ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦିନରେ ଦିଲ୍ଲୀରୁ ୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ମଙ୍ଗଳବାର ସେଠାରୁ ସର୍ବାଧିକ ୬,୭୨୫ ରୋଗୀ ଚିହ୍ନଟ ହେବା ସହିତ ଏହାକୁ କରୋନାର ତୃତୀୟ ଲହର ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କେଜରିୱାଲ କହିଛନ୍ତି ଯେ, ଗତ କିଛି ଦିନ ଧରି କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେପ୍ଟେମ୍ବରରେ ଏହି ସଂଖ୍ୟା କମ୍ ଥିଲା। ହେଲେ ଏବେ କରୋନାର ତୃତୀୟ ଲହର ଯୋଗୁଁ ଦିଲ୍ଲୀରେ ପ୍ରତିଦିନ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଏଥିସହ କରୋନାକୁ ନେଇ ଲୋକମାନ ଭୟଭୀତ ନହେବାକୁ କେଜରିୱାଲ ପରାମର୍ଶ ଦେଇଛନ୍ତି। ସରକାର ଲୋକମାନଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଉଛି ବୋଲି ସେ କହିଛନ୍ତି। ଏଥିସହ ହସ୍ପିଟାଲରେ ଆଇସିୟୁ ବେଡର ଅଭାବ ଥିବାକୁ ନେଇ ମଧ୍ୟ କେଜରିୱାଲ ନିଜର ମତ ରଖିଛନ୍ତି। କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ବେଡର ଅଭାବ ନାହିଁ। ତେବେ କେତେକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସହ ଆଇସିୟୁ ବେଡର ଅଭାବ ଥିବା କେଜରିୱାଲ ସ୍ୱୀକାର କରିଛନ୍ତି।

ଗତ କିଛି ଦିନ ଧରି ଦିଲ୍ଲୀରେ ଶୀତ ଆରମ୍ଭ ହୋଇଯାଇଛି। ଏଥିସହ ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ମଧ୍ୟ ବଢ଼ିଯାଇଛି। ଯେଉଁ କାରଣରୁ ଦିଲ୍ଲୀରେ କିଛି ଦିନ ଧରି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Comment