ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୫ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ
  • ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ
  • ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀଙ୍କ ଚେତାବନୀ

ସରକାରଙ୍କ ସହିତ ବୈଠକ ପରେ ବୈଠକ, ଚାଷୀଙ୍କୁ ମନେଇବା ପାଇଁ ସରକାରଙ୍କ ଲିଖିତ ପ୍ରସ୍ତାବ, ତଥାପି ଚାଷୀ ନିଜ ଜିଦରେ ଅଟଳ ଆଉ ଚାଷୀଙ୍କୁ ବୁଝେଇବାରେ ଫେଲ୍‌ ସରକାର। ଫଳରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଆଜିକୁ ୧୫ ଦିନରେ ପହଞ୍ଚିଛି। ନୂଆ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ ରହିଛନ୍ତି। ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ନେତା ସଫା ସଫା ଶୁଣାଇ ଦେଇଛନ୍ତି।

ସରକାରଙ୍କ କ’ଣ ଦେଇଥିଲେ ପ୍ରସ୍ତାବ?

  • ସରକାର ଦେଇଥିବା ଲିଖିତ ପ୍ରସ୍ତାବରେ ଏମ୍‌ଏସପି ବ୍ୟବସ୍ଥା ପୂର୍ବଭଳି ରହିବ ବୋଲି କୁହାଯାଇଥିଲା।
  • ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ସରକାରୀ ମଣ୍ଡି ବାହାରେ କିଣାବିକା ପାଇଁ ଘରୋଇ ବ୍ୟସାୟୀଙ୍କୁ ପଞ୍ଜିକରଣ କରାଯିବା ଉପରେ ସରକାର ସଂଶୋଧନ ଆଣିବେ ବୋଲି କହିଥିଲେ।
  • ମଣ୍ଡି ବାହାରେ କିଣାବିକା କରୁଥିବା ବ୍ୟବସାୟୀଙ୍କ ଉପରେ ରାଜ୍ୟ ସରକାର ନିଜ ଇଚ୍ଛାରେ ଟିକସ ଲାଗୁ କରିପାରିବେ ବୋଲି କୁହାଯାଇଥିଲା।
  • ମଣ୍ଡି କିମ୍ବା ଘରୋଇ ବ୍ୟବସାୟୀଙ୍କୁ ନେଇ କୌଣସି ବିବାଦ ଦେଖାଦେଲେ ଚାଷୀ ସେମାନଙ୍କ ବିରୋଧରେ କୋର୍ଟ ଯାଇପାରିବେ।
  • କୌଣସି କର୍ପୋରେଟ ସଂସ୍ଥା ଚାଷୀଙ୍କ ଜମି ଉପରେ ୠଣ ନେଇପାରିବେ ନାହିଁ।
  • ସେହିଭଳି ବିଦ୍ୟୁତ ସଂଶୋଧନ ବିଲ୍‌ ୨୦୨୦କୁ ରଦ୍ଦ କରିବା ଦାବିରେ ସରକାର କହିଥିଲେ ଯେ ପୂର୍ବରୁ ଯେଭଳି ବ୍ୟବସ୍ଥା ଥିଲା ତାହା କାଏମ ରହିବ।
  • ନଡ଼ାକୁଟା ଜାଳିବା, ବାୟୁର ମାନ ପରିଚାଳନା ପାଇଁ କେନ୍ଦ୍ର ସରକାର ଆଣିଥିବା ଆଇନରେ ସଂଶୋଧନ କରାଯିବ।

ଚାଷୀ କ’ଣ କହିଲେ?

ସରକାର ଦେଇଥିବା ପ୍ରସ୍ତାବରେ ସନ୍ତୁଷ୍ଟ ହେଲେନି ଚାଷୀ। ସଂଶୋଧନ ଫଳରେ ଆଇନରେ ଥିବା ଜଟଳିତା ଦୂର ହୋଇପାରିବ ନାହିଁ ବୋଲି ଚାଷୀନେତାମାନେ ରୋକ ଠୋକ କହି ଦେଇଛନ୍ତି। ଯଦି ସରକାର ନିଜ ଜିଦରୁ ନଓହରନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ଚାଷୀନେତା ଚେତାବନୀ ଦେଇଛନ୍ତି। ରିଲାଏନସ ସାମଗ୍ରୀ, ରିଲାଏନସ ଜିଓ ବର୍ଜନ କରାଯିବା ସହ ଦିଲ୍ଲୀ-ରାଜସ୍ଥାନ, ଦିଲ୍ଲୀ ଉତ୍ତରପ୍ରଦେଶ ବିଭିନ୍ନ ଜାତୀୟ ରାଜପଥକୁ ଅବରୋଧ କରାଯିବା ସହ ଡିସେମ୍ବର ୧୪ରେ ପୁଣି ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀ କହିଛନ୍ତି। ଏହାସହିତ ସମସ୍ତ ବିଜେପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଥିଲେ।

ବୈଠକରୁ ବାହାରିଲାନି ସମାଧାନ

କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନରେ ବସିବା ଦିନରୁ ସରକାର ସେମାନଙ୍କୁ ଲଗାତର ବୁଝାଇବାକୁ ଚେଷ୍ଟା କରି ଆସୁଛନ୍ତି। ମାତ୍ର ଏହି ବୈଠକରୁ କୌଣସି ସମାଧାନ ବାହାରି ପାରିନାହିଁ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳମନ୍ତ୍ରୀ ପିୟୁଷ ଗୋଏଲ ଏମିତିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକ କରି ଫେଲ ମାରି ଯାଇଛନ୍ତି। ବିଭିନ୍ନ ପ୍ରକାରେ ସରକାର ଚାଷୀଙ୍କୁ ବୁଝାଇବାକୁ ଚାହୁଁଥିଲେ ବି ଚାଷୀଙ୍କର ଗୋଟିଏ ଜିଦ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ।

Comment