ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ରେଳ ଦୁର୍ଘଟଣା ସିଗନାଲିଂ ତ୍ରୁଟି ଯୋଗୁଁ ହୋଇଥିଲା। ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ ହୋଇଯାଇଥିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା। ଯାହାଫଳରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ୍ ଲାଇନରେ ଯାଇ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହିତ ଧକ୍କା ଖାଇଥିଲା। ଏନେଇ ରେଳ ସୁରକ୍ଷା କମିଶନର ରେଳ ବୋର୍ଡକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟ ଅନୁସାରେ ବାହାନଗା ରେଳ ଷ୍ଟେସନରେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି। ସିଗନାଲିଂ ସିଷ୍ଟମକୁ ଉନ୍ନତ କରିବା ପାଇଁ ଷ୍ଟେସନରେ ଅନୁମୋଦିତ ସର୍କିଟ ଡାଏଗ୍ରାମ ଯୋଗାଣ ହୋଇ ନ ଥିଲା। ତେବେ ଏଥିପ୍ରତି ରେଳ କର୍ମଚାରୀମାନେ ଗୁରୁତ୍ତ୍ଵ ଦେଇ ନଥିଲେ। ଏଥିଲାଗି ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା। ରିପୋର୍ଟରେ ବାହାନଗା ଷ୍ଟେସନ୍ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଛି।

ସେହିପରି ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା। ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲେ ମଧ୍ୟ ଏହା ବିଫଳ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ନିଜ କାର୍ଯ୍ୟରେ ଅବହେଳା କରିଥିଲେ।

ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟରେ କରମଣ୍ଡଳ ଏକ୍ସପ୍ରେସର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି। କେବଳ ସିଗାନଲ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଟ୍ରାକରେ କିଛି ତ୍ରୁଟି ନ ଥିଲା ବୋଲି କୁହାଯାଇଛି।

ଅନ୍ୟପଟେ ରେଳ ସୁରକ୍ଷା କମିଶନର ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି। ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ। ଏଥିପାଇଁ ଆଗକୁ ଦେଶରେ ସିଗନାଲିଂ ସିଷ୍ଟମର ଆଧୁନିକୀକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ରିପୋର୍ଟରେ କୁହାଯାଇଛି।

ଜୁନ ୨ ତାରିଖରେ ବାହନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। କଲିକତାର ଶାଲିମାର ଷ୍ଟେସନରୂ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା କି, କରମଣ୍ଡଳ ଏକପ୍ରେସର ବଗି ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ସହ ମାଡ଼ ହୋଇଥିଲା।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୨ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ଯାଏଁ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ହୋଇନାହିଁ।

Tags: #BahanagaTrainTragedy #TrainAccidentinOdisha #SignalFault #IndianRailways

 

Comment