ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନରେ ମହିଳାଙ୍କୁ ମିଳୁଛି ସୁରକ୍ଷା। ବୟସ୍କ ଓ ଏକୁଟିଆ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ସମ୍ପର୍କରେ ବୁଝୁଛନ୍ତି ରେଳ କର୍ମଚାରୀ। ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଭାରତୀୟ ରେଳବାଇ ଏକ ନୂଆ ଅଭିଯାନ କରିଛି। ଏହି ଅଭିଯାନର ନାଁ ହେଉଛି ‘ମେରି ସହେଲି’। ତେବେ କ’ଣ ଏହି ଅଭିଯାନ ଓ ମହିଳାମାନେ କିପରି ଏହାଦ୍ୱାରା ଉପକୃତ ହେବେ ଆସନ୍ତୁ ଜାଣିବା।

ଏହି ଅଭିଯାନରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ମହିଳାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହାପରେ ସେମାନଙ୍କୁ ଟ୍ରେନରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପଚରାଯିବ। ଯେଉଁ ଯାତ୍ରୀମାନେ ଏକୁଟିଆ ଯାତ୍ରା କରୁଥିବେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ସମ୍ପର୍କରେ ପରବର୍ତ୍ତୀ ଷ୍ଟେସନଗୁଡ଼ିକୁ ଜଣାଇ ଦିଆଯିବ। ଏଥିସହିତ ବୟସ୍କ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ଏବଂ ମହିଳାମାନେ କିପରି ସୁରକ୍ଷିତ ଯାତ୍ରା କରିବେ ସେନେଇ ସଚେତନ କରାଯିବ। ଏଥିପାଇଁ ରେଳବାଇର ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।  ଏହି ଟିମ୍‌ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଉପରେ ନଜର ରଖିବେ।

ଏହାସହ ଏକ ୧୮୨ ଏକ ହେଲ୍‌ଫ ଲାଇନ ନମ୍ବର ମଧ୍ୟ ମହିଳାଙ୍କ ପାଇଁ ଜାରି କରାଯାଇଛି। ମହିଳାମାନେ ଯଦି କେଉଠିଁ ନିଜକୁ ଅସୁରକ୍ଷିତ ମନେ କରନ୍ତି ତେବେ ତୁରନ୍ତ ଏହି ନମ୍ବରରେ ଫୋନ୍‌ କରି ଜଣାଇପାରିବେ। ଏହାଦ୍ୱାରା ମହିଳାମାନେ ଯାତ୍ରା କରିବା ସମୟରେ ନିଜକୁ ଆଉ ଏକୁଟିଆ ଅନୁଭବ କରିବେ ନାହିଁ। ଯେକୌଣସି ସମସ୍ୟା ହେଲେ ସେମାନେ ଲଢ଼ିବାର ସାହସ ପାଇପାରିବେ।

ପ୍ରଥମେ ସାଉଥ ସେଣ୍ଟ୍ରାଲ ରେଲଓ୍ୱ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିଥିଲା। ଏବେ ଅନ୍ୟ ଡିଭିଜନ ମଧ୍ୟ ଏହି ଅଭିଯାନକୁ ଆରମ୍ଭ କରିସାରିଲେଣି। ଗତ ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଅନେକ ପ୍ରଶଂସା କରିଛନ୍ତି।

ରେଳବାଇର ମହିଳା କର୍ମଚାର ମଧ୍ୟ ଯଦି ଏ ସମୟରେ କିଛି ସମସ୍ୟାର ସାମ୍ନା କରନ୍ତି ତେବେ ଷ୍ଟେସନର ବରିଷ୍ଠ ଅଧିକାରୀ ତୁରନ୍ତ ଏଥିପାଇଁ ସମାଧାନର ବାଟ ଖୋଜିବେ।

ଅନେକ ସମୟରେ ଟ୍ରେନରେ ଯାତ୍ରା ସମୟରେ ମହିଳାମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏକୁଟିଆ ଦେଖି କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ହଇରାଣ କରିଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ‘ମେରି ସହେଲି’ ନାଁରେ ଅଭିଯାନ ଆରମ୍ଭ କରାଯାଇଛି। ଯାହାଦ୍ୱାରା ମହିଳାମାନେ ଏଣିକି ସୁରକ୍ଷିତ ଯାତ୍ରା କରିପାରିବେ।

LEAVE A REPLY

Please enter your comment!
Please enter your name here