ଓଡ଼ିଶାଲାଇଭ୍ ବ୍ୟୁରୋ

jioଭାରତର ସର୍ବବୃହତ ଟେଲିକମ୍ କମ୍ପାନି ଭାବେ ରିଲାଏନ୍ସ ଜିଓ ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ନିଟ୍ ଲାଭରେ ତିନି ଗୁଣା ବୃଦ୍ଧି ସହ ୨୮୪୪ କୋଟି ଟଙ୍କା ହାସଲ କରିଛି । ପୂର୍ବ ଆର୍ଥିକ ବର୍ଷର ଏହି ଆୟ ୯୯୦ କୋଟି ଟଙ୍କା ରହିଥିଲା । ତେବେ ଗତ ଛଅ ମାସରେ ଜିଓ ରିଟେଲ୍ ବ୍ୟବସାୟରେ ସଫଳତାର ସହ ବିପୁଳ ପରିମାଣର ପୁଞ୍ଜି ସଂଗ୍ରହ କରିଛି। ଏ ବାବଦରେ କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଧିରୁଭାଇ ଅମ୍ବାନୀ କହିଛନ୍ତି ଯେ,“ପୂର୍ବ ତ୍ରୈମାସିକ ତୁଳନାରେ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ମୋଟ ଉପରେ ଭଲ ଥିବା ବେଳେ ପେଟ୍ରୋକେମିକାଲ୍ସ ଓ ରିଟେଲ୍ କ୍ଷେତ୍ରରେ ଉନ୍ନତି ହୋଇଛି ଏବଂ ଡିଜିଟାଲ୍ ସେବା ବ୍ୟବସାୟରେ ଅଭିବୃଦ୍ଧି ବଜାୟ ରହିଛି । ତୈଳ ଓ ପେଟ୍ରୋକେମିକାଲ୍‌ବ୍ୟବସାୟରେ ଅନେକ ଉତ୍ପାଦର ଚାହିଦା କୋଭିଡ୍ ପୂର୍ବବର୍ତ୍ତୀ ସ୍ତରକୁ ଫେରିଥିବା ବେଳେ ଚାହିଦାରେ ମଧ୍ୟ ପୁନରୁଦ୍ଧାର ଘଟିଛି । ରିଟେଲ୍ କାରବାର ସ୍ୱାଭାବିକ ହୋଇଛି । ଗତ ଛଅ ମାସରେ ଜିଓ ଓ ରିଟେଲ୍ ବ୍ୟବସାୟରେ ବିପୁଳ ପରିମାଣର ପୁଞ୍ଜି ସଂଗ୍ରହ କରାଯାଇଛି ଏବଂ ଆମେ ଏସବୁ ନିବେଶକମାନଙ୍କୁ ରିଲାଏନ୍ସ ପରିବାରକୁ ସ୍ୱାଗତ କରୁଛୁ ।”ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନିର ରାଜସ୍ୱ ୩୩ ପ୍ରତିଶତ ବୃଦ୍ଧି ଘଟି ୧୭,୪୮୧ କୋଟି ଟଙ୍କା ହୋଇଛି ଯାହା ୨୦୧୯-୨୦ ଆର୍ଥିକ ବର୍ଷର ସମାନ ସମୟରେ ୧୩,୧୩୦ କୋଟି ଟଙ୍କା ଥିଲା । ଏହି ଅବଧିରେ ଜିଓର ଗ୍ରାହକ ପିଛା ରାଜସ୍ୱ ୧୪୫ ଟଙ୍କାକୁ ବୃଦ୍ଧିପାଇଥିବା ବେଳେ ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୦.୫୬ କୋଟି ରହିଥିବା କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି । ଏଥିସହିତ ଚୀନ୍ ବାହାରେ ଗୋଟିଏ ଦେଶରେ ଏତେ ସଂଖ୍ୟକ ଗ୍ରାହକ ହାସଲ କରିବାରେ ଜିଓ ବିଶ୍ୱର ଏକମାତ୍ର କମ୍ପାନି ହୋଇଛି । କମ୍ପାନିର ମୋଟ ଓୟାରଲେସ ଡାଟା ଟ୍ରାଫିକ୍ ଏହି ସମୟରେ ୧.୫ ପ୍ରତିଶତ ବୃଦ୍ଧିପାଇ ୧୧୪୨ ଜିବି ରହିଥିବା ସୂଚନା ମିଳିଛି ।

ଏହି ସମୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ରାଜସ୍ୱ ୭.୧ ପ୍ରତିଶତ ବୃଦ୍ଧି ପାଇ ୨୧,୭୦୮ କୋଟି ଟଙ୍କା ହୋଇଥିବା ବେଳେ ନିଟ୍ ଲାଭ ୧୯.୮ ପ୍ରତିଶତ ବୃଦ୍ଧି ସହ ୩୦୨୦ କୋଟି ଟଙ୍କା ହୋଇଛି ।
ସେହିପରି ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୩୦ ପ୍ରତିଶତ ବୃଦ୍ଧି ପାଇ ୪୧,୧୦୦ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ପରିମାଣ ୮୫.୯ ପ୍ରତିଶତ ବୃଦ୍ଧି ସହ ୨୦୦୬ କୋଟି ଟଙ୍କା ହୋଇଛି । ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭରେ ୧୨୫.୮ ପ୍ରତିଶତ ବୃଦ୍ଧି ହୋଇ ୯୭୩ କୋଟି ଟଙ୍କାରେ ପହଞ୍ଚିଛି । ଆଲୋଚ୍ୟ ତ୍ରୈମାସରେ ନଗଦ ଲାଭ ୭୭.୩ ପ୍ରତିଶତ ବୃଦ୍ଧି ପାଇ ୧୪୦୮ କୋଟି ଟଙ୍କା ହୋଇଛି । କମ୍ପାନି ପାଖରେ ୧୧,୯୩୧ଟି କାର୍ଯ୍ୟକ୍ଷମ ରହିଥିବା ଷ୍ଟୋର୍ ରହିଛି ଏବଂ ଆଲୋଚ୍ୟ ତ୍ରୈମାସିକରେ କମ୍ପାନି ୧୨୫ଟି ନୂଆ ଷ୍ଟୋର୍ ଯୋଡ଼ିଛି ।

ସେହିଭଳି ଏହି ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ମୋଟ ରାଜସ୍ୱ ୧,୨୮,୩୮୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ନିଟ୍ ଲାଭ ୧୦୬୦୨ କୋଟି ଟଙ୍କା ହୋଇଛି । ଏହି ସମୟରେ କମ୍ପାନିର ରପ୍ତାନି ୩୪,୫୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

Comment