ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ସହ ପୁଣି ଯୋଡ଼ି ହେବ ଆମେରିକା। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ‘ହୁ’ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି। ବାଇଡେନ୍‌ ଆସନ୍ତା ଜାନୁଆରି ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ‘ହୁ’ ସହ ମିଶି କାମ କରିବେ ବୋଲି କହିଛନ୍ତି।

‘‘ବିଶ୍ୱରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଆମେରିକା ‘ହୁ’ ସହିତ ମିଶି କାମ କରିବାକୁ ପ୍ରସ୍ତୁତ। ଏହା ସହିତ ଚୀନର କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ଚୀନକୁ ମନମାନି କରିବାକୁ ଦିଆଯିବ ନାହିଁ’’, କହିଛନ୍ତି ବାଇଡେନ।

‘ହୁ’ଠାରୁ ଅଲଗା ହେବା ଥିଲା ଟ୍ରମ୍ପଙ୍କ ନିଷ୍ପତ୍ତି

ଗତ ଏପ୍ରିଲ ମାସରେ ‘ହୁ’ଠାରୁ ଅଲଗା ହୋଇଥିଲା ଆମେରିକା। ଚୀନ କଥାରେ କରୋନା ଭାଇରସ ସହ ଜଡିତ ସୂଚନା ଦୁନିଆଠାରୁ ଲୁଚାଇଥିବା ଅଭିଯୋଗ ଆଣି ଡୋନଲ୍ଡ ଟ୍ରମ୍ପ ‘ହୁ’ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଏମିତିକୁ ସେ ଫଣ୍ଡିଂ ଉପରେ ବି ରୋକ ଲଗାଇଥିଲେ। କରୋନାକୁ ପ୍ରତିହତ କରିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଫେଲ ମାରିଥିବା କହିଥିଲେ ଟ୍ରମ୍ପ। ଏବେ ଟ୍ରମ୍ପଙ୍କୁ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ବାଇଡେନ।

ଚୀନକୁ ବାଇଡେନଙ୍କ କଡ଼ା ସନ୍ଦେଶ

ଏହି ଘୋଷଣା ସହିତ ବାଇଡେନ ଚୀନକୁ କଡ଼ା ସନ୍ଦେଶ ଦେଇଛନ୍ତି। ଚୀନ୍‌ ସମସ୍ତ ନିୟମ ପାଳନ କରି ଚଳୁ ବୋଲି ବାଇଡେନ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଚୀନ ଉପରେ ବର୍ଷିଥିଲେ ବାଇଡେନ। କରୋନା ମାମଲାରେ ଚୀନ ଖାମ ଖିଆଲି କରିଥିବା ସେ କହିଥିଲେ।

ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା-ଚୀନ୍ ସମ୍ପର୍କ ହୋଇଥିଲା ଖରାପ

ରାଷ୍ଟ୍ରପତି ଟ୍ରମ୍ପଙ୍କ ଚାରି ବର୍ଷ ଶାସନ କାଳରେ ଚୀନ ସହ ଆମେରିକା ସମ୍ପର୍କର ସବୁଠାରୁ ଖରାପ ହୋଇଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ଆମେରିକା -ଚୀନ୍ ସମ୍ପର୍କର ସମସ୍ତ ଦିଗ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। କରୋନା ବିଶ୍ୱ ମହାମାରୀ ରୂପ ନେବାରେ ଚୀନ ହିଁ ଦାୟୀ ବୋଲି ଟ୍ରମ୍ପ ଅନେକ ସମୟରେ କହିଥିଲେ। ଏହାଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏହସହ ଭାରତ ଓ ଚୀନ ସୀମା ବିବାଦକୁ ନେଇ ଅନେକ ସମୟରେ ଚୀନ ଉପରେ ବର୍ଷିଥିଲେ ଟ୍ରମ୍ପ। ତେବେ ବାଇଡେନ ଶାସନକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ କିଛିଟା ସୁଧାର ଆସିପାରେ ବୋଲି କୁହାଯାଉଛି।

Comment