ଓଡ଼ିଶାଲାଇଭ୍ ବ୍ୟୁରୋ

କୁଖ୍ୟାତ ବସ୍ ଲୁଟେରା ଜ୍ଞାନରଞ୍ଜନ ସାହୁ ପୁଣି ଏକ ବସ୍ ଚୋରି ଘଟଣାରେ ଚର୍ଚ୍ଚାକୁ ଆସିଛି।

କିଛିଦିନ ପୂର୍ବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍ ଚୋରିକରି କମିସନରେଟ ପୋଲିସକୁ ନାକେଦମ କରିଥିବା କୁଖ୍ୟାତ ବସ୍ ଲୁଟେରା ଦିବ୍ୟାଙ୍ଗ ଜ୍ଞାନରଞ୍ଜନ ସାହୁ ପୁଣି ଏକ ବସ୍ ଲୁଟ୍ କରି ଚର୍ଚ୍ଚାକୁ ଆସିଛି। ଶନିବାର ବରମୁଣ୍ଡା ଅଞ୍ଚଳର ଏକ ପେଟ୍ରୋଲ ପମ୍ପ୍ ନିକଟରୁ ଏକ ବସ୍‌କୁ ଚୋରେଇ ବ୍ରହ୍ମପୁରରେ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଛି ଜ୍ଞାନ।

ପୁରା ଘଟଣାଟି ହେଉଛି, ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କର ଦାସ‌ ଆଣ୍ଡ୍‌ ଦାସ (ଓଆର୍‌ ୦୨ଏଏଚ୍‌-୯୪୯୧) ନାମକ ଏକ ଯାତ୍ରୀବାହୀ ବସ୍‌ ରହିଛି। ବସ୍‌ଟି ପ୍ରତିଦିନ ବରମୁଣ୍ଡା ରୁଚିକା ମାର୍କେଟସ୍ଥିତ ଏକ ପେଟ୍ରୋଲ ପମ୍ପ୍‌ ବାହାରେ ପାର୍କିଂ କରାଯାଇଥାଏ। ପ୍ରତିଦିନ ଭଳି ଶୁକ୍ରବାର ଅପରାହ୍ଣରେ ବସ୍‌ ସେଠାରେ ପାର୍କିଂ କରାଯାଇଥିଲା। କିନ୍ତୁ ଶନିବାର ସକାଳେ ବସ୍‌ଟି ସେଠାରୁ ଗାୟବ ହୋଇଥିବା ଦେଥିବାକୁ ମିଳିଥିଲା।

ଏହାପରେ ବସ୍ ମାଲିକ କିଶୋର ଚନ୍ଦ୍ର ଦାସ ଖଣ୍ଡଗିରି ଥାନାରେ ବସ୍‌ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସକାଳେ ଏହି ନମ୍ବରର ବସ୍‌ଟି ବ୍ରହ୍ମପୁର ବଡ଼ ବଜାର ଥାନା ଫାଷ୍ଟଗେଟ୍‌ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଥିଲା।

ଲୁଟୋରାକୁ ଧରିବା ପାଇଁ ଖଣ୍ଡଗିରି ପୋଲିସ ବରମୁଣ୍ଡା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜରୁ ଜ୍ଞାନରଞ୍ଜନ ବସକୁ ଚୋରି କରି ନେଉଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଜ୍ଞାନକୁ ଧରିବା ପାଇଁ ପୋଲିସ ତଦନ୍ତ ଚଲାଇଥିବାସୂଚନା ମିଳିଛି।

ଦୁଇ ମାସ ପୂର୍ବେ ବରମୁଣ୍ତା ବସ୍ ଚୋରି ମାମଲାରେ ଜ୍ଞାନକୁ ପୋଲିସ ଗିରଫ କରିଥିଲା। ୧୫ ଦିନ ତଳେ ଜାମିନରେ ଆସିଥିଲା ଜ୍ଞାନ। ତେବେ ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୧୨ଟି ବସ୍ ଚୋରି ମାମଲାରେ ଜ୍ଞାନରଞ୍ଜନର ସଂପୃକ୍ତି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।  ନାକେଦମ ହୋଇଥିଲା ପୋଲିସ

