ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହେବାକୁ ବସିଛି ବର୍ଷ ୨୦୨୦। ଚଳିତ ବର୍ଷ ରାଜ୍ୟରେ ଅନେକ ଛୋଟ ବଡ଼ ଲୁଟ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ସବୁଠୁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା କଟକର ଆଇଆଇଏଫଏଲ ଫାଇନାନ୍ସ କମ୍ପାନିରୁ ଲୁଟ୍ ଘଟଣା। ୧୦ ମିନିଟରେ ଡକାୟତମାନେ ଲୁଟି ନେଇଥିଲେ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ସୁନା ଏବଂ ଲକ୍ଷାଧିକ ଟଙ୍କା। ପୂର୍ବରୁ ଓଡ଼ିଶାରେ ଏତେ ବଡ଼ ବ୍ୟାଙ୍କ ଲୁଟ୍ କେବେ ହୋଇନଥିଲା। ତେବେ କ’ଣ ଥିଲା ଏହି ଲୁଟ୍‌ର କାହାଣୀ। ଜାଣିବା ପାଇଁ ପଢ଼ନ୍ତୁ ଆମର ଏହି ଫ୍ଲାସବ୍ୟାକ୍ ୨୦୨୦ ରିପୋର୍ଟ।କ’ଣ ଥିଲା ଘଟଣା?

ନଭେମ୍ଵର ୧୯ ତାରିଖ, ସମୟ ପ୍ରାୟ ସକାଳ ୧୦ଟା। କଟକ ସହରର ବେଶ୍ ଜନଗହଳିପୂର୍ଣ୍ଣ ନୟାସଡ଼କ ଅଞ୍ଚଳ। ହଠାତ୍ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଧସେଇ ପଶିଲେ ସୁନା ବନ୍ଧକ ରଖି ଋଣ ଦେଉଥିବା ଆଇଆଇଏଫ୍ଏଲ୍ ଫାଇନାନ୍ସ ଶାଖାରେ। ସମସ୍ତଙ୍କ ହାତରେ ଥାଏ ମାଉଜର୍। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ସଂସ୍ଥାର ସୁରକ୍ଷା କର୍ମୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରାଇ ଏକ ରୁମ୍‌ରେ ଅଟକ ରଖିଲେ।

କର୍ମଚାରୀଙ୍କ ହାତରୁ ନେଇଗଲେ ମୋବାଇଲ୍ ଫୋନ୍। ଶାଖା ପରିଚାଳକଙ୍କଠାରୁ ଛଡ଼ାଇନେଲେ ଲକର୍ ରୁମ୍ ଚାବି। ପରେ ଲକର୍ ଖୋଲି ସେଠାରେ ଥିବା ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କାକୁ ଦୁଇଟି ବ୍ୟାଗ୍‌ରେ ଭର୍ତ୍ତି କରି ଫେରାର୍ ହୋଇଗଲେ। ଏସବୁ ଘଟିଗଲା ମାତ୍ର ୯ରୁ ୧୦ ମିନିଟ୍ ଭିତରେ। ଗଲାବେଳକୁ ଶାଖାର ମେନ୍ ଗେଟ୍‌କୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଦ କରିଦେଇଗଲେ। ଘଟଣାର ୧୦ ମିନିଟ୍ ପରେ ଶାଖାର କର୍ମଚାରୀମାନେ ଅନ୍ୟ ଲୋକଙ୍କ ସହାୟତାରେ ବାହାରକୁ ଆସି ଲୁଟ୍ ବାବଦରେ ପୋଲିସକୁ ସୂଚନା ଦେଇଥିଲେ। କିଛି ସମୟ ଭିତରେ ପୁରୀଘାଟ ଓ ଲାଲ୍‌ବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ଲୁଟ୍‌ ବେଳେ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ଅକାମୀ ଥିଲା

ଲୁଟ୍‌ ବେଳେ ଫାଇନାନ୍ସ ସଂସ୍ଥାର ସମସ୍ତ ସୁରକ୍ଷା ବ୍ୟବସ୍ଥା ଅକାମୀ ଥିଲା। ସିସିଟିଭି, ଆଲାର୍ମ, ଡିଜିଟାଲ ଲକର୍‌ କୌଣସି ଗୋଟିଏ ମଧ୍ୟ କାମ କରୁ ନଥିଲା। ପ୍ରାୟ ୧୦ ମାସରୁ ଊର୍ଦ୍ଧ୍ଵ ସମୟରୁ ସଂସ୍ଥାର ଡିଜିଟାଲ ଲକର୍‌ ଖରାପ ହୋଇ ପଡ଼ିଥିଲା। ଏପରିକି ଘଟଣା ଦିନ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଛୁଟିରେ ଥିଲେ। ସିସିଟିଭି କ୍ୟାମେରା ଖରାପ ଥିବାରୁ ସଂସ୍ଥାର ମୁମ୍ଵାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଲୁଟ୍‌ ବେଳର ଦୃଶ୍ୟ ରେକର୍ଡ କରାଯାଇ ପାରିଲା ନାହିଁ।୬ ଦିନରେ ହୋଇଥିଲା ପର୍ଦ୍ଦାଫାସ

