ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଦିନ ଆସିଲେ ଜମିଥାଏ ପିକନିକର ମଜା। ଲୋକମାନେ ନିତିଦିନର ଜୀବନରୁ ବ୍ରେକ୍ ନେଇ ନୂଆ ଜାଗା ବୁଲିବାକୁ ବାହାରି ପଡ଼ିଥାନ୍ତି। ଯଦି ଆପଣ ସେଭଳି କିଛି ଚିନ୍ତା କରୁଥାନ୍ତି, ତେବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆପଣଙ୍କ ପାଇଁ ଠିକ୍ ହେବ।

ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏହା ହେଉଛି ଏକ ଜାତୀୟ ଉଦ୍ୟାନ। ଏଠାରେ ଆପଣ ମହାବଳ ବାଘଠାରୁ ଆରମ୍ଭ କରି ହରିଣ, ହାତୀ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ। ଏହାଛଡ଼ା ଶିମିଳିପାଳରେ ଗୟଳ, ଚଉଶିଙ୍ଗା ହରିଣ ମଧ୍ୟ ଅଛନ୍ତି।ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ ସାଙ୍ଗକୁ ଝରଣାର କୁଳୁକୁଳୁ ଶବ୍ଦ ଶିମିଳିପାଳକୁ ଅନ୍ୟ ସମସ୍ତ ପର୍ଯ୍ୟଟନ ସ୍ଥଳଠାରୁ ଅଲଗା କରିଥାଏ। ଏଠାରେ ଆପଣ ପ୍ରକୃତିକୁ ଅନୁଭବ କରିବା ସହିତ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଦେଖିବାକୁ ପାଇବେ।ଏହାବାଦ୍ ଶିମିଳିପାଳର ଖୈରିବୁରୁ, ମେଘାସନୀ ପର୍ବତ, ବରେହିପାଣି ଏବଂ ଯୋରନ୍ଦା ଜଳପ୍ରପାତ ପର୍ଯ୍ୟଟକଙ୍କ ମନ ମୋହିଥାଏ। ଏହାର ସୌନ୍ଦର୍ଯ୍ୟକୁ ଦେଖି ୨୦୦୯ ମସିହାରେ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ମଧ୍ୟ ପ୍ରଦାନ କରିସାରିଛି।କେମିତି ଯିବେ ଏବଂ କେତେ ବାଟ?

 

କରୋନା ପରିସ୍ଥିତି ପାଇଁ ଆପଣ ଏହି ସମୟରେ ବ୍ୟକ୍ତିଗତ ଗାଡ଼ି ନେଇ ଯିବା ସଠିକ୍ ହେବ। ତେବେ ଯଦି ଦୂରତା କଥା କହିବା, ତେବେ ଏହା ଭୁବନେଶ୍ୱର ବିମାନ ବନ୍ଦରଠାରୁ ମାତ୍ର ୨୭୦ କିଲୋମିଟର ଦୂରରେ ଅବସ୍ଥିତ।

ଏହାସହ ଶିମିଳିପାଳ ଅଭୟାରଣ୍ୟ ବାରିପଦା ଓ ବାଲେଶ୍ୱର ରେଳଷ୍ଟେସନଠୁ ୬୦ କିଲୋମିଟର ଦୂରରେ ଅବସ୍ଥିତ। ଯଦି ସଡ଼କ ପଥ କଥା କହିବା ତେବେ, ଆପଣ ଯଶିପୁର, ଲୂଲୂଙ୍ଗ,ପିଠାବଟା ପ୍ରବେଶ ପଥ ଦେଇ ଏହା ଭିତରକୁ ପ୍ରବେଶ କରିପାରିବେ।ନଭେମ୍ବର ୧ରୁ ଖୋଲିଛି ଶିମିଳିପାଳ

କୋଭିଡ୍ ପରିସ୍ଥିତି ପାଇଁ କିଛି ଦିନ ବନ୍ଦ ରହିବା ପରେ ନଭେମ୍ବର ପହିଲାରୁ ଖୋଲିଛି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ। ପର୍ଯ୍ୟଟକମାନେ କୋଭିଡ୍ କଟକଣାକୁ ମାନି ଏହାକୁ ବୁଲି ପାରିବେ ବୋଲି କୁହାଯାଇଛି। ସକାଳ ୬ଟାରୁ ଦିନ ପର୍ଯ୍ୟନ୍ତ ଏଥିପାଇଁ ଟିକେଟ୍ ବୁକିଂ କାଉଣ୍ଟର ଖୋଲାଯାଉଛି। ପ୍ରତିଦିନ ମାତ୍ର 35ଟି ଗାଡ଼ିକୁ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ଯିବାକୁ ଅନୁମତି ମିଳୁଛି। ଏଥିସହିତ ପର୍ଯ୍ୟଟକମାନେ www.ecotourodisha.comରେ ଆଗୁଆ ବୁକିଂ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଯାତ୍ରୀ ନିବାସରେ ରାତ୍ରିଯାପନ କରିପାରିବେ ବୋଲି ମଧ୍ୟ କୁହାଯାଇଛି।

Comment