ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ମଠ, ମନ୍ଦିର ଏତେ ଶୀଘ୍ର ଖୋଲିବା ଦେଖାଯାଉ ନାହିଁ। ଶୀତ ଋତୁରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଥିବାରୁ ନିକଟ ଭବିଷ୍ୟତରେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାରୀ ମହଲରେ ଆଲୋଚନା ଚାଲିଛି।

‘‘ରାଜ୍ୟରେ ମନ୍ଦିର ଖୋଲିଲା ବୋଲି ଯେ ଏଠି ଆମେ ଖୋଲିବା ସେଭଳି କୌଣସି ଯୁକ୍ତି ନାହିଁ। ଯଦି ଆମେ ଅନ୍ୟ ରାଜ୍ୟ ସହ ଓଡ଼ିଶାକୁ ତୁଳନା କରିବା ଏଠାର ସଫଳତା ବିଷୟରେ ମଧ୍ୟ ଆମକୁ ତୁଳନା କରିବାକୁ ହେବ। ଆମର ସୁଚିନ୍ତିତ ପଦକ୍ଷେପ ଯୋଗୁଁ କରୋନାକୁ ଢ଼େର ମାତ୍ରାରେ ରୋକା ଯାଇପାରିଛି’’, କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ଶ୍ରଦ୍ଧାଳୁଙ୍କ ପାଇଁ ଦେବାଳୟ ସବୁ ଖୋଲିବା ପୂର୍ବରୁ ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମନ୍ଦିର ଖୋଲିବା ପାଇଁ ସରକାର ନିହାତି ଚାହୁଁଛନ୍ତି ଏବଂ ଏ ନେଇ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା ହୋଇଛି।

ଶୀତ ଅନୁଭୂତ ହେବା ପରେ ଦିଲ୍ଲୀରେ ଧାଇଁ ଧାଇଁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡିସେମ୍ବର ଓ ଜାନୁଆରି ମାସରେ ଓଡ଼ିଶାରେ ସଂକ୍ରମଣ ହାର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।ଏଣୁ ଏସବୁ ବିଷୟକୁ ଧ୍ୟାନରେ ରଖି ଯାହା ଗୋଟିଏ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନଲକ ୬.୦ରେ ମଠ ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲା ଯାଇପାରିବ କି ନା ସେହି ନିଷ୍ପତ୍ତି ନେବାକୁ  ଜିଲ୍ଲାପାଳ ଓ ମୁନିସିପାଲ କର୍ପୋରେସନ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି।

Comment