ଓଡ଼ିଶାଲାଇଭ୍ ବ୍ୟୁରୋ

ଗତବର୍ଷ ପୁଲୱାମାରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ସେଠାକାର ମନ୍ତ୍ରୀ ନିଜେ ସ୍ୱୀକାର କରିସାରିଛନ୍ତି। ଏହାପରେ ଭାରତୀୟ ଜନତା ପାର୍ଟିର ନେତା ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ବିଜୟ କୁମାର ସିଂହ ମୋଦୀଙ୍କ ବିରୋଧୀମାନଙ୍କୁ ଖୋଲା ବଜାରରେ ଜୋତା ମାରିବା କଥା କହିଛନ୍ତି।

ବିଜୟ ସିଂହ କହିଛନ୍ତି ଯେ, ପୁଲୱାମା ଆକ୍ରମଣ ମୋଦୀ ସରକାର କରିଛନ୍ତି ବୋଲି ବିରୋଧୀମାନେ କହୁଥିଲେ। ଏହି ଘଟଣାକୁ ମିଛରେ ବଡ଼ ଧରଣର ସଜେଇ ବିରୋଧୀମାନେ ଗର୍ଜୁଥିଲେ। ହେଲେ ଏବେ ପାକିସ୍ତାନ ଏହା ପଛରେ ସାମିଲ ଅଛି ବୋଲି ନିଜେ ସ୍ୱୀକାର କରିଛି। ତେଣୁ ଯେଉଁ ବିରୋଧୀମାନେ ଏହାକୁ ମୋଦୀ ସରକାର କରିଛନ୍ତି ବୋଲି କହୁଥିଲେ ସେମାନଙ୍କୁ ଖୋଲା ବଜାରରେ ଜୋତା ମାରିବା ଉଚିତ୍ ବୋଲି ସେ କହିଛନ୍ତି।୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ହେଲେ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏହା ପଛରେ ମୋଦୀ ସରକାରର ହାତ ଅଛି ବୋଲି କହିଥିଲେ। ନିର୍ବାଚନ ଜିତିବାକୁ ମୋଦୀ ଏପରି କରିଛନ୍ତି ବୋଲି ସେ ବାରମ୍ବାର କହିଥିଲେ। ତାଙ୍କ ସହ ଅନେକ ବିରୋଧୀ ମଧ୍ୟ ସେହି ସମାନ କଥା କହିଥିଲେ।

ହେଲେ ଗତକାଲି ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ଇମ୍ରାନ ସରକାରର ହାତ ଥିଲା। ଏହା ପାକିସ୍ତାନ ପାଇଁ ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି।

Comment