ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ବର ୧ରୁ କୋଣାର୍କ ଉତ୍ସବ
  • କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଉତ୍ସବ
  • ପରିବେଷଣ ହେବ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଏବଂ ମଣିପୁରୀ
  • ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନ୍ୟ ଆକର୍ଷଣ

ଡିସେମ୍ବର ୧ରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। କୋଣାର୍କ ମନ୍ଦିର ପରିସରରେ ରହିଥିବା ମୁକ୍ତାକାଶ ମଞ୍ଚରେ ଏହି ଉତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରାତି ୮ଟା ୩୦ରେ ଶେଷ ହେବ ଏହି ଉତ୍ସବ। ତେବେ ଏଥିରେ କେଉଁଦିନ କେଉଁ କାର୍ଯ୍ୟକ୍ରମ ରହିଛି ଜାଣନ୍ତୁ।

ଡିସେମ୍ଵର ୧

କୋଣାର୍କ ଉତ୍ସବର ପ୍ରଥମ ଦିନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଅରୁଣା ମହାନ୍ତି ଓ ତାଙ୍କ ଗ୍ରୁପ୍‌ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ଶ୍ରୀଦେବୀ ନୃତ୍ୟାଳୟ ଦ୍ୱାରା ଶୀଲା ଉନ୍ନିକ୍ରିଷ୍ଣା ଓ ତାଙ୍କ ଗ୍ରୁପ ଦ୍ଵାରା ଭାରତନାଟ୍ୟମ୍ ପରିବେଷଣ କରାଯିବ।

ଡିସେମ୍ଵର ୨

ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ କୋଲକାତାର ସ୍ପର୍ଶ ସୁମନ ସରୌଗୀ ଓ ତାଙ୍କ ଗ୍ରୁପ ଦ୍ଵାରା ମଣିପୁରୀ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବେଙ୍ଗାଳୁରୁର ସଞ୍ଜଳୀ ଏନ୍ସେମ୍ଵଲରର ଶର୍ମିଳା ମୁଖାର୍ଜୀ ଓ ତାଙ୍କ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ।

ଡିସେମ୍ଵର ୩

ତୃତୀୟ ଦିନ ସନ୍ଧ୍ୟାରେ ବେଙ୍ଗାଳୁରୁର ନୃତ୍ୟନ୍ତରର ମଧୁଲିତା ମହାପାତ୍ର ଓ ତାଙ୍କ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡୁର କଳାସମର୍ପଣ ଫାଉଣ୍ଡେସନ ବସନ୍ତଳାଲକ୍ଷ୍ମୀ ନରସିଂହାଚରୀ ଓ ତାଙ୍କ ଗ୍ରୁପ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯିବ।

ଡିସେମ୍ଵର ୪

ଚତୁର୍ଥ ସନ୍ଧ୍ୟାରେ କୋଲକାତାର ରନନ ପକ୍ଷରୁ ବିକ୍ରମ ଲେଙ୍ଗାର ଓ ତାଙ୍କ ଗ୍ରୁପ ଦ୍ଵାରା କଥକ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର ରୁଦ୍ରାକ୍ଷ ଫାଉଣ୍ଡେସନରୁ ବିଚିନ୍ଦ୍ରାନନ୍ଦ ସ୍ଵାଇଁ ଓ ତାଙ୍କ ଗ୍ରୁପ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।

ଡିସେମ୍ଵର ୫

ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ଭୁବନେଶ୍ଵରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ପକ୍ଷରୁ ଅଦିତି ମଙ୍ଗଳଦାସ ଓ ତାଙ୍କ ଗ୍ରୁପ୍‌ ଦ୍ଵରା କଥକ ନୃତ୍ୟ ପରିବେଷଣ କରାଯିବ।

୧୯୮୯ ମସିହାରୁ ଲଗାତାର ଭାବେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି।

ସେହିପରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ବି ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ବହୁ ଶିଳ୍ପୀ ଏଠାରେ ନିଜର ପ୍ରତିଭା ଦେଖାନ୍ତି।

Comment