ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଜାଣିବା ପାଇଁ ଆକ୍ସନଏଡ୍ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି, ସେଥିରେ ତଳସ୍ତରର ଶ୍ରମିକଙ୍କ ସ୍ଥିତି ଅତି ଖରାପ ଥିବା ଜଣାପଡ଼ିଛି। ଜୀବନ ଜୀବିକା ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି।
କୋଭିଡ୍-୧୯ର ବିସ୍ଫୋରଣ ଏକ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ପ୍ରତି ସତର୍କ କରିଦେଇଛି। ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ମଧ୍ୟ ହୋଇସାରିଛି। ଲକ୍ଡାଉନ ଜାରି ହେବା ଦ୍ୱାରା ଏହା ଜୀବନ ଜୀବିକାକୁ ବହୁ ଭାବରେ ପ୍ରଭାବିତ କରିଛି, ବିଶେଷ କରି ସମାଜର ଦୁର୍ବଳ ଶ୍ରେଣୀ ଓ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଧ୍ୟହୋଇ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର, ମହିଳା ଓ ଶିଶୁଙ୍କ ସମେତ ନିଜ ଗାଁକୁ ଫେରିବା ପାଇଁ ପାଦଚଲା ବାଟ ଧରିଲେ।
ରୋଜଗାର ହରେଇବା, ଖାଦ୍ୟ, ଆଶ୍ରୟ ଓ ଅନ୍ୟ ସାମାଜିକ ଆବଶ୍ୟକତାର ଅଭାବ ଯୋଗୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଲେ। ସେହି ଫସିରହିଥିବା ଲୋକମାନଙ୍କ ସ୍ଥିତି ଜାଣିବା ପାଇଁ ୨୦୨୦ ମେ’ରେ ଅନ୍ୟ ସହଯୋଗୀ ସଙ୍ଗଠନ ଓ ସଂଯୋଜକଙ୍କ ସାହାଯ୍ୟରେ ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ୨୦ଟି ଜିଲାରେ ପ୍ରଥମ ଦଫା ସର୍ଭେ କରିଥିଲା। ବ୍ୟାପକ ପ୍ରସାର ପାଇଁ ଆଞ୍ଚଳିକ ଭାଷାରେ ଏହାର ରାଜ୍ୟ ରିପୋର୍ଟ ଶନିବାର ପ୍ରକାଶ ପାଇଛି।
ବିଭିନ୍ନ ଜିଲାର ଅଂଶୀଦାର, ଫେରନ୍ତା ପ୍ରବାସୀ ଶ୍ରମିକ, ଗୋଲକ ବିହାରୀ ନାଥ, ସୁଦର୍ଶନ ଛୋଟରାୟ, ବସନ୍ତ ପାତ୍ର, ରାଖୀ ଘୋଷଙ୍କ ଭଳି ବିଶେଷଜ୍ଞ ଉପସ୍ଥିତ ରହିବା ସହ ପ୍ରବାସୀ ଶ୍ରମିକଙ୍କ ଉନ୍ନତି ସପକ୍ଷରେ ନିଜର ମତାମତ ଓ ପ୍ରସ୍ତାବ ଆଗତ କରିଥିଲେ। ଆକ୍ସନଏଡ୍ର ରାଷ୍ଟ୍ରୀୟ ପରିଚାଳକ ଘାସିରାମ ପଣ୍ଡା ସଭା ପରିଚାଳନା କରିଥିଲେ।
ଆକ୍ସନଏଡ୍ର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଏହି ପରିପ୍ରେକ୍ଷୀରେ କହିଥିଲେ ଯେ, ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଜାଣିବା ପାଇଁ ଆକ୍ସନଏଡ୍ ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘକାଳୀନ ସର୍ଭେ କରିଥିଲା ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା କରିଥିଲା। ଏହି ପ୍ରକ୍ରିୟାରେ ସର୍ଭେର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୦୨୦ରେ ଶେଷ ହୋଇଛି। ରୋଜଗାର ହରାଇବାର ସ୍ଥିତି ଓ ଲକ୍ଡାଉନ ପର୍ଯ୍ୟାୟରେ ଲୋକେ ଘରକୁ ଫେରିବା ବେଳର ଅସୁବିଧା ଆମେ ଅନୁଧ୍ୟାନ କଲୁ। ବର୍ତ୍ତମାନ ଆମେ ଓଲଟା ସ୍ଥାନାନ୍ତରଣକୁ ମଧ୍ୟ ଦେଖୁଛୁ ଯେଉଁଠାରେ ଚାକିରି ସନ୍ଧାନରେ ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଜରୁରିକାଳୀନ ସମୟରେ ବନ୍ୟା ଓ ବାତ୍ୟା ପରିସ୍ଥିତି ପରି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ଅବସ୍ଥା ବିଗିଡ଼ି ଯାଇଥିଲା। ଏନ୍ଏଚ୍ଆର୍ସିର ବିଶେଷଜ୍ଞ କମିଟି ନିକଟରେ ଆମ ଅନୁସନ୍ଧାନଗୁଡ଼ିକୁ ଉପସ୍ଥାପନ କରିଥିଲୁ, ଯେଉଁଠାରେ କୋଭିଡ୍ ସମୟର ମାନବିକତା ଉଲ୍ଲଂଘନ ପ୍ରସଙ୍ଗର ସେମାନେ ସମୀକ୍ଷା କରିଥିଲେ। ଆମେ ମଧ୍ୟ ଏହି ଅନୁସନ୍ଧାନ ଏବଂ ସୁପାରିସଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟକୁ ଦେଇଛୁ। ଆମେ ଏହାକୁ ଓଡ଼ିଶାର ୧୧ଟି ଜିଲାର ମାଜିଷ୍ଟ୍ରେଟ୍ଙ୍କୁ ପଠାଇବା ସହ ପ୍ରବାସୀ ଶ୍ରମିକ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଆମର ସହାୟତାର ହାତ ବଢ଼ାଇଛୁ।
ଏହା ଦେଖାଯାଇଛି ଯେ ୭୦ ପ୍ରତିଶତ ପ୍ରବାସୀ ଶ୍ରମିକ ଜୀବିକା ହରାଇଛନ୍ତି। ଏହି ସମୟରେ ୪୩ ପ୍ରତିଶତ ମାସାଧିକ କାଳ ଫସି ରହିଥିଲେ। ୪୫ ପ୍ରତିଶତ ଲୋକ ନିଜ ରହୁଥିବା ଘର ଖାଲି କରିବାକୁ ବାଧ୍ୟ ହୋଇଛନ୍ତି। ୬୭ ପ୍ରତିଶତ ସେମାନଙ୍କର ଖାଦ୍ୟ ଆବଶ୍ୟକତା କମାଇଛନ୍ତି। ୫୮ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ନିଜର ସଂଚୟକୁ ବ୍ୟବହାର କରି ଚଳୁଛନ୍ତି, ଯେହେତକୁ ସେମାନଙ୍କ ପାଖରେ କୌରସି ଜୀବନ ଜୀବିକା ସୁଯୋଗ ନାହିଁ। ୪୫ ଶତକଡ଼ା ସେମାନଙ୍କର ଆବଶ୍ୟକତା ପାଇବାକୁ ସକ୍ଷମ ନୁହଁନ୍ତି ଓ ୪୮ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି। ଆକ୍ସନଏଡ୍ର ଲୋପାମୁଦ୍ରା ଓ ବିଏନ୍ ଦୁର୍ଗା ସର୍ଭେ ରିପୋର୍ଟର ଏହି ତଥ୍ୟ ଦେଇଛନ୍ତି।
ଅଂଶଗ୍ରହଣକାରୀ ଓ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରବାସୀ ଶ୍ରମିକ, ଘରୋଇ ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଲକ୍ଡାଉନ ପ୍ରକ୍ରିୟା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ଏବେ ମଧ୍ୟ ହେଉଛନ୍ତି। ସେମାନେ ପୋଲିସର ଅତ୍ୟାଚାର ଓ ରାସ୍ତାରେ ନିର୍ଯାତନା ସହ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ମଧ୍ୟ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ମହିଳା