ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କୌଣସି ପଦକ୍ଷେପ ନେଇନି କ୍ରାଇମ୍‌ବ୍ରାଞ୍ଚ
  • ଡିସେମ୍ବର ୧୬ ଶେଷ ସୁଯୋଗ, ନଚେତ୍ କାର୍ଯ୍ୟାନୁଷ୍ଠାନ

କଟକ: ଭୁବନେଶ୍ୱରର ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାରେ ବୁଧବାର ପୋଲିସ ଡିଜି ଅଭୟ ଭର୍ଚୁଆଲ ମୋଡ୍‌ରେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍ ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଡିଜିଙ୍କ ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟ ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ ଶେଷ ସୁଯୋଗ ଦେଇଛନ୍ତି। ଆସନ୍ତା ଡିସେମ୍ବର ୧୬ ତାରିଖ ମଧ୍ୟରେ ଯଦି କ୍ରାଇମ୍‌ବ୍ରାଞ୍ଚ୍ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ ହାଇକୋର୍ଟ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି। ଆଇନଜୀବୀ ଗୌତମ ସିଦ୍ଦିକଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ଡିଜି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ତଦନ୍ତକାରୀ ଅଧିକାରୀଙ୍କ ସହ ଏହି ଘଟଣା ସମ୍ପର୍କରେ ସେ ଆଲୋଚନା କରିଥିଲେ। କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଛି। ଏସ୍‌ପିଙ୍କୁ ଜଣେ ଅତିରିକ୍ତ ଏସ୍‌ପି, ତିନି ଜଣ ମହିଳା ଇନ୍ସପେକ୍ଟର, କ୍ରାଇମ୍‌ବ୍ରାଞ୍ଚ୍ ସାଇବର୍ ସେଲ୍‌ର ଜଣେ ଇନ୍ସପେକ୍ଟର ତଦନ୍ତରେ ସାହଯ୍ୟ କରୁଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ଅପ୍-ଟୁ-ଡେଟ୍  ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିଛନ୍ତି।

ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳ ସାନି ପରିଦର୍ଶନ କରିବା ସହ ଅଭିଯୋଗକାରିଣୀଙ୍କୁ ଆଉ ଥରେ ଜେରା କରିଥିଲେ। ସିଆର୍‌ପିସିର ଧାରା ୧୬୧ ଏବଂ ୧୬୪ରେ ପୂର୍ବରୁ ପୀଡ଼ିତା ଦେଇଥିବା ବୟାନ ଏବଂ ଏବେ ରେକର୍ଡ କରାଯାଇଥିବା ବୟାନରେ ତାଳମେଳ ନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ତାଳମେଳ ନଥିବା କଥା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଫ୍‌ଆଇଆର୍‌ରେ ଯେଉଁ ଅଭିଯୁକ୍ତମାନଙ୍କ ନାଁ ରହିଛି ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା। କିନ୍ତୁ ସେମାନଙ୍କ କଥାରେ ସେଭଳି କୌଣସି ଭୁଲ୍ ଥିଲା ଭଳି ଜଣାଯାଇନାହିଁ।

ଏହି ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କର ମଧ୍ୟ ସିଆର୍‌ପିସିର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଏସ୍‌ପିଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଡ୍ରିଲ୍ ସବ୍ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମିଶ୍ର ନିୟମିତ ଭାବେ ବିନା କୌଣସି ଛୁଟିରେ କାର୍ଯ୍ୟ କରି ଆସୁଛନ୍ତି। ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବାରୁ ତଦନ୍ତ ବାଧାପ୍ରାପ୍ତ ହେଉଛି ବୋଲି ସତ୍ୟପାଠରେ କୁହାଯାଇଛି।

ତେବେ ତଦନ୍ତକାରୀ ଟିମ୍ ଘଟଣାର ତଦନ୍ତ ଚଳାଇଥିବା ଦର୍ଶାଯାଇଛି। ଶ୍ରୀ ସିଦ୍ଦିକ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିବା ସହ ଏଥିରେ ପୋଲିସ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସାମିଲ୍ ଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲେ। ହାଇକୋର୍ଟ ମାମଲାର ତଦନ୍ତ ଜଣେ ଡିସିପି କିମ୍ବା ଏହାଠାରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା କରାଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ଚାଲିଥିବା ତଦନ୍ତକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comment