ଅଗଷ୍ଟ ୨୧ରେ ବରମୁଣ୍ଡା ଭଳି ଏକ ଜନଗହଳି ବସ୍‌ଷ୍ଟାଣ୍ଡରୁ ବସ୍ ଚୋରି କରିଥିଲା ଜ୍ଞାନରଞ୍ଜନ। ବସ୍‌ର ଡ୍ରାଇଭର ଏବଂ ହେଲ୍‌ପର ଖାଇବାକୁ ଯାଇଥିବା ବେଳେ ସୁଯୋଗ ଦେଖି ବସ୍‌କୁ ଚୋରେଇ ନେଇଥିଲା ଜ୍ଞାନ। ବସ୍ ଚୋରି ହୋଇଥିବା ଜାଣିବା ପରେ ବସ୍ ମାଲିକ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସକୁ ଚକମା ଦେଇ ଜ୍ଞାନ ଦ୍ରୁତ ଗତିରେ ବସ୍‌ ଚଲାଇ କଟକ ଆଡ଼େ ଚାଲି ଯାଇଥିଲା।

ଏହାପରେ ମଞ୍ଚେଶ୍ଵର, ନଖରା, ଗୋପାଳପୁର, ମଧୁପାଟଣା ଛକମାନଙ୍କରେ ପୋଲିସ ବସ୍‌କୁ ଅଟକାଇଥିଲେ ମଧ୍ୟ ଜ୍ଞାନକୁ ଧରିବାରେ ଫେଲ୍ ମାରିଥିଲେ। ଏହାପରେ ବସ୍‌କୁ ଅଟକାଇବା ପାଇଁ ଚାଉଳିଆଗଞ୍ଜ ପୋଲିସ ଓଏମ୍‌ପି ଛକଠାରେ ରାସ୍ତା ଉପରେ ଏକ ଟ୍ରକ ରଖିଥିଲା। ବସ୍‌ଟି ଶେଷରେ ଟ୍ରକ୍‌ ସହ ପିଟିହୋଇ ଅଟକିଥିଲା।

ଏହାପରେ ପୋଲିସ ଜ୍ଞାନକୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଜ୍ଞାନ ଜଣେ ଦିବ୍ୟାଙ୍ଗ ଅଟେ। ତାର ମୁକ ଏବଂ ବଧିର ଜନିତ ଅସୁବିଧା ରହିଛି। ତେଣୁ ଏକ ଟେକ୍ନିକାଲ ଟିମ୍‌ ଦ୍ଵାରା ଜ୍ଞାନକୁ ପଚରା ଉଚରା କରାଯାଇଥିଲା। ସେ ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡ଼ିଥିଲା।

୧୨ଟି ବସ୍ ଚୋରିରେ ଜଡ଼ିତ ଜ୍ଞାନ

ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ଡଜନେ ବସ୍ ଚୋରି ମାମଲାରେ ଜ୍ଞାନର ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୮ ଜୁଲାଇ ୯ ତାରିଖରେ ବାଲେଶ୍ୱର ବସଷ୍ଟାଣ୍ଡରୁ ଏକ ବସ୍ ଚୋରି ହୋଇଥିଲା। ୨୦୧୯ ଏପ୍ରିଲ ୨ ତାରିଖରେ ପୁରୀ ବସଷ୍ଟାଣ୍ଡର ଏକ ବସ ଚୋରି ହୋଇଥିଲା। ଏଥିସହିତ ବାଦାମବାଡିରେ ଦୁଇଟି ବସ୍‌ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହିପରି ମୋଟ୍ ୧୨ଟି ଚୋରିରେ ଜ୍ଞାନ ଜଡ଼ିତ ରହିଥିଲା।

Comment