ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓଡ଼ିଶା (୩୪ )

ବ୍ୟଞ୍ଜନମାନଙ୍କର ବିସ୍ତାର କାହାଣୀ କହିଲା ପୂର୍ବରୁ ଓଡ଼ିଆ ଭାଷାରେ ବ୍ୟଞ୍ଜନର ବ୍ୟବହାର ଓ ପ୍ରୟୋଗ ବୁଝିବା ଆବଶ୍ୟକ। ଓଡ଼ିଆ ସଂସ୍କୃତି ହେଉଛି ତାନ୍ତ୍ରିକ ସଂସ୍କୃତି। ତନ୍ତ୍ର ସଂସ୍କୃତିର ମୂଳଭିତ୍ତି ହେଲା – ସଂସାରରେ ବଞ୍ଚି ରହିବା କିମ୍ବା ଦୁଃଖକଷ୍ଟକୁ ନିରାକରଣ କରିବାର ଉପାୟସିଦ୍ଧି ମଣିଷଠାରେ ହିଁ ଅଛି। ମଣିଷ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ଏବଂ ସୃଷ୍ଟିକୁ ଆୟତ୍ତ କରିବା ପାଇଁ ସମସ୍ତ ଶକ୍ତି ଓ କୌଶଳ ମଣିଷ ପାଖରେ ଅଛି ବୋଲି ବିଶ୍ଵାସ କରିବାକୁ ହେବ। କେବଳ ସାଧନା ଆବଶ୍ୟକ। ସାଧନା ଦୁଇ ପ୍ରକାରର – ଶାରୀରିକ ସାଧନା ଓ ମାନସିକ ସାଧନା। ବ୍ୟାୟାମ, ଯୋଗ ଓ ପ୍ରାଣାୟାମ ହେଲେ ସାଧନାର ବିଧି। ଏକନିଷ୍ଠତା ଏହାର ପ୍ରଧାନ ଉପକରଣ।

କାଳ ବୋଲିଣ ଭାବେ ଯେଉଁଣ ପୁରୁଷ ବିଚାର,

ଅକ୍ଷୟ ଅବ୍ୟୟ ଅବିକାର ଅଣାକାର।

ଷଡଚକ୍ର ପରେ ପୁଣି ତ୍ରିବେଣୀ ସଙ୍ଗମ,

ନାସିକା ଚକ୍ଷୁ ମଧ୍ୟରେ କର ହୋ ସନ୍ଧାନ।

ସେ କର୍ମ ପୁରୁଷକୁ ଭେଟିବ ବୁଦ୍ଧିବଳେ,

ଅଜପା ଲୟେ କରିଣ ବସିବ ନିଶ୍ଚଳେ।

(ଶାରଳା ଦାସ, ମହାଭାରତ, ବନପର୍ବ)

 ଏ’ ପ୍ରକାର ତନ୍ତ୍ର ବିଚାର ପଛରେ ଆଉ ଟିକିଏ ତତ୍ତ୍ଵ ଅଛି।  ସେ’ ତତ୍ତ୍ଵ ହେଲା ସୃଷ୍ଟିର ଭାବ ଓ ମନୁଷ୍ୟର ଭାବ ଭିତରେ ସଂପର୍କ। ଏଠାରେ ବିଚାର ହେଲା ସୃଷ୍ଟି ମଣିଷଠାରୁ ଅଲଗା ନୁହେଁ – ସୃଷ୍ଟିରେ ଯାହା ଅଛି ତା’ ମଣିଷଠାରେ ମଧ୍ୟ ଅଛି। ଏହି କାରଣରୁ ସାରା ସୃଷ୍ଟିକୁ ଆୟତ୍ତ କରିବାର ଶକ୍ତି ମଣିଷଠାରେ ଅଛି। ଏ’ କଥା ଟିକିଏ ଦୁରୂହ ଜଣା ପଡୁ ଥିଲେହେଁ ଏ’ ହେଲା ତନ୍ତ୍ର ବିଦ୍ୟାର ମୂଳଦୁଆ। ସୃଷ୍ଟିର ସବୁ ବସ୍ତୁ ମଣିଷ ଭିତରେ ପ୍ରତୀତ ନ ହେଉଥିଲେ ମଧ୍ୟ ସୃଷ୍ଟିର ସବୁ ଭାବ ମଣିଷ ଭିତରେ ଅଛି ବୋଲି ମତ।  ଏହା ଫଳରେ ମଣିଷର ଭାବ ହିଁ ସୃଷ୍ଟିର ଭାବ ବୋଲି ବୁଝିବାକୁ ହେବ।  ଏ’ ମତରେ ସୃଷ୍ଟିର ପ୍ରକୃତି ମଣିଷ ପରି। ସୃଷ୍ଟିର ପ୍ରତ୍ୟେକ ପଦାର୍ଥର କିଛି ଭାବ ଅଛି ଏବଂ ଏ’ ଭାବକୁ ଆମକୁ ଚିହ୍ନିବାକୁ ହେବ।  ଏ’ ଚିହ୍ନଟ ହେଲା ଯୋଗ।

