ଓଡ଼ିଶାଲାଇଭ୍ ବ୍ୟୁରୋ

୭୦ ବର୍ଷ ହେଲା ଛୋଟ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ନନ୍ଦ ମାଷ୍ଟ୍ରେ।

ବୟସ ଆସି ଶହେ ଟପିଲାଣି। କାନକୁ ବି ଆଉ ଭଲ ଭାବେ ଶୁଭୁନି। ତା’ ଭିତରେ ବି ଛୋଟ ପିଲାଙ୍କୁ ପାଠ ପଢ଼େଇବାରେ ତାଙ୍କୁ ଆନନ୍ଦ ମିଳେ। ସେଥିପାଇଁ ତ, ଗତ ୭୦ ବର୍ଷ ହେଲା ମାଗଣାରେ ଗାଁ’ର କୁନି କୁନି ପିଲାମାନଙ୍କୁ ସେ ପାଠ ପଢ଼େଇ ଚାଲିଛନ୍ତି।

ଏ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗାଁ’ର ନନ୍ଦ ମାଷ୍ଟ୍ରେଙ୍କର ଜୀବନ କାହାଣୀ। ପୂରା ନାଁ ନନ୍ଦକିଶୋର ପୃଷ୍ଟି। ଶିକ୍ଷାଗତ ଯୋଗ୍ୟତା କହିଲେ ମାଇନର ସ୍କୁଲରୁ ସପ୍ତମ ପାସ୍। ତଥାପି କନ୍ତିରା ଗାଁ’ରେ ନନ୍ଦ ମାଷ୍ଟ୍ରେ କହିଲେ ତାଙ୍କୁ ସମସ୍ତେ ଜାଣନ୍ତି।୧୯୪୬ରେ ଆରମ୍ଭ କରିଥିଲେ ଚାଟଶାଳୀ

ନନ୍ଦ ମାଷ୍ଟ୍ରେଙ୍କ ଜନ୍ମ ଗୋଟିଏ କୃଷକ ପରିବାରରେ ହୋଇଥିଲା। ପିଲାଦିନେ ସେ ସେଠାକାର ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ ମଧ୍ୟ କରିଥିଲେ। ହେଲେ ଆର୍ଥିକ ଅଭାବରୁ ଆଉ ଅଧିକ ପଢ଼ିପାରିନଥିଲେ। ଏହାପରେ ସେ ଗାଁରେ ରହି ତାଙ୍କ ବାପାଙ୍କ ସହ ଚାଷବାସ କାମ ବୁଝାସୁଝା କରୁଥିଲେ।

ଏହି ସମୟରେ ଗାଁ’ର ଅନ୍ୟ ପିଲାମାନେ କିନ୍ତୁ ପାଠ ନପଢ଼ି ବାହାରେ ବୁଲୁଥିଲେ। ଏହାକୁ ଦେଖି ନନ୍ଦକିଶୋର ସେମାନଙ୍କୁ ଏକାଠି କରି ଚାଟଶାଳୀ ଟିଏ ଆରମ୍ଭ କରିଥିଲେ। ସେଠାରେ ସେ ପିଲାମାନଙ୍କୁ ଏକାଠି କରି ପ୍ରଥମେ ସେମାନଙ୍କୁ ଅକ୍ଷର ଶିଖାଇଥିଲେ ଏବଂ ପରେ ସେମାନଙ୍କୁ ଦସ୍ତଖତ କରିବା ମଧ୍ୟ ଶିଖାଇଥିଲେ। ଏହିଠୁ ହିଁ ଆରମ୍ଭ ହୋଇଥିଲା ନନ୍ଦ ମାଷ୍ଟ୍ରେଙ୍କ ପାଠପଢ଼ାର କାହାଣୀ।ତିନୋଟି ପିଢ଼ିକୁ ପଢ଼େଇଲେଣି ପାଠ

କନ୍ତିରା ଗାଁ’ର ଲୋକଙ୍କ କହିବାନୁଯାୟୀ, ନନ୍ଦ ମାଷ୍ଟ୍ରେ ବହୁ ଦିନ ହେଲା ପାଠ ପଢ଼େଇ ଆସୁଛନ୍ତି। ଗାଁ’ର ଅନେକ ଲୋକ ତାଙ୍କଠୁ ପାଠ ପଢ଼ି ଆଜି ହାକିମ ମଧ୍ୟ ହେଇଛନ୍ତି। ହେଲେ ଏଥିପାଇଁ କେବେ ବି ସେ କୌଣସି ପଇସା ନେଇନାହାନ୍ତି।