ଆଇଆଇଏଫଏଲ ଫାଇନାନ୍ସ କମ୍ପାନି ଲୁଟ୍ ଘଟଣାର ମାତ୍ର ୬ ଦିନ ମଧ୍ୟରେ ହିଁ କମିସନରେଟ ପୋଲିସ ଘଟଣାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ମୋଟ୍ ୪ଜଣଙ୍କୁ ପ୍ରଥମେ ପୋଲିସ ଗିରଫ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ଥିଲେ କିଶନନଗର ଥାନା ବିଶ୍ଵନାଥପୁର ଅଞ୍ଚଳର ପ୍ରକାଶ ସାହୁ, ପ୍ରଦୀପ୍ତ ବେହେରା, ରାଜକିଶୋର ସାହୁ ଏବଂ ବହୁଗ୍ରାମ ଅଞ୍ଚଳର ସନ୍ତୋଷ ବେହେରା। ପ୍ରାଥମିକ ତଦନ୍ତରୁ ସେମାନଙ୍କଠାରୁ ୨ କେଜି ସୁନା ଏବଂ ୨ଟି ବାଇକ ଜବତ କରିଥିଲା ପୋଲିସ। ଏହାପରେ ସେମାନଙ୍କୁ ରିମାଣ୍ଡକୁ ନେଇ ମାଷ୍ଟରମାଇଣ୍ଡକୁ ଖୋଜିଥିଲା ପୋଲିସ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ୍ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ କିଲୋରୁ ଊର୍ଦ୍ଧ୍ଵ ସୁନା ଏବଂ ୬ ଲକ୍ଷ ଟଙ୍କା ଜବତ ହୋଇସାରିଛି। ମାମଲାର ତଦନ୍ତ ଏବେ ବି ଜାରି ରହିଛି।ଘର ଢିଙ୍କି ହିଁ ହୋଇଥିଲା କୁମ୍ଭୀର

ଫାଇନାନ୍ସ କମ୍ପାନି ଲୁଟ୍‌ ଘଟଣାର ମୁଖ୍ୟ ସୂତ୍ରଧର ଥିଲେ ସେହି କମ୍ପାନିର ଜଣେ କର୍ମଚାରୀ ଲାଲା ଅମ୍ରିତ ରାୟ। ଲାଲାର ଇସାରାରେ ତାର ୫ଜଣ ସାଙ୍ଗ ମିଶି ଏହି ଘଟଣା ଘଟାଇଥିବା ପୋଲିସ କମିସନର ସୂଚନା ଦେଇଥିଲେ। କମିସନରଙ୍କ କହିବା ଅନୁସାରେ କିଶନନଗର ଥାନା ବିଶ୍ଵନାଥପୁର ଅଞ୍ଚଳରେ ଲାଲା ଅମ୍ଵିତର ଘର। ଅମ୍ରିତ ଏହି କମ୍ପାନିରେ ୫ବର୍ଷ ହେବ କାମ କରୁଥିଲା। ତା ନାଁରେ ପୂର୍ବରୁ ଅନେକ ହେରଫେର କରିବାର ଅଭିଯୋଗ ରହିଛି। କିନ୍ତୁ ଯେକୌଣସି ମତେ ପୂର୍ବରୁ ଥିବା ଅଡିଟରମାନଙ୍କଠାରୁ ଅମ୍ରିତ ବଞ୍ଚିଯାଏ। କିନ୍ତୁ ଘଟଣା ପୂର୍ବରୁ ନୂଆକରି ସଂସ୍ଥାରେ ଯୋଗଦେଇଥିବା ଅଡିଟରଙ୍କ ପାଖରେ ଅମ୍ରିତ ଧରାପଡ଼ିଯିବାର ସମ୍ଭାବନା ଥିବାରୁ ସେ ଏହି କାଣ୍ଡ ଘଟାଇଥିଲା।ଲାଲା ଅମ୍ରିତ ପରେ ସଂସ୍ଥାର ଆଉଜଣେ ମହିଳା କର୍ମଚାରୀଙ୍କ ଏହି ଲୁଟ୍‌ ଘଟଣାରେ ସଂପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ମହିଳାଜଣକ ଥିଲେ ଭଗତପୁର ଅଞ୍ଚଳର ନିଳିମା ଲେଙ୍କା। ଡକାୟତିର ମାଷ୍ଟର୍‌ମାଇଣ୍ଡ୍ ଲାଲା ଅମ୍ରିତ ସହ ମିଶି ନିଳିମା ଏଭଳି କାରନାମାକୁ ରୂପ ଦେଇଥିବା ଡିସିପି ପ୍ରତୀକ ସିଂ କହିଥିଲେ। ଦୁଇ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି ସେମାନଙ୍କଠାରୁ ଅନେକ ତଥ୍ୟ ହାସଲ କରିଥିଲାସଂସ୍ଥାରୁ ବିଭିନ୍ନ ସମୟରେ ଜାଲିଆତି କରିବାରେ ଲାଲା ଅମ୍ରିତକୁ ମହିଳା କର୍ମଚାରୀ ନିଳିମା ସହଯୋଗ କରୁଥିଲେ। ବ୍ରାଞ୍ଚ୍‌ର ଲକର ଚାବି ସମ୍ପୃକ୍ତ ଦୁଇ କର୍ମଚାରୀମାନଙ୍କ ପାଖରେ ଥିବାରୁ ସେମାନେ ମନଇଚ୍ଛା ବିଭିନ୍ନ ସମୟରେ ଲକରରୁ ସୁନା ନେଉଥିଲେ। ଅଭିଯୁକ୍ତ ଲାଲା ମଣପୁରମ ସୁନା ଋଣ ସଂସ୍ଥାରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲିଥିଲା। ବିଭିନ୍ନ ସମୟରେ ଆଇଆଇଏଫ୍‌ଏଲ୍ ଲକରରୁ ସୁନା ନେଇ ସେହି ବ୍ୟକ୍ତିମାନଙ୍କ ନାମରେ କୋଟି କୋଟି ଟଙ୍କା ଉଠାଉଥିଲା ଲାଲା।ପୋଲିସ କରାଇଥିଲା ଲୁଟ୍‌ର ଡେମୋ

ଆଇଆଇଏଫଏଲ ଲୁଟ୍ ଘଟଣାରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ରିମାଣ୍ଡରେ ନେଇ ପୋଲିସ ଲୁଟ୍‌ର ଡେମୋ କରାଇଥିଲା। ପ୍ରଥମେ ଅଭିଯୁକ୍ତଙ୍କୁ ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍ ସଂସ୍ଥା ପାଖକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ନିଜର ବାଇକ୍ କେଉଁଠି ରଖିଥିଲେ ତାହା ଦେଖାଇଥିଲେ। ଏହା ପରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ଶାଖା ଭିତରେ ପ୍ରବେଶ କରିଥିଲେ। ଅନ୍ୟ କର୍ମଚାରୀ କେଉଁଠି ଥିଲେ ଓ ସେ କେଉଁଠି ଥିଲେ ତାହା କହିଥିଲେ। ପରେ ଡକାୟତ ବେଶରେ ଯାଇଥିବା ଅନ୍ୟ ୪ ଅଭିଯୁକ୍ତ ଭିତରକୁ ପଶିଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଧରି ସେମାନେ କିପରି ଭୟଭୀତ କଲେ ଓ ପରେ ଅମ୍ରିତ ସାଗର ଏବଂ ନିଳିମା କିପରି ଲକର ଚାବି ଖୋଲିଥିଲେ ତାହାକୁ ଡେମୋ କରି ଦେଖାଇଲେ।cuttack loot 1ଲୁଟ୍ ପର୍ଦ୍ଦାଫାସ୍ କରିଥିଲା ସ୍ଵତନ୍ତ୍ର ଟିମ୍

ଏହି ଘଟଣାକୁ ସମାଧାନ କରିବାରେ ସମିସନରେଟ ପୋଲିସର ଅନେକ ଦକ୍ଷ କର୍ମଚାରୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଆଡିସନାଲ ଡିସିପି ପ୍ରମୋଦ ରଥ, ଏସିପି ସୁବନାରାୟଣ ମୁଦୁଲି, ଏସିପି ଅମରେନ୍ଦ୍ର ପଣ୍ଡା, ଇନ୍‌ପ୍ସେକ୍ଟର ଅଜୟ ଦାସ, ଇନ୍‌ପ୍ସେକ୍ଟର ତାପସ ପ୍ରଧାନ, ରଶ୍ମିରଞ୍ଜନ ମହାପାତ୍ର, ରବୀନ୍ଦ୍ରନାଥ ମେହେର, ବିରଞ୍ଚି ପତି, ରଶ୍ମିରଞ୍ଜନ ସାହୁ, କନେଷ୍