ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୧୯ ଦିନ ହେଲା ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ ସହ ଏକାଧିକ ବାର ଆଲୋଚନା ବି ସରିଲାଣି, ହେଲେ ଫଳ କିନ୍ତୁ ଶୂନ। ଏପରି ସ୍ଥିତିରେ କୌଣସି ମତେ ଚାଷୀ ଆନ୍ଦୋଳନକୁ ବନ୍ଦ କରିବାକୁ ରାସ୍ତା ଖୋଜୁଛନ୍ତି କେନ୍ଦ୍ର ସରକାର।

ଚାଷୀ ସଙ୍ଗଠନମାନେ ଏବେ ବି ନିଜ ଜିଦରେ ଅଟଳ ଅଛନ୍ତି। ସେମାନେ ପୂରାପୁରି ଭାବେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ ସରକାର କିନ୍ତୁ ଏଥିରେ କେବଳ ସଂଶୋଧନ ପାଇଁ ରାଜିଥିବା ଜଣାପଡ଼ିଛି।ବିକଳ୍ପ ଖୋଜୁଛନ୍ତି କେନ୍ଦ୍ର ସରକାର

ଆଲୋଚନା ମାଧ୍ୟମରେ ଚାଷୀ ଆନ୍ଦୋଳନକୁ କେନ୍ଦ୍ର ସରକାର ବନ୍ଦ କରିପାରିନାହାନ୍ତି। ସରକାରଙ୍କ ପ୍ରତିନିଧି ପରେ ଖୋଦ୍ ଗୃହମନ୍ତ୍ରୀଙ୍କ ସହ ବି ଚାଷୀମାନଙ୍କ ଆଲୋଚନା ବିଫଳ ହୋଇଛି। ତେଣୁ ଏବେ ଏହାକୁ ଅନ୍ୟ ଉପାୟରେ ରୋକିବାକୁ କେନ୍ଦ୍ର ସରକାର ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି।

ଏଥିପାଇଁ ଏହି ବିଲକୁ ସମର୍ଥନ କରୁଥିବା ଚାଷୀଙ୍କୁ ଖୋଜିବା ଆରମ୍ଭ କରାଯାଇଛି। ଯଦି ସରକାର ଏହି ବିଲକୁ ସମର୍ଥନ କରୁଥିବା ଏକାଧିକ ଚାଷୀଙ୍କୁ ଏକଜୁଟ୍ କରିବାରେ ସମର୍ଥ ହେବେ, ତେବେ ଚାଷୀ ଆନ୍ଦୋଳନକୁ ରୋକିବା ସହଜ ହେବ ବୋଲି କୁହାଯାଉଛି। ଏପରି ସ୍ଥିତିରେ ଚାଷୀ ଆନ୍ଦୋଳନ ପଛରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅଛନ୍ତି, ଯେଉଁମାନେ କି ସରକାରଙ୍କୁ ଜାଣିଶୁଣି ଟାର୍ଗେଟ କରୁଛନ୍ତି ବୋଲି କେନ୍ଦ୍ର ସରକାର କହିପାରିବେ।

ସରକାରଙ୍କ ସମର୍ଥନରେ ଚାଷୀମାନଙ୍କୁ ଏକଜୁଟ୍ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ହରିୟାଣା, ବିହାର, ତାମିଲାନାଡୁ, ତେଲଙ୍ଗାନା ଓ କେରଳ ଭଳି ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।ଅନଶନରେ ଅନ୍ନଦାତା

ଏପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀମାନେ ନିଜର ହଲ୍ଲା ବୋଲ୍ ଜାରି ରଖିଛନ୍ତି। ସୋମବାର ସାରା ଦେଶରେ କୃଷକମାନେ ଅନଶନ କରିବା ସହ ଉପବାସ କରିଛନ୍ତି। ରାଜସ୍ଥାନର ଶାହଜାହାଁପୁରଠାରୁ ଆରମ୍ଭ କରି ଦିଲ୍ଲୀର ସିଂଘୁ ସୀମା, ଟିକରୀ, ଗାଜିପୁର ଆଦି ସ୍ଥାନରେ ବହୁ ଚାଷୀ ଅନଶନରେ ବସିଛନ୍ତି।