ଏଥିସହ ଅନ୍ୟ କିଛି ଲୋକ ମଧ୍ୟ କୁହନ୍ତି ଯେ, ତାଙ୍କ ବାପା, ଜେଜେ ବାପା ଅମଳର ଲୋକେ ନନ୍ଦ ମାଷ୍ଟ୍ରେଙ୍କ ପାଖରେ ପଢ଼ିଛନ୍ତି। ସେମାନେ ବି ପିଲାଦିନେ ତାଙ୍କଠାରୁ ଅକ୍ଷର ଶିଖିଛନ୍ତି। ଗାଁ’ର ତିନି ପିଢ଼ିକୁ ମାଷ୍ଟ୍ରେ ପାଠ ପଢ଼ାଇଥିବା ଗାଁ ଲୋକେ କହିଥାନ୍ତି। ଏବେ ସ୍କୁଲ ଚାଲୁଥିଲେ ମଧ୍ୟ ଗାଁର ଅନେକ ପିଲା ନନ୍ଦ ମାଷ୍ଟ୍ରେଙ୍କ ପାଖକୁ ଅକ୍ଷର ଶିଖିବାକୁ ଆସିଥାନ୍ତି।ସକାଳ, ସନ୍ଧ୍ୟାରେ ଚାଲିଥାଏ ପାଠପଢ଼ା

ନନ୍ଦ ମାଷ୍ଟ୍ରେ ପିଲାମାନଙ୍କୁ ଦୁଇ ବେଳା ପାଠ ପଢ଼ାଇଥାନ୍ତି। ପ୍ରଥମେ ସକାଳ ବେଳା ୬ଟାରୁ ୯ଟା ଆଉ ତା ପରେ ସନ୍ଧ୍ୟାବେଳେ ୫ଟାରୁ ୬ଟା ୩୦ପର୍ଯ୍ୟନ୍ତ ପାଠପଢ଼ା ହୁଏ। ସକାଳ ବେଳା ଛୋଟ ଛୋଟ ପିଲାମାନେ ଅକ୍ଷର ଶିଖୁଥିବାବେଳେ ଅପରାହ୍ନରେ ବଡ଼ ପିଲାମାନେ ତାଙ୍କଠୁ ଗଣିତ ଶିଖିଥାନ୍ତି।

ପୂର୍ବରୁ ନନ୍ଦ ମାଷ୍ଟ୍ରେ ଗୋଟିଏ ବରଗଛ ପାଖରେ ବସି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏବେ ସେହି ସ୍ଥାନରେ ଗୋଟିଏ ହନୁମାନ ମନ୍ଦିର ହେବାରୁ, ତା’ରି ପ୍ରାଙ୍ଗଣରେ ବସି ନନ୍ଦ ମାଷ୍ଟ୍ରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।ଏ ସମ୍ପର୍କରେ ନନ୍ଦକିଶୋରଙ୍କୁ ପଚାରିଲେ ସେ କୁହନ୍ତି, “ମୋତେ ପିଲା ବହୁତ ପସନ୍ଦ। ତାଙ୍କୁ ପଢେଇବାରେ ମୋତେ ଖୁସିମିଳେ। ଜୀବନ ଥିବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ପଢ଼େଇବି। ଗାଁ’ର କୌଣସି ବି ପିଲା ଅପାଠୁଅ ରହୁ ତା ମୁଁ ଚାହେଁନା। ସେଥିପାଇଁ ତ ଏତେଦିନ ହେଲା ସେମାନଙ୍କୁ ପଢ଼େଇଚାଲିଛି।”

କରୋନା ମହାମାରୀ ପାଇଁ କିଛି ଦିନ ହେଲା ନନ୍ଦ ମାଷ୍ଟ୍ରେଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ହେଲେ ଏବେ କଟକଣା କୋହଳ ହେବା ପରେ ସେ ପୁଣି ନିଜର ପାଠପଢ଼ା ଆରମ୍ଭ କରିଛନ୍ତି। ପୁଣି ପିଲାମାନେ ତାଙ୍କ ପାଖକୁ ବହି ବସ୍ତାନୀ ଧରି ଫେରିଛନ୍ତି।

Comment