ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଆନୁକୂଲ୍ୟରେ ଖେଳାଯାଉଥିବା ସିନିୟର ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି କଟକ-ଏ। ଦଳ ସୁପରଲିଗ୍‌ରେ ୨ ମ୍ୟାଚରୁ ଲଗାତାର ଦୁଇଟି ଜିତି ୮ପଏଣ୍ଟ ସହ ଏହି ଯୋଗ୍ୟତା ହାସଲ କରିଛି। ସେହିପରି ଗ୍ରୁପ୍ ବି’ର ମ୍ୟାଚରେ କଟକ-ବି’କୁ ୬ୱିକେଟରେ ପରାସ୍ତ କରିଛି ଭୁବନେଶ୍ୱର-ଏ’।

ରେଲୱେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍ -ଏ’ର ମ୍ୟାଚରେ କଟକ-ଏ’ ୫୮ରନ୍‌ରେ ଭୁବନେଶ୍ୱର-ବି’କୁ ହରାଇଛି। କଟକ-ଏ’ ନିର୍ଦ୍ଧାରିତ ୨୦ଓଭର ଖେଳି ୫ ୱିକେଟ ବିନିମୟରେ ୧୯୦ରନ୍ କରିଥିଲା। ରାଜେଶ ଧୂପର ୬, ବିକ୍ରମ ସାମଲ ୧୩ରନ୍ କରି ଆଉଟ୍ ହେବା ପରେ ବିପ୍ଳବ ସାମନ୍ତରାୟ ଓ ଅଭିଷେକ ରାଉତଙ୍କ ମଧ୍ୟରେ ଶତକୀୟ ପାଳି ହୋଇଥିଲା। ବିପ୍ଳବ ୩୫ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ବଳରେ ୫୮ରନ୍ କରିଥିଲେ। ସେହିପରି ଅଭିଷେକ ୪୯ବଲ୍‌ରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୭୦ରନ୍ କରିବାକୁ ସକ୍ଷମ ହୋଇଥିଲେ।

ପରେ ଅରବିନ୍ଦ ସିଂ ୫, ଦୀପକ ବେହେରା ୭ବଲ୍‌ରୁ ୨୫ରନ୍ କରିବା ଯୋଗୁଁ କଟକ-ଏ’୫ୱିକେଟରେ ୧୯୦ରନ୍ କରିଥିଲା। ଭୁବନେଶ୍ୱର-ବି’ତରଫରୁ ମିନାଲ ପରିଡ଼ା ୨ୱିକେଟ ନେଇଥିଲେ। ବିଜୟଲକ୍ଷ୍ୟକୁ ପିଛା କରି ଭୁବନେଶ୍ୱର-ବି’ ୨୦ଓଭରରେ ୭ୱିକେଟ ବିନିମୟରେ ମାତ୍ର ୧୩୨ରନ୍ କରିଥିଲା। ପ୍ରତୀକ ଦାସ ୫୩, ସେକ୍ ସଲମନ୍ ୨୯ରନ୍ କରିଥିଲେ। କଟକ ଦଳ ତରଫରୁ ଆଶିଷ ରାଏ ଓ ଦୀପକ ବେହେରାଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା।

କିଟ୍ ପଡିଆରେ ଅନୁଷ୍ଠିତ ଗ୍ରୁପ୍‌-ବି’ର ମୁକାବିଲାରେ ଭୁବନେଶ୍ୱର-ଏ’ ୬ୱିକେଟରେ ମ୍ୟାଚ ଜିତିଥିଲା। କଟକ-ବି’ ୧୦ ୱିକେଟରେ ୧୨୭ରନ୍ କରିଥିଲା। ଆଲୋକ ସାହୁ ୬୪ବଲ୍‌ରୁ ୮ଟି ଚୌକା ଓ ୩ଟି ଛକା ବଳରେ ୮୯ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନଥିଲେ। ଯାହାଫଳରେ ଦଳ ୧୨୭ରନ୍‌ରେ ସୀମିତ ରହିଯାଇଥିଲା। ଭୁବନେଶ୍ୱର-ଏ’ତରଫରୁ ବସନ୍ତ ମହାନ୍ତି ୩ଟି, ବି ଶିବା, ଆଶିଷ ପ୍ରଧାନ, ଶାନ୍ତନୁ ମିଶ୍ର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ପାଇଥିଲେ। ଜବାବରେ ଶାନ୍ତନୁ ମିଶ୍ରଙ୍କ ୪୮ରନ୍(୧ଟି ଚୌକା, ୧ଟି ଛକା), ସନ୍ଦୀପ ପଟ୍ଟନାୟକଙ୍କ ୪୩ରନ୍(୫ଟି ଚୌକା, ୧ଟି ଛକା) ବଳରେ ଦଳ ୧୯ ଓଭରରେ ମ୍ୟାଚ ଜିତିଥିଲା। କଟକ-ବି’ ପକ୍ଷରୁ ସିଦ୍ଧାର୍ଥ ସିହ୍ନା ୨ଟି, ଧୀରଜ ସିଂ, ଅଭିଷେକ ଗିରି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comment