ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକାର୍ପିତ ହେଲା ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ। ଭୁବନେଶ୍ଵରସ୍ଥିତ ବରମୁଣ୍ଡାଠାରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଶୁକ୍ରବାର ଦିନ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ଯାତ୍ରୀମାନଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ। ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ସ୍ଥାନଠାରୁ ଆରମ୍ଭ କରି ଲିଫ୍ଟ, ଏସ୍କାଲେଟର, ଟିକେଟ କାଉଣ୍ଟର, ଏଟିଏମ, କୋରିୟର ସେବା, ପୋଲିସ ଆଉଟପୋଷ୍ଟ, ଫୁଡ କୋର୍ଟ, ଲଗେଜ ସ୍କାନର, କରିଡର, ଶୋଚାଳୟ ସହ ଭିନ୍ନକ୍ଷମମାନଙ୍କ ଲାଗି ସ୍ଵତନ୍ତ୍ର ସୁବିଧା କରାଯାଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟରୁ ଏଠାରେ ଆହାର ପ୍ଲସ କେନ୍ଦ୍ର କରାଯାଇଛି।

ଏହା ସହିତ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ମିଶନଶକ୍ତି କାଫେ, ଓରମାସ ଓ ମିଲେଟସ କାଫେ ମାଧ୍ୟମରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଏଠାରେ ଶିଶୁ ଯାତ୍ରୀମାନଙ୍କ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ପିଲାଙ୍କ ପାଇଁ ପ୍ଲେ ଏରିଆ ରହିଛି।

ବେସମେଣ୍ଟରେ ୧୧୫ଟି କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ଟି ବସ୍ ବେ ସହ ୨୦୦ଟି ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ରହିଛି। ସିଟିବସ୍ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରହିଛି। ଦୁଇ ଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ସ୍ଥାନର ବ୍ୟବସ୍ଥା ହୋଇଛି। ସ୍ଵତନ୍ତ୍ର ରାସ୍ତା ସହ ବସ୍ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ ଅଲଗା ଅଲଗା କରାଯାଇଛି।

Tags: #BabaSahebBhimraoAmbedkarBusTerminal #Bhubaneswar #CMNaveenPatnaik #Odisha

Comment