ଚାଷୀମାନଙ୍କ ଏହି ଅନଶନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ସମର୍ଥନ କରିଛନ୍ତି। ସୋମବାର ଆପ କର୍ମୀମାନେ ମଧ୍ୟ ଚାଷୀମାନଙ୍କ ସହ ଉପବାସ କରିଛନ୍ତି।ଅଡୁଆରେ ଦୁଷ୍ମନ୍ତ ଚୌଟାଲା  

ଚାଷୀ ଆନ୍ଦୋଳନ ଏବେ ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ତଣ୍ଟିରେ କଣ୍ଟା ଭଳି ଫସିଯାଇଛି। ଯାହାକୁ ସେ ଢୋକିପାରୁନାହାଁନ୍ତି କି ଫୋପାଡ଼ିପାରୁନାହାନ୍ତି। ସେ ଚାଷୀମାନଙ୍କୁ ସମର୍ଥନ କରିପାରୁନାହାନ୍ତି କି କେନ୍ଦ୍ର ସରକାରଙ୍କୁ ବିରୋଧ ବି କରିପାରୁନାହାନ୍ତି।

ରାଜନୈତିକ ଦୃଷ୍ଟିକୋଣରୁ ଯଦି ଦୁଷ୍ମନ୍ତ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବେ ତେବେ ସେ କ୍ଷମତା ହରାଇବାର ଭୟ ଅଛି। କାହିଁକି ନା ହରିୟାଣାରେ ଏବେ ବିଜେପି ଶାସନ ଦାୟିତ୍ୱରେ ଅଛି। ଅନ୍ୟପଟେ ଯଦି ସେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ତେବେ ଭବିଷ୍ୟତରେ କୃଷକଙ୍କ ଭୋଟ ବ୍ୟାଙ୍କଙ୍କୁ ସେ ହାତଛଡ଼ା କରିବେ। ଏପରି ସ୍ଥିତିରେ ତାଙ୍କର ଆଗାମୀ ପଦକ୍ଷେପ କଣ ହେଉଛି ତା’ଉପରେ ଏବେ ସମସ୍ତଙ୍କ ନଜର।

ଚାଷୀ ଆନ୍ଦୋଳନ – ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋରଦାର

ଦେଶର କୃଷକ ସଙ୍ଗଠନମାନେ କୃଷି ଆଇନକୁ ବିରୋଧ କରି ରାସ୍ତା ଉପରେ ଦିନ କାଟୁଛନ୍ତି। ଅନ୍ୟପଟେ ଏହାକୁ ନେଇ ସୋସିଆଲ୍ ମିଡିଆରେ ବି ଜୋରଦାର ଚର୍ଚ୍ଚା ଲାଗି ରହିଛି। ବହୁ ଲୋକ ଏହାକୁ ସଠିକ୍ ବୋଲି ସାବ୍ୟସ୍ତ କରୁଥିବାବେଳେ ବିଜେପି ସମର୍ଥକମାନେ ଏହାକୁ ବିରୋଧୀମାନଙ୍କ ହୀନ ଚକ୍ରାନ୍ତ ବୋଲି ଆଖ୍ୟା ଦେଇଛନ୍ତି।

ଏପରିକି ଚାଷୀ ଆନ୍ଦୋଳନକୁ କିଛି ଲୋକ ଖଲିସ୍ତାନ ଆନ୍ଦୋଳନ, ଚାଷୀମାନଙ୍କୁ ଆତଙ୍କବାଦୀ ଓ ମାଓବାଦୀଙ୍କ ସହ ବି ତୁଳନା କରିସାରିଲେଣି। ଏହାପରେ ମଧ୍ୟ ଚାଷୀମାନେ ସିଙ୍ଘୁ ସୀମାରେ ନିଜ ଆନ୍ଦୋଳନ ଜାରି ରଖିଛନ୍ତି।

Comment