ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ଘଟଣାରେ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ଦୁଇ ପ୍ରମୋଟର୍ ବୈଜୟନ୍ତ ପଣ୍ଡା ଏବଂ ଜାଗି ମଙ୍ଗତ ପଣ୍ଡାଙ୍କ ଅଡ଼ୁଆ ବଢ଼ିଯାଇଛି। ଏହି କମ୍ପାନି ନାମରେ କ୍ରାଇମ୍‌ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ରୁଜୁ ମାମଲାକୁ ରଦ୍ଦ କରିବା ପାଇଁ ଉଭୟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଶୁକ୍ରବାର ମାମଲାର ରାୟ ପ୍ରକାଶ କରି ସେମାନଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ଅନ୍ୟପଟେ, ଏହି ମାମଲାରେ ବୈଜୟନ୍ତ ପଣ୍ଡା ଏବଂ ଜାଗି ମଙ୍ଗତ ପଣ୍ଡା ସମ୍ଭାବ୍ୟ ଗିରଫଦାରୀ ଆଶଙ୍କା କରି ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମଧ୍ୟ ଲୋଡ଼ିଥିଲେ। ହାଇକୋର୍ଟ ଉଭୟଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ। ଗତକାଲି ହାଇକୋର୍ଟଙ୍କ ଏହି ରାୟ ଫଳରେ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟିଯାଇଛି ବୋଲି ସରକାରୀ ଆଇନଜୀବୀ ଜ୍ୟୋତି ପ୍ରକାଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତ ୧୩ ତାରିଖରେ ଏହି ମାମଲାର ରାୟ ସଂରକ୍ଷିତ ରହିଥିଲା। ଗତକାଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ରାୟ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ସାରୁଅଠାରେ ଜମି କେଳେଙ୍କାରୀ ନେଇ ଇଓଡବ୍ଲୁ ଓଡ଼ିଶା ଇନ୍‌ଫ୍ରାଟେକ୍ ନାମରେ ମାମଲା ରୁଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ, ୨୨ ଜଣ ଅନୁସୂଚିତ ଜାତି ବର୍ଗର ଲୋକଙ୍କଠାରୁ ଓଟିଭିର ଡ୍ରାଇଭର ରବୀନ୍ଦ୍ର ସେଠୀ ପ୍ରଥମେ ଜମି କିଣିଥିଲେ। ପରେ ଏହି ଜମିକୁ ରବୀନ୍ଦ୍ରଙ୍କଠାରୁ ଓଡ଼ିଶା ଇନ୍‌ଫ୍ରାଟେକ୍ ନାମରେ କିଣାଯାଇଥିଲା। ଯେଉଁ କର୍ମଚାରୀ ଜମି କିଣି ପରେ ବିକିଥିଲେ, ତା’ଙ୍କ ଦରମା ଥିଲା ମାସକୁ ମାତ୍ର ୮ ହଜାର ଟଙ୍କା। ତେଣୁ ଏସବୁ ଘଟଣାରେ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଭୂମିକା ସନ୍ଦେହ ଘେରକୁ ଆସିଥିଲା।

ଇଓଡବ୍ଲୁ ଏହାର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା। ଶ୍ରୀ ଷଡ଼ଙ୍ଗୀ ଏତଲାକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଇତିମଧ୍ୟରେ ଶ୍ରୀ ଷଡ଼ଙ୍ଗୀ ଏହି କମ୍ପାନିରୁ ଇସ୍ତଫା ଦେଇସାରିଛନ୍ତି। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବୈଜୟନ୍ତ ପଣ୍ଡା ଏବଂ ଜାଗି ମଙ୍ଗତ ପଣ୍ଡା ଏଥିରେ ପକ୍ଷଭୁକ୍ତ ହୋଇ ଅନ୍ତରୀଣ ସୁରକ୍ଷା ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସାରୁଅ ଜମି କେଳେଙ୍କାରୀକୁ ନେଇ ଯେଉଁ ମାମଲା ରୁଜୁ ହୋଇଥିଲା ତାହା ଏବେ ଚାଲିବ ବୋଲି ସ୍ପଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here