ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସବୁକରେ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ ମହାନ୍ତି।
କିଛି ଦିନ ଥମି ଯିବା ପରେ ଏବେ ପୁଣି ସାଂସଦ ତଥା ଅଭିନେତା ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କ ବିବାଦ ପୁଣି ଜୋର ଧରିଛି। ପ୍ରଥମେ ବର୍ଷା, ତା’ପରେ ଜାଗୃତି ଶୁକ୍ଳା ଆଉ ଏବେ ଅନୁଭବଙ୍କ ଫେସବୁକ ଭିଡିଓ ବିବାଦକୁ ହାଓ୍ୱା ଦେଇଛି। ବର୍ଷାଙ୍କୁ ପରୋକ୍ଷରେ ଇଙ୍ଗିତ କରି ଅନୁଭବ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯଦି କେହି ତାଙ୍କ ପ୍ରଶଂସକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ ସେ ଆଦୌ ଚୁପ୍ ରହିବେନି ବୋଲି ଭିଡିଓରେ ଅନୁଭବ କହିଛନ୍ତି।
ପ୍ରଶଂସକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍ ରହିବିନି – ଅନୁଭବ
ଫେସବୁକରେ ପୋଷ୍ଟ ହୋଇଥିବା ଏହି ୬ ମିନିଟର ଭିଡିଓରେ ଅନଭବ କହିଛନ୍ତି,‘‘ କାହା ପ୍ରତି ଖରାପ ବ୍ୟବହାର ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ। ସମସ୍ତଙ୍କର ସମାନ ଅଧିକାର ଓ ସମ୍ମାନ ମିଳିବା ଉଚିତ। ଯାହାଙ୍କୁ ଆମେ ଭଲ ପାଉ ତାଙ୍କୁ ହୃଦୟରେ ସାଇତି ରଖୁ। ତାଙ୍କର ଭଲ ମନ୍ଦ, ସୁଖ ଦୁଃଖରେ ଆମେ ଛିଡ଼ା ହେଉ। ତେଣୁ ତାଙ୍କର ଅଗଣିତ ପ୍ରଶଂସକ ହେଉଛି ତାଙ୍କର ପରିବାର। ଫ୍ୟାନ୍ସମାନେ ମୋ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି। ଏଥିପାଇଁ ସେମାନଙ୍କ ହଇରାଣ କରାନଯାଉ। ଲଢ଼ିବାର ଅଛି ତ ମୋ ସହିତ ସିଧାସଳଖ ଲଢ଼ନ୍ତୁ। ମୋ ଫ୍ୟାନ୍ସମାନଙ୍କ ସହିତ ନୁହେଁ‘‘।
ଅନୁଭବ ଆହୁରି ମଧ୍ୟ କହିଛନ୍ତି, ‘‘ଫ୍ୟାନ୍ସମାନେ ମୋ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି। ସେଥିପାଇଁ ମୋ ମନ କଥା ମୁଁ ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆକୁ ବାଛିଛି”।
ସୋସିଆଲ ମିଡିଆ ପୋଷ୍ଟ ନେଇ ବର୍ଷା କରିଥିଲେ ଅଭିଯୋଗ
ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ଡିସେମ୍ବର ୮ରେ କଟକ ପୁରୀଘାଟ ଥାନାରେ ଏକ ଏତଲା ଦେଇଥିଲେ। ଅନୁଭବ ମହାନ୍ତିଙ୍କ କିଛି ଫେସବୁକ ପ୍ରଶଂସକ ବର୍ଷାଙ୍କ ଚରିତ୍ରକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଫେସବୁକ ପେଜରେ ପୋଷ୍ଟ କରିଥିବା ସେ ଅଭିଯୋଗ କରିଥିଲେ। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ଖରାପ ହେଉଛି ବୋଲି କହିଥିଲେ। ବର୍ଷା ଅନୁଭବଙ୍କ ପ୍ରଶଂସକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ପରେ ଅନୁଭବ ଏହାର ଜବାବ ଦେଇଛନ୍ତି। ବର୍ଷାଙ୍କ ନାଁ କେଉଁଠି ନନେଇ ଥିଲେ ବି ଅନୁଭବ କହିଛନ୍ତି,‘‘ଆପଣଙ୍କ ଲଢ଼େଇ ମୋ ସହିତ, ଏଥିରେ ପ୍ରଶଂସକଙ୍କୁ ଆଣନ୍ତୁ ନାହିଁ”।
ଅନ୍ୟପଟେ ସୋସିଆଲ ମିଡିଆରେ ଚାଲିଥିବା ଏହି ଦୁଇ ସେଲିବେଟ୍ରିଙ୍କ ବାକଯୁଦ୍ଧ କେବଳ ଚର୍ଚ୍ଚାରେ ରହିବ। ନ୍ୟାୟିକ ପ୍ରକ୍ରିୟାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବର୍ଷାଙ୍କ ଓକିଲ କହିଛନ୍ତି।
ଅନ୍ୟପଟେ ଲୋକସଭା ଟିଭିରେ ଉପସ୍ଥାପିକା ଥିବା ଜାଗୃତି ଶୁକ୍ଳା ବି ପ୍ରଥମ ଥର ଅନୁଭବ ବର୍ଷାଙ୍କ ବିବାଦରେ ମୁହଁ ଖୋଲିଥିଲେ। ଏହି ବିବାଦରେ ତାଙ୍କୁ ଅଯଥାରେ ଟଣା ଯାଉଛି ବୋଲି ସେ କହିଥିଲେ। ଏମିତିକି ସେ ବର୍ଷାଙ୍କୁ ବି ଟାର୍ଗେଟ କରିଥିଲେ। ବର୍ଷାଙ୍କ ପ୍ରଶଂସକଙ୍କ ଜାଣିଶୁଣି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ବୋଲି କହିଥିଲେ ଜାଗୃତି।