ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି। ଦିନକରେ ୧୦୦ ଅଧିକ ଆକ୍ରାନ୍ତ ଆଖି ବୁଜୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ଏହି ହିସାବରେ ଦିଲ୍ଲୀରେ ପ୍ରତି ଘଣ୍ଟାରେ ୫ ଜଣ ଆଖି ବୁଜୁଛନ୍ତି।

ଏହାସହ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୯୧ରେ ପହଞ୍ଚିଛି। ଲଗାତର ବଢ଼ୁଥିବା ମୃତ୍ୟୁସଂଖ୍ୟା ଦେଖି ସରକାର ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। ରାଜଧାନୀ ଦିଲ୍ଲୀରେ ନିୟମ କଡ଼କଡ଼ି କରିଦେଇଛନ୍ତି କେଜରିଓ୍ୱାଲ ସରକାର। ମାସ୍କ ନପିନ୍ଧିଲେ ୨୦୦୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରାଯାଇଛି। ସେହିପରି ବିବାହ ଉତ୍ସବରେ ୨୦୦ ନୁହେଁ ବରଂ ୫୦ ଅତିଥିଙ୍କୁ ଅନୁମତି ମିଳିବ ବୋଲି କୁହାଯାଉଛି। ନିୟମ କଡ଼ାକଡ଼ି ସତ୍ତ୍ୱେ ବି ରାଜଧାନୀରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ।

ଦିଲ୍ଲୀରେ ବିସ୍ଫୋରକ ହେଉଛି କରୋନା

ଏହାପୂର୍ବରୁ ନଭେମ୍ବର ୨୧ରେ ଦିଲ୍ଲୀରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୧ ତାରିଖରେ ୧୧୮, ୧୮ ତାରିଖରେ ୧୩୧, ୧୨ ତାରିଖରେ ୧୦୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ଏବେ ୪୦ ହଜାର ୨୧୨ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୫୧ ଜଣଙ୍କ ଜୀବନ ଯାଇଛି।

ଦୀପାବଳି ପରେ ସ୍ଥିତି ବେକାବୁ

ଦୀପାବଳି ପରଠାରୁ ଦେଶରେ ସଂକ୍ରମଣ ବଢ଼ିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ନଭେମ୍ବର ୧୫ ରୁ ୨୧ ମଧ୍ୟରେ ସାରା ଦେଶରେ ମୋଟ ୩୫୮୮ କରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଦିଲ୍ଲୀର ସର୍ବାଧିକ ୭୫୧ ଜଣ ଅଛନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଦି ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକା ନଯାଏ ତେବେ ସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ମାନେ ଦେଇଛନ୍ତି।

Comment