ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନିଆ ବୁଲା ବୁଲି ପାଇଁ ଓଡ଼ିଶାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଖାସ୍ କରି ପଶ୍ଚିମ ଓଡ଼ିଶାର ବହୁ ଦର୍ଶନୀୟ ସ୍ଥଳୀ ପ୍ରତିବର୍ଷ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନର ଏହି ଋତୁରେ ଯଦି ଆପଣ ଓଡ଼ିଶାର କେଉଁ ଖାସ୍ ସ୍ଥାନକୁ ଯିବାକୁ ଚାହାନ୍ତି ତେବେ ହୀରାକୁଦ ଡ୍ୟାମ ସବୁଠୁ ଭଲ ଯାଗା ରହିବ।ହୀରାକୁଦ ହେଉଛି ମଣିଷ ତିଆରି ବିଶ୍ଵର ସବୁଠୁ ଲମ୍ଵା ଡ୍ୟାମ୍। ମହାନଦୀ କୂଳରେ ସମ୍ବଲପୁର ସହରରୁ ମାତ୍ର ୧୫  କିଲୋମିଟର ଦୂରରେ ରହିଛି ଏହି ହୀରାକୁଦ। ଏଠାରେ ଆପଣ ମହାନଦୀର ନୀଳ ଜଳରାଶିକୁ ବହୁ ଉଚ୍ଚରୁ ଦେଖିପାରିବେ। ମହାନଦୀର ଦୀର୍ଘ ଏବଂ ଅଗଣ୍ଡ ଜଳରାଶିକୁ ଦେଖିବା ପାଇଁ ହୀରାକୁଦରେ ଦୁଇଟି ଉଚ୍ଚ ଖୁଣ୍ଟି ରହିଛି। ଗୋଟିଏ ହେଉଛି ଗାନ୍ଧୀ ମିନାର ଏବଂ ଆରଟି ଜବାହର ମିନାର। ଏହି ମିନାରଦ୍ଵୟ ଉପରୁ ହୀରାକୁଦ ଜଳାଶୟର ଅଦ୍ଭୁତ ଦୃଶ୍ୟକୁ ଆପଣ ଉପଭୋଗ କରିପାରିବେ।ଡିସେମ୍ବର ପ୍ରଥମ ସପ୍ତାହରୁ ହୀରାକୁଦରେ ଇକୋ ରିଟ୍ରିଟ୍

ଶୀତ ଦିନେ ହୀରାକୁଦକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ପର୍ଯ୍ୟଟକମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏଠାରେ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ଫେବ୍ରୁଆରି ମାସ ଯାଏଁ ହୀରାକୁଦରେ ଇକୋ ରିଟ୍ରିଟ୍ ଚାଲିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ପର୍ଯ୍ୟଟକଙ୍କ ରହିବା ପାଇଁ ପଞ୍ଚତାରକା ହୋଟେଲ ଭଳି ଟେଣ୍ଟ, ବିଭିନ୍ନ ପ୍ରକାରର କଟୋଜ ହାଉସ୍, ଖାଦ୍ୟପେୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥା ହେବ। ତେଣୁ ଆପଣ ଚାହିଁଲେ ଇକୋ ରିଟ୍ରିଟ୍‌ର ଭରପୂର ମଜା ନେଇପାରିବେ।କେମିତି ଯିବେ ହୀରାକୁଦ?

ବିମାନ, ରେଳ ଏବଂ ସଡ଼କ ତିନୋଟି ପଥଦେଇ ଆପଣ ହୀରାକୁଦ ଯାଇପାରିବେ।

ବିମାନ ମାର୍ଗରେ

ହୀରାକୁଦକୁ ଯଦି ଆପଣ ବିମାନ ମାର୍ଗରେ ଯିବାକୁ ଚାହୁଁଛନ୍ତି ତେବେ ଏହାଠାରୁ ୩୦୦ କିଲୋମିଟରରେ ରହିଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ। ଏହାଛଡ଼ା ହୀରାକୁଦଠାରୁ ୫୦ କିଲୋମିଟରରେ ରହିଛି ଝାରସୁଗୁଡ଼ା ବିମାନବନ୍ଦର। ଏହି ଦୁଇଟି ବିମାନବନ୍ଦରରୁ ଆପଣ ହୀରାକୁଦ ଯାଇପାରିବେ।ରେଳ ମାର୍ଗରେ

ରେଳରେ ଯଦି ଆପଣ ହୀରାକୁଦ ଯିବା ପାଇଁ ଚାହୁଁଛନ୍ତି ତେବେ ଭୁବନେଶ୍ୱର, କଟକ ରେଳ ଷ୍ଟେସନରୁ ଆପଣ ହୀରାକୁଦ ଯାଇପାରିବେ। ପ୍ରତିଦିନ ଏହି ଦୁଇ ଷ୍ଟେସନରୁ ସମ୍ବଲପୁର ଷ୍ଟେସନକୁ ଟ୍ରେନ ଚଳାଚଳ ହୋଇଥାଏ।ସଡ଼କ ମାର୍ଗରେ

ସଡ଼କ ମାର୍ଗରେ ହୀରାକୁଦ ଯିବାକୁ ହେଲେ ଉଭୟ କଟକ ଏବଂ ଭୁବନେଶ୍ୱରରୁ ୫୫ ନମ୍ଵର ଜାତୀୟ ରାଜପଥରେ କାର୍ କିମ୍ଵା ବସ୍ ଯୋଗେ ଆପଣ ଯାଇପାରିବେ।

Comment