ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ହ୍ୱାଟ୍ସଆପରେ ମଧ୍ୟ ପଠାଇହେବ ଟଙ୍କା। ଭାରତରେ ୟୁପିଆଇ ଜରିଆରେ ଟଙ୍କା ଟ୍ରାନ୍ସଫର କରିବାକୁ ହ୍ୱାଟ୍ସଆପ କମ୍ପାନିକୁ ଅନୁମତି ମିଳିଯାଇଛି। ତେଣୁ ଖୁବଶୀଘ୍ର ଲୋକମାନେ ସେମାନଙ୍କର ହ୍ୱାଟ୍ସଆପ ଆକାଉଣ୍ଟରୁ ଟଙ୍କା ଦେଣନେଣ କରିପାରିବେ।

ଭାରତରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି। ତେଣୁ ଏହି ସୁବିଧା ଦ୍ୱାରା କୋଟି କୋଟି ଲୋକମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ହ୍ୱାଟ୍ସଆପରେ ମେସେଜ ପଠାଇବା ଯେତିକି ସହଜ, ଟଙ୍କା ପଠାଇବା ମଧ୍ୟ ସେତିକି ସହଜ ହେବ ବୋଲି କୁହାଯାଇଛି।

ଗତ ଦୁଇ ବର୍ଷ ହେଲା ହ୍ୱାଟ୍ସଆପ୍ ପେ ଭାରତରେ ନିଜର ଟେଷ୍ଟିଂ ଜାରି ରଖିଛି। ହେଲେ ଏହାକୁ ବିଧିବଦ୍ଧ ଭାବେ ଟଙ୍କା ଟ୍ରାନ୍ସଫର କରିବାକୁ ଅନୁମତି ମିଳିନଥିଲା। ବର୍ତ୍ତମାନ ଅନୁମତି ମିଳିବା ପରେ ଏହି ସୁବିଧା ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ ବୋଲି କୁହାଯାଇଛି।

କେମିତି କରିବେ ହ୍ୱାଟ୍ସଆପରେ ଟଙ୍କା ଦେଣନେଣ?

ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପ ଚାଟକୁ ଯାଆନ୍ତୁ। ଡାହାଣ ପାର୍ଶ୍ୱର ଉପରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। ସେଠାରେ ଆପଣଙ୍କୁ ପେମେଣ୍ଟ ଅପସନ ଦେଖିବାକୁ ମିଳିବ। ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ବିଭିନ୍ନ ବ୍ୟାଙ୍କର ଅପସନ ଦେଖିବାକୁ ମିଳିବ। ସେଠାରେ ବ୍ୟାଙ୍କକୁ ବାଛିବା ପରେ ଆପଣଙ୍କ ମୋବାଇଲ୍ ନମ୍ବର ଭେରିଫିକେସନ କରିବାକୁ ପଡ଼ିବ।

ମୋବାଇଲ୍ ନମ୍ବର ଭେରିଫିକେସନ ହେବା ପରେ ଆପଣଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ ସହ ଯୋଡ଼ିବାକୁ ପଡ଼ିବ। ହ୍ୱାଟ୍ସଆପରେ ପେମେଣ୍ଟ ଅପସନ୍ ଆରମ୍ଭ ହେବାପରେ ଆପଣ ଏହା ସାହାଯ୍ୟରେ ଟଙ୍କା ଦେଣନେଣ କରିପାରିବେ। ତେବେ ଖୁବଶୀଘ୍ର ହ୍ୱାଟ୍ସଆପରେ ଏହି ସୁବିଧା ଉପଲବ୍ଧ ହେବ।

Comment