ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ରେଳ ଦୁର୍ଘଟଣା ନେଇ ବାଲେଶ୍ୱର ଜିଆରପି ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ଏହି ଘଟଣାରେ ଜିଆରପି ଥାନା ଏସଆଇ ପପୁ ନାୟକଙ୍କ ଏତଲାକୁ ଆଧାର କରି ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିଛି। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ କୁହାଯାଇଛି।

ବାହାନଗା ଟ୍ରାଜେଡିରେ ଜିଆରପି ପୋଲିସ ପକ୍ଷରୁ ଆଇପିସିର ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ କରାଯାଇଛି। ଭାରତୀୟ ରେଳବାଇ ନିୟମର ଧାରା ୧୫୩, ୧୫୪ ଓ ୧୭୫କୁ ଆଧାର କରି ମଧ୍ୟ ମାମଲା ରୁଜୁ ହୋଇଛି।

ମାମଲା ରୁଜୁ ହେବାପରେ ବାଲେଶ୍ଵର ଜିଆରପି ଡିଏସପି ରଞ୍ଜିତ ନାୟକଙ୍କୁ ଏହାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ଆଗକୁ ଜିଆରପି ପକ୍ଷରୁ ମଧ୍ୟ ବାହାନଗା ଦୁର୍ଘଟଣାର ଯାଞ୍ଚ କରାଯିବ।

ବାହାନଗା ରେଳ ଦୁର୍ଘଟଣା କ୍ଷେତ୍ର ବାଲେଶ୍ଵର ଜିଆରପି ଥାନା ଅଧିନରେ ଆସୁଥିବାରୁ ଦୁର୍ଘଟଣା ପରେ ଥାନା ଏସଆଇ ପପୁ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାରି ଆଧାରରେ ସେ ଥାନାରେ ଏତଲା ଦେଇଥିଲେ।

ଅନ୍ୟପଟେ ଏବେ ରେଲୱେ ସେଫ୍ଟି କମିଶନର ବାହାନଗା ରେଳ ଦୁର୍ଘଟଣାର ଯାଞ୍ଚ ଜାରି ରଖିଥିବାବେଳେ ଆଗକୁ ସିବିଆଇ ମଧ୍ୟ ଏହି ଘଟଣାର ତଦନ୍ତ କରିବ।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

Comment