ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲାଲୁଙ୍କ ଲଲାକୁ ଏକକ ସଂଖ୍ୟା ଗରିଷ୍ଠତା
  • ଜେଡିୟୁ ବିଜେପି ପାଇଁ ବୋଝ

ଭୋଟ ଶେଷ, ଗଣତି ବାକି। ହେଲେ ତା ପୂର୍ବରୁ ବୁଥ ବାହୁଡ଼ା ମତକୁ ନେଇ ଏବେ ବିହାରରେ ଜୋର ଧରିଲା ଚର୍ଚ୍ଚା। କାହା ହାତକୁ ଯିବ ବିହାର, ନୀତିଶ କୁମାର ନା ତେଜସ୍ଵୀ ଯାଦବ ? ଶେଷ ପର୍ଯ୍ୟାୟ ଭୋଟ ପରେ ଲାଲୁଙ୍କ ଲଲା ତେଜସ୍ଵୀଙ୍କ ତେଜ ଅନୁଭବ ହୋଇଛି। କାହାକୁ ସ୍ପଷ୍ଟ ବହୁମତ ମିଳିନାହିଁ। ତଥାପି ତେଜସ୍ଵୀଙ୍କ ମହାମେଣ୍ଟକୁ ସରକାର ଗଢ଼ିବାର ସୁଯୋଗ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନଡିଏ ଅଳ୍ପକେ ଦ୍ଵିତୀୟ ସ୍ଥାନକୁ ଖସୁଥିବାର ଦେଖିବାକୁ ମିଳିଛି। କେତେକ ଜାତୀୟ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ସର୍ଭେରୁ ଏପରି ଅନୁମାନ କରାଯାଉଛି।

ଟାଇମ୍ସ ନାଓ ସିଭୋଟର ସର୍ଭେ ଅନୁସାରେ ଏନଡିଏକୁ ୧୧୬, ମହାଗଠବନ୍ଧନକୁ ୧୨୦, ଏଲଜେପିକୁ ଗୋଟିଏ ଓ ଅନ୍ୟଦଳ ୬ଟି ଆସନ ଅକ୍ତିୟାର କରିବେ। ସେହିପରି ରିପବ୍ଲିକ ଜନକି ବାତ୍ ସର୍ଭେ ଅନୁସାରେ ଏନଡିଏକୁ ୯୧ରୁ ୧୧୮ ଓ ମହାଗଠବନ୍ଧନକୁ ୧୧୮ରୁ ୧୩୮ ଆସନ ମିଳୁଛି। ଏଲଜେପିକୁ ୫ରୁ ୮ ଓ ଅନ୍ୟ ଦଳକୁ ୩ରୁ ୬ଟି ଆସନ ମିଳୁଛି।

ଏବିପି-ସିଭୋଟର ସର୍ଭେ ଅନୁସାରେ ଏନଡିଏକୁ ୧୦୪ରୁ ୧୨୮ ଓ ମହାଗଠବନ୍ଧନକୁ ୧୦୮ରୁ ୧୩୧ ଓ ଅନ୍ୟଦଳଗୁଡ଼ିକୁ ୪ରୁ ୧୮ ଆସନ ମିଳିବା ଦାବି କରାଯାଇଛି। ରିପବ୍ଲିକ ଟିଭିର ସର୍ଭେ ଅନୁସାରେ ଏନଡିଏକୁ ୯୧ରୁ ୧୧୭ ଆସନ ମିଳୁଥିବା ବେଳେ ବିଜେପି ୬୦ରୁ ୭୫ଟି ଆସନ ଜିତିପାରେ। ସହଯୋଗୀ ଜେଡିୟୁକୁ ୩୧ରୁ ୪୨ଟି ଆସନ ମିଳିପାରେ। ବିଜେପି ଭଲ କରୁଥିଲେ ମଧ୍ୟ ନୀତିଶଙ୍କ ଜେଡିୟୁ ଶୋଚନୀୟ ପ୍ରଦର୍ଶନ କରୁଛି।

ମହଗଠବନ୍ଧନରେ ଆରଜେଡି ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବା ସହ ୯୧ ପର୍ଯ୍ୟନ୍ତ ଆସନ ଜିତିବାର ସମ୍ଭାବନା ରହିଛି। ମହାଗଠବନ୍ଧନର ସହଯୋଗୀ କଂଗ୍ରେସ ୨୪ରୁ ୩୦ ଆସନ ଜିତୁଛି। ଅନ୍ୟତମ ସହଯୋଗୀ ୧୨ରୁ ୧୪ ଓ ସିପିଏମ୍ ୨ଟି ଆସନ ଜିତିବାର ସମ୍ଭାବନା ରହିଛି। ଏକଜିଟ୍ ପୋଲ ଫଳାଫଳ ଅନୁସାରେ ବିଜେପି ଉପରେ ଜେଡିୟୁ ବୋଝ ପ୍ରମାଣିତ ହେଉଛି।

Comment