ଓଡ଼ିଶାଲାଇଭ୍ ବ୍ୟୁରୋ

ଛଟ୍ ପୂଜା କେବଳ ଭାରତରେ ସୀମିତ ହୋଇ ରହିନି। ସୀମା ସରହଦ ଡେଇଁ ଆମେରିକାରେ ପହଞ୍ଚିଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ମହିଳାମାନେ ଏହି ପୂଜାକୁ ଧୁମଧାମରେ ପାଳିଛନ୍ତି। ତାଙ୍କ ସହ କିଛି ଆମେରିକୀୟ ମହିଳା ବି ସାମିଲ ହୋଇଥିଲେ। କିନ୍ତୁ କରୋନା ଯୋଗୁ ଏଥର ଟିକିଏ ଭିନ୍ନ ଢଙ୍ଗରେ ପାଳିତ ହୋଇଥିଲା ଏହି ପୂଜା।ସାମାଜିକ ଦୂରତା

ପ୍ରତିବର୍ଷ ବିଭିନ୍ନ ଜଳାଶୟ କୂଳରେ ଏହି ପୂଜା କରାଯାଏ। ଏହି ସମୟରେ ଶହ ଶହ ବ୍ରତଧାରୀ ମହିଳା ଏକାଠି ହୋଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ଯୋଗୁ ଏହା ସମ୍ଭବ ହୋଇନଥିଲା। ନଦୀ କୂଳରେ କେବଳ ୨୫ ଜଣ ମହିଳା ଉପସ୍ଥିତ ରହି ପୂଜା କରିଥିଲେ। ଏଥିସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିଥିଲେ। ସେହିପରି ପୂଜା ଦେଖିବାକୁ ଆସିଥିବା ଲୋକମାନେ ମଧ୍ୟ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇଥିଲେ। ଏପରିକି କିଛି ଲୋକ ନିଜ ଘରେ କୃତ୍ରିମ ଜଳାଶୟ ତିଆରି କରି ସେହିଠାରେ ପୂଜା କରିଥିଲେ।ସୋସିଆଲ ମିଡିଆରେ ସିଧାପ୍ରସାରଣ

କରୋନା ମହାମାରୀ ଯୋଗୁ ଅନେକ ମହିଳା ପୂଜାରେ ସାମିଲ ହୋଇପାରିନଥିଲେ। ସେମାନଙ୍କ ପାଇଁ ଜୁମ୍ ଓ ଫେସ୍‌ବୁକ୍ ପରି ସୋସିଆଲ ମିଡିଆରେ ପୂଜାର ସିଧା ପ୍ରସାରଣ କରାଯାଇଥିଲା।

ଅନ୍ୟପଟେ ‘ବିହାର ଝାଡ଼ଖଣ୍ଡ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା’ ଚତୁର୍ଥ ଥର ପାଇଁ ନ୍ୟୁଜର୍ସିର ଥମସନ୍ ପାର୍କରେ ଛଟ୍ ପୂଜା ପାଳନ କରିଥିଲା। ଏହି ଉତ୍ସବରେ ଭାରତର ମହାବାଣିଜ୍ୟଦୂତ ରଣଧୀର ଜୟସ୍ଵାଲ ଓ ଉପ ମହାବାଣିଜ୍ୟଦୂତ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ ହୋଇଥିଲେ। ଆମେରିକାର ପେନସିଲଭାନିଆ, ଫ୍ଲୋରିଡ଼ା ଓ ଟେକ୍ସାସରେ ବି ଛଟ୍ ପୂଜା ପାଳିତ ହୋଇଥିଲା।

Comment