ଓଡ଼ିଶାଲାଇଭ୍ ବ୍ୟୁରୋ

ତାଇୱାନରେ ଗତ ୬ ମାସରୁ ଅଧିକ ସମୟ ହେଲା କରୋନାର କୌଣସି ଲୋକାଲ୍ କେସ୍ ଚିହ୍ନଟ ହୋଇନି।

ସାରା ବିଶ୍ୱ ଏବେ ମହାମାରୀ କରୋନା ଭାଇରସକୁ ଚିନ୍ତାରେ। ପ୍ରତିଦିନ ଏହି ଭାଇରସ୍ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରୁଥିବାବେଳେ ଅନେକଙ୍କ ଜୀବନ ମଧ୍ୟ ନେଇସାରିଲାଣି। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରୁ ଗତ ୬ ମାସରୁ ଅଧିକ ସମୟ ଧରି ଗୋଟିଏ ବି ହେଲେ କରୋନାର ଲୋକାଲ୍ କେସ୍ ଚିହ୍ନଟ ହୋଇନାହିଁ। ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏହା ସତ।

ଏହି ଦେଶର ନାଁ ହେଉଛି ତାଇୱାନ୍। ବିଶ୍ୱ ମାନଚିତ୍ରରେ ଚୀନର ଅତି ନିକଟରେ ଥିବା ଏହି ଦେଶ କରୋନା ଭାଇରସକୁ ହରାଇବାରେ ସଫଳ ହୋଇଛି। ଗତ ୨୦୦ ଦିନ ଧରି ଏହି ଦେଶରେ ଗୋଟିଏ ବି ହେଲେ ସ୍ଥାନୀୟ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଗତ ଏପ୍ରିଲ୍ ୧୨ ତାରିଖରେ ଏଠାରୁ ଶେଷ ଲୋକାଲ୍ କେସ୍ ଚିହ୍ନଟ ହୋଇଥିଲା। ଏହା ପରଠାରୁ ଏହି ଦେଶରୁ ଆଉ କୌଣସି ଲୋକାଲ୍ ରୋଗୀ ଚିହ୍ନଟ ହୋଇନାହାନ୍ତି।

ତାଇୱାନର ମୋଟ ଜନସଂଖ୍ୟା ୨ କୋଟି ୩୦ ଲକ୍ଷ। ହେଲେ ସେଠାରୁ ଏବେ ସୁଦ୍ଧା ମାତ୍ର ୫୫୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ସେଠାରେ ମାତ୍ର ୭ ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ରିପୋର୍ଟ ରହିଛି। କରୋନା ସଂକ୍ରମଣ ଆରମ୍ଭ ହେଉଥିବା ସମୟରେ ସେଠାରେ ଆଗୁଆ ସୀମା ବନ୍ଦ ଓ ଘରୋଇ ଯାତାୟାତ ବନ୍ଦ କରାଯାଇଥିବାରୁ କରୋନା ସଂକ୍ରମଣକୁ ରୋକାଯାଇପାରିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏଥିସହ ତାଇୱାନରେ କରୋନା ରୋଗୀ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂକୁ ମଧ୍ୟ ଜୋରଦାର୍ କରାଯାଉଥିଲା। ଲୋକମାନେ କ୍ୱାରେଣ୍ଟାଇନ୍ ନିୟମ କଡ଼ାକଡ଼ି ଭାବେ ପାଳନ କରୁଥିବାବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ କାରଣରୁ ସେଠାରେ କରୋନା ମହାମାରୀର ପ୍ରକୋପକୁ ରୋକାଯାଇପାରିଛି।

Comment