ଓ ଶିଶୁମାନେ ମଧ୍ୟ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ପାଇବାରେ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଶ୍ରମିକମାନେ ଉପଯୁକ୍ତ ଜୀବିକା ନିର୍ବାହ କରିବାକୁ ସକ୍ଷମ ହୋଇନାହାନ୍ତି। ସେମାନଙ୍କୁ ଉପଯୁକ୍ତ ଜୀବିକା ସୁନିଶ୍ଚିତ କରିବା ପାଇଁ ଆମକୁ ସହାୟତା ଦେବାକୁ ପଡ଼ିବ। ଘରୋଇ ଶ୍ରମିକଙ୍କ ଉପରେ କୌଣସି ଡାଟାବେସ୍ ନାହିଁ। ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ ହୋଇନାହିଁ।
ଗ୍ରାମପଞ୍ଚାୟତ ସ୍ତରରେ ପ୍ରବାସୀଙ୍କ ପଞ୍ଜୀକରଣ ଏପର୍ଯ୍ୟନ୍ତ ହୋଇପାରୁ ନାହିଁ। ରାଜ୍ୟରେ ଶ୍ରମକୈନ୍ଦ୍ରିକ ଗ୍ରାମ ପଞ୍ଚାୟତ ବିକାଶ କୌଣସିଠାରେ ନାହିଁ। ସୁନିଶ୍ଚିତ ନିଯୁକ୍ତି ଯୋଜନା ପାଇଁ ଆଗକୁ ଅନେକ କିଛି ଆସୁଛି। ଲୋକେ ସେମାନଙ୍କ ଅଧିକାର ପାଇଁ ସରକାର ନେଉଥିବା ପଦକ୍ଷେପ ବିଷୟରେ ଅବଗତ ନୁହନ୍ତି। କମ୍ ମଜୁରି, କୁଶଳୀ ଶ୍ରମିକଙ୍କ ପାଇଁ ସୁଯୋଗ ଅଭାବ, କମ୍ ଶ୍ରମ ଦିବସ ଲୋକଙ୍କୁ ଯୋଜନା ପ୍ରତି ବିମୁଖ କରୁଛି।
ସମାଜରେ ଗରିବ ଶ୍ରେଣୀର ହୋଇଥିବାରୁ ବିଧବା ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତି ସରକାରୀ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଶସ୍ତାରେ କାମ ହାସଲ ପାଇଁ ତଳସ୍ତରର ଏହି ଲୋକଙ୍କୁ ସବୁବେଳେ ଟାର୍ଗେଟ୍ କରାଯାଉଛି। ସେମାନଙ୍କୁ ନିଜ ସମ୍ପଦଠାରୁ ଦୂରେଇ ରଖାଯାଉଛି। ଏହି ରିପୋର୍ଟରେ ଆମେ ଅନୁଧ୍ୟାନ କରିଛୁ ଯେ ଏହାଦ୍ୱାରା ଆଦିବାସୀ, ଦଳିତ ଓ ପଛୁଆବର୍ଗ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।
ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ଏହି ରିପୋର୍ଟର ସୁପାରିସଗୁଡ଼ିକୁ ଗ୍ରହଣ କରିବା ଉଚିତ୍। ଉତ୍ତମ କାର୍ଯ୍ୟାନ୍ୱୟନ ପାଇଁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଟାସ୍କ ଫୋର୍ସକୁ ସ୍ଥାପନ କରାଯିବା ଜରୁରୀ। କାର୍ଯ୍ୟସ୍ଥଳରେ ସେମାନଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରି ପ୍ରବାସୀ ଶ୍ରମିକମାନଙ୍କର ପଞ୍ଜୀକରଣ ଜରୁରୀ।
‘କରୋନା ସମୟରେ ପ୍ରବାସୀ ଶ୍ରମିକ, ଓଡ଼ିଶାରୁ ଅନୁସନ୍ଧାନ ପର୍ଯ୍ୟାୟ ୧’ ଶୀର୍ଷକ ରିପୋର୍ଟ ଶେଷରେ ଉପସ୍ଥାପନ ହୋଇଥିଲା। ଆକ୍ସନଏଡ୍ର ମ୍ୟାନେଜର (ଏମ୍ ଆଣ୍ଡ ଇ) ଶୁଭେନ୍ଦୁ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।