍ରାନ୍ ଏବେ ନିଜ ଦେଶରେ ବିରୋଧୀ ଏକତାକୁ ଭାରତର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରୁଛନ୍ତି। ବିରୋଧୀଙ୍କ ଗତ ଦୁଇଟି ସମାବେଶ ପଛରେ ଭାରତର ହାତ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ବିରୋଧୀ ମେଳି କରିଛନ୍ତି ବୋଲି କହିଛନ୍ତି ଇମ୍ରାନ।

ଭାରତରେ ସାମ୍ପ୍ରଦାୟିକତାବାଦର କଥା ଉଠାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି- କଶ୍ମୀର ପ୍ରସଙ୍ଗକୁ ଗୌଣ କରିଦେବା ସକାଶେ ମୋଦୀ ତାଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ଚାହୁଁଛନ୍ତି। ତାଙ୍କର ଏହି ଖେଳ ସଫଳ ହେବନାହିଁ, ବିରୋଧୀଙ୍କ ମେଳି ତାଙ୍କ ସରକାର ପାଇଁ ଆଦୌ ବିପଦ ହେବନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇମ୍ରାନ। ଉଲ୍ଲେଖ କରାଯାଇପାରେ ଯେ, ଶରିଫଙ୍କ ଶାସନ କାଳରେ ଭାରତ- ପାକିସ୍ତାନ ସମ୍ପର୍କରେ କିଛିଟା ଉନ୍ନତି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ କି ଶରିଫଙ୍କୁ କ୍ଷମତାରୁ ହଟାଇ ଦିଆଗଲା। ଶରିଫଙ୍କ ଶାସନର ପରିସମାପ୍ତି ପରେ ପାକିସ୍ତାନୀ ସେନା ପୁନର୍ବାର ଆକ୍ସନ ମୁଡ୍‌କୁ ଚାଲିଆସିଛି।

ବିରୋଧୀ ମେଳି ଭାଙ୍ଗିବାକୁ ପାକ୍ ସେନାର ପ୍ରୟାସ

ପାକିସ୍ତାନୀ ସେନା ମୁଖ୍ୟ ଜାଣିଗଲାଣି ଯେ, ଇମ୍ରାନ ସରକାରକୁ ହଟାଇବା ସକାଶେ ବିରୋଧୀଙ୍କ ମହାମେଣ୍ଟ ସଫଳ ହୋଇପାରେ। ତେଣୁ ବିରୋଧୀ ମେଳି ଭାଙ୍ଗିବାକୁ ସେନା ମୁଖ୍ୟ ବାଜୱା ଉଦ୍ୟମ କରୁଛନ୍ତି। ଗତ ମାସରେ ଜେନେରାଲ୍ ବାଜୱା ଏବଂ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ ହମିଦ ପ୍ରମୁଖ ବିରୋଧୀ ଦଳର କେତେକ ନେତାଙ୍କୁ ଡାକି ଆଲୋଚନା କରିଥିଲେ। ରାଜନୀତି ଖେଳକୁ ସେନାକୁ ନ ଟାଣିବା ସକାଶେ ସେମାନଙ୍କୁ କହିଥିଲେ।

ଏବେ ସେନା ମୁଖ୍ୟ ବିରୋଧୀ ଦଳଗୁଡ଼ିକର ଶକ୍ତିକୁ ନୀରବତାର ସହ ପର୍ଯ୍ୟବେକ୍ଷଣ କରୁଛନ୍ତି। ବିରୋଧୀଙ୍କ ପ୍ରତି କେତେ ଜନସମର୍ଥନ ରହିଛି ତାହା ଉପରେ ନଜର ରଖାଯାଇଛି। ମରିୟମଙ୍କ ସମାବେଶର କିଛି ଘଣ୍ଟା ପରେ ତାଙ୍କର ସ୍ଵାମୀଙ୍କୁ କରାଚି ପୋଲିସ୍ ତାଙ୍କ ହୋଟେଲ କୋଠରିରୁ ଗିରଫ କରିନେଇଥିଲା। ମରିୟମ୍ ଟୁଇଟ୍ କରି ଏହି ଘଟଣାକୁ ପ୍ରତିହିଂସାର ପ୍ରମାଣ ବୋଲି ଉଲ୍ଲେଖ କରିବା ପରେ ତାଙ୍କ ସ୍ଵାମୀଙ୍କୁ ମୁକ୍ତ କରିଦିଆଯାଇଥିଲା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ଜିନସ୍ୱ।)

Comment