ଓଡ଼ିଶାଲାଇଭ୍ ବ୍ୟୁରୋ

କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍। ଏଥିସହିତ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜାମିନ୍ ମିଳିଛି। ଜଣେ ଜାମିନଦାର୍ ଏବଂ ୧ଲକ୍ଷ ଟଙ୍କାର ବେଲବଣ୍ଡ୍‌ ଆଧାରରେ ସେମାନଙ୍କୁ ଜାମିନ୍ ମିଳିଥିବା ସୂଚନା ମିଳିଛି।

କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଏବଂ କୋଇଲା ମନ୍ତ୍ରାଳୟର ୨ ବରିଷ୍ଠ ଅଧିକାରୀଙ୍କୁ ସୋମବାର ସକାଳେ ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ।

୧୯୯୯ ଝାଡ଼ଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ନାଁ ଆସିଥିଲା। ଅକ୍ଟୋବର ୬ରେ ଏହି ମାମଲାର ଶୁଣାଣି କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିରେ ଦିଲୀପଙ୍କ ସମେତ  କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଉଲ୍ଲେଖ୍ୟଯୋଗ୍ୟ ଯେ, ୧୯୯୯ରେ ଝାଡ଼ଖଣ୍ଡରେ କୋଲବ୍ଲକ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଦାୟିତ୍ଵରେ ଥିଲେ ଦିଲୀପ ରାୟ।

Comment