ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣରେ ପାକିସ୍ତାନ ସରକାରର ସିଧାସଳଖ ହାତ ଥିଲା। ଏହି କଥାକୁ ଆଜି ସ୍ପଷ୍ଟ କରିଛନ୍ତି ଖୋଦ୍ ପାକିସ୍ତାନର ଇମ୍ରାନ ସରକାରରେ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ଥିବା ଫବାଦ ଚୌଧୁରୀ।

ପାକିସ୍ତାନର ସଂସଦରେ ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣ ପାକିସ୍ତାନ ପାଇଁ ଏକ ବଡ଼ ଉପଲବ୍ଧି। ଏଥିପାଇଁ ସେ ସମସ୍ତ ଶ୍ରେୟ ତାଙ୍କ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ଦଳ ପିଟିଆଇକୁ ଦେଇଛନ୍ତି।୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଏହି ବିସ୍ଫୋରଣରେ ୪୦ ଜଣ ଭାରତୀୟ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ପୂର୍ବରୁ କହିଆସୁଥିଲା। ହେଲେ ପାକିସ୍ତାନ ସରକାର ଏହାକୁ ମାନୁନଥିଲେ। ହେଲେ ଆଜି ପାକିସ୍ତାନର ମନ୍ତ୍ରୀ ଖୋଦ୍ ଏହି କଥାକୁ ମାନିଛନ୍ତି।

ଫବାଦ ଚୌଧୁରୀ ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ସବୁବେଳେ ଭାରତକୁ କଟାକ୍ଷ କରିବା ସହ ଯୁଦ୍ଧର ଧମକ ଦେଇଥାନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମଧ୍ୟ ସେ ଭାରତକୁ ଯୁଦ୍ଧର ଧମକ ଦେଇଥିଲେ।

Comment