ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ଏକଜିଟ୍‌ ପୋଲ୍‌ ଆକଳନ ସତ ହେଲାନି। ଏଠାରେ ପୁଣିଥରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଭୋଟ୍ ଗଣନାରେ ୨୪୩ଟି ଆସନରୁ ଏନଡିଏ ୧୨୫ ଟି ସିଟ୍ ପାଇଥିବା ଦାବି କରିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ନିର୍ବାଚନରେ ବସୁଠୁ ଅଧିକ ଚର୍ଚ୍ଚାରେ ଥିବା ୫ ଚେହେରାଙ୍କୁ ହାର୍‌ ସହିବାକୁ ପଡ଼ିଛି।

ପୁଷ୍ପମ୍ ପ୍ରିୟା ଚୌଧୁରୀ

ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିବା ପ୍ଲୁରାଲ୍ସ ପାର୍ଟିର ପୁଷ୍ପମ ଦୁଇଟି ସିଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ଉଭୟ ବାଙ୍କିପୁର, ବିସ୍‌ଫି ଆସନରେ ସେ ହାରି ଯାଇଛନ୍ତି। ବିସଫିରେ ପୁଷ୍ପମ ପ୍ରିୟା ମାତ୍ର ୧୫୦୯ ଭୋଟ୍ ପାଇଥିଲାବେଳେ ବାଙ୍କିପୁରରେ ତାଙ୍କୁ ୫୧୮୯ ଭୋଟ ମିଳିଛି।

ଲଭ୍‌ ସିହ୍ନା

କଂଗ୍ରେସ ନେତା ତଥା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ବାଙ୍କିପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୩୯ ହଜାର ୩୬ ଭୋଟରେ ହାରିଯାଇଛନ୍ତି। ବାଙ୍କିପୁର ଆସନରୁ ବିଜେପିର ନିତିନ ନବୀନ ବିଜୟ ହୋଇଛନ୍ତି। ​​ନିତିନ ନବୀନଙ୍କୁ ୮୩୦୬୮ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଲଭ୍‌ ସିହ୍ନା ୪୪୦୩୨ ଭୋଟ୍ ପାଇଛନ୍ତି।

ପପୁ ଯାଦବ

ପ୍ରାଉଟିଷ୍ଟ ସର୍ବ ସମାଜ ପ୍ରାର୍ଥୀ ପପ୍ପୁ ଯାଦବ ମେଧାପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏହି ଆସନରୁ ଆରଜେଡିର ଚନ୍ଦ୍ରଶେଖର ବିଜୟ ହାସଲ କରିଛନ୍ତି।

ଲଭଲି ଆନନ୍ଦ

ଲଭଲି ଆନନ୍ଦ ମଧ୍ୟ ନିର୍ବାଚନରେ ​​ହାରିଛନ୍ତି। ବିଜେପିର ଆଲୋକ ରଂଜନ ସହରସା ଆସନରୁ ୧,୦୩,୫୩୮ ଭୋଟ୍ ପାଇଥିବାବେଳେ ଲଭଲି ଆନନ୍ଦ ସପକ୍ଷରେ ୮୩,୮୫୯ ଭୋଟ୍ ପାଇଛନ୍ତି। ପ୍ରଚାର ସମୟରେ କିନ୍ତୁ ଲଭଲି ଆନନ୍ଦଙ୍କର ବେଶ୍‌ କ୍ରେଜ ରହିଥିଲା।

ସୁଭାଷିନି ବୁନ୍ଦେଲା

ଶରଦ ଯାଦବଙ୍କ ଝିଅ ସୁଭାଷିନୀ ବୁନ୍ଦେଲା ମଧ୍ୟ ନିର୍ବାଚନରେ ​​ହାରିଛନ୍ତି। ନିର୍ବାଚନ ପୂର୍ବରୁ ସୁଭାଷିନୀ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପରେ କଂଗ୍ରେସ ତାଙ୍କୁ ବିହାରୀଗଞ୍ଜ ଆସନରୁ ଟିକେଟ ଦେଇଥିଲା। ତେବେ ସେ ଜେଡିୟୁ ପ୍ରାର୍ଥୀ ନିରଂଜନ କୁମାର ମେହେଟ୍ଟାଙ୍କଠାରୁ ହାରି ଯାଇଛନ୍ତି।

Comment