ଏ’ ବିଦ୍ୟାରେ କେହି ପରମାତ୍ମା ନାହାଁନ୍ତି।  ଆପଣାର ଆତ୍ମା ହିଁ ପରମାତ୍ମା।  ପ୍ରତ୍ୟେକ ବସ୍ତୁ ପବିତ୍ର ଏବଂ ପ୍ରତ୍ୟେକ ବସ୍ତୁର ମଣିଷ ସହ ସାମଞ୍ଜସ୍ୟ ଅଛି। ମଣିଷର ଶରୀର ପବିତ୍ର। ସମସ୍ତଙ୍କର ସତ୍ତା ସୃଷ୍ଟିରେ, କେହି ସାନ ବା ବଡ଼ ନୁହଁନ୍ତି। ଯେ’ କୌଣସି ବସ୍ତୁକୁ ଅସମ୍ମାନ କରିବା ଆପଣାକୁ ଅସମ୍ମାନ କରିବା ସହ ସମାନ।  ଆପଣର ଗ୍ଳାନି ହିଁ ଆପଣାର ଶାସ୍ତି।  ସମସ୍ତେ ସାଧନା ଓ କର୍ମ ବ୍ରତୀ ହୋଇ ପରସ୍ପରର ସମ୍ମାନ ଓ ସହଯୋଗରେ ଚଳିଲେ ସମସ୍ତଙ୍କର ଉନ୍ନତି।

ଏ’ ବିଦ୍ୟା ହେଲା ବ୍ୟଞ୍ଜନ ବିଦ୍ୟା। ବ୍ୟଞ୍ଜନ ହେଉଛି ମନୁଷ୍ୟ ଶରୀରରେ ସୃଷ୍ଟିର ରୂପ। ଏହା ବସ୍ତୁ ନୁହେଁ।  ଏ’ ହେଲା ମଣିଷର ପ୍ରାଣ ଶକ୍ତି ଏବଂ ଏ’ ପ୍ରାଣର ବିଭିନ୍ନ ରୂପ। ମଣିଷର ରୋଗ, ବ୍ୟାଧି, କଷ୍ଟ ଓ ୟନ୍ତ୍ରଣାରେ ଏ’ ହେଲା ଔଷଧ। ତେଣୁ ଜପକରି ବା ବର୍ଣ୍ଣ ଉଚ୍ଚାରଣ କରି ବ୍ୟାଧିରୁ ମୁକ୍ତି ପାଇବାକୁ ଚେଷ୍ଟା କରିବା ମଣିଷର ପ୍ରାକୃତିକ ଉପାୟ। ଏହି ଉପାୟରେ ପୁରୁଣା ମଣିଷ ବହୁ ହଜାର ବର୍ଷ ଚଳିଥିବାର ଅନୁମାନ କରାଯାଉଅଛି। ଏବେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଏ’ ବିଦ୍ୟାର ପ୍ରଚଳନ ଅଛି।

ଏ’ ପ୍ରକାର ଔଷଧର ଦର୍ଶନ ହେଲା – ମଣିଷ ଶରୀରର ରୋଗ, ଦୁଃଖ ବା ଯନ୍ତ୍ରଣା ସୃଷ୍ଟିର ଗୋଟିଏ ଭାବ ଓ ଏ’ ଭାବକୁ ଆମେ ଦେହ ଭିତରେ ପବନ ସଞ୍ଚାଳନ କରି ସଂଶୋଧନ କରିପାରିବା। ଦେହ ଭିତରେ ପବନ ସଞ୍ଚାଳନର ପଥ ବହୁବର୍ଷ ଧରି ଆମର ଦେଶର ଲୋକମାନଙ୍କୁ ଘାରିକରି ରହିଲା। ପବନର ସ୍ନାୟୁମଣ୍ଡଳ ସହ ସଂପର୍କ ଆବିଷ୍କାର ହେଲା। ବିଭିନ୍ନ ପରୀକ୍ଷା କରାହୋଇ ଶରୀର ମଧ୍ୟରେ ବିଭିନ୍ନ ବର୍ଣ୍ଣର ଉତ୍ପତ୍ତି ସ୍ଥାନ ନିରୂପଣ କରା ହେଲା। ଶାରୀରିକ ରୋଗମାନଙ୍କୁ ପବନ ସଞ୍ଚାଳନ ପ୍ରୟୋଗରେ ସୁଧାରିପାରିବା ବୋଲି ମତ ହେଲା। ଏ’ ମତର ଆବିଷ୍କାରକ ଓ ଗବେଷକମାନେ ହେଲେ ଓଡ଼ିଶା ଦେଶର ପ୍ରଥମ ବୈଦ୍ୟ।

ଶରୀରରେ ବର୍ଣ୍ଣମାନଙ୍କର ଉତ୍ପତ୍ତି ସ୍ଥାନ ଗବେଷଣା ବୌଦ୍ଧ ଧର୍ମାବଲମ୍ବୀମାନାଙ୍କ ଭିତରେ ଅନନ୍ୟ। ଶରୀର ଭିତରେ ପବନ ସଞ୍ଚାଳନ ଓ ପବନ ସହ ସ୍ନାୟୁର ସଂଯୋଗକୁ ଧ୍ୟାନ କରିବା ଏବଂ ସେହି ସଂଯୋଗକୁ ଶରୀର ଭିତରେ ଉତ୍ତୋଳନ କରିବା ହେଲା ବୌଦ୍ଧମାନଙ୍କର ସ୍ଵାସ୍ଥ୍ୟରକ୍ଷାର ନୀତି। ତେବେ ଏ’ ପକ୍ରିୟାର ମୂଳଦୁଆ ଓଡ଼ିଶାରୁ ଉତ୍ପନ୍ନ ବୋଲି ମତ ଦିଆଯାଇପାରେ।

ଏହି ପ୍ରକାରରେ ବର୍ଣ୍ଣର ଔଷଧି ରୂପ ଏବଂ ପବନ ସଞ୍ଚାଳନରୁ ଆରୋଗ୍ୟତା ହାସଲ କରିବା ଅଥର୍ବ ବେଦରେ ଲିପିବଦ୍ଧ କରାଯାଇଅଛି। ଅଥର୍ବ ବେଦର ସଙ୍କଳନ ପ୍ରଥମେ କଶ୍ମୀର ଏବଂ ପରେ ଓଡ଼ିଶାର ମୟୁରଭଞ୍ଜ ଅଞ୍ଚଳରେ ହୋଇଥିବାର ଗବେଷକମାନେ ମତ ଦେଉଛନ୍ତି।

ଯେହେତୁ ବର୍ଣ୍ଣ ହେଲା ସୃଷ୍ଟିର ରୂପ, ତା’କୁ ଅକ୍ଷର ବୋଲି କୁହାଗଲା। ଅକ୍ଷର ଏକ ଦାର୍ଶନିକ ଶବ୍ଦ, ଏହାର ଅର୍ଥ ହେଲା ଯାହା କେବେ ନଷ୍ଟ ହୁଏ ନାହିଁ। ଶରୀର ଭିତରେ ଅକ୍ଷର ସର୍ବଦା ଜାଗ୍ରତ, ଏହା ହେଲା ଆମର ବଞ୍ଚି ରହିବାର ଶକ୍ତି। ରୋଗ, କଷ୍ଟ ବା ଆମର ଅପାରଗତା ଏହାକୁ ରୁଦ୍ଧ କରିଦେଇପାରେ।  ଅକ୍ଷର ରୁଦ୍ଧ ହେଲେ ପ୍ରାଣରୁଦ୍ଧ ହୁଏ। ବ୍ୟଞ୍ଜନ ଅଭ୍ୟାସ ହିଁ ଆମର ବାୟୁ ସଞ୍ଚାଳନର ନିମିତ୍ତ। ଏହା ଆମର ପ୍ରାଣଶକ୍ତି।

(ମୋର ପିତା ଶ୍ରୀ ମନମୋହନ ମିଶ୍ରଙ୍କର ବିଂଶବାର୍ଷିକୀ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଉତ୍ସର୍ଗୀକୃତ। ମନମୋହନ ମିଶ୍ର, ସ୍ଵାଧୀନତା ସଂଗ୍ରାମୀ, କବି ଓ ଭାଷାବିତ୍, ଜନ୍ମ ୨୩-୩-୧୯୨୦ ମହାପ୍ରୟାଣ ୧୯-୧୧-୨୦୦୦)

LEAVE A REPLY

Please enter your comment!
Please enter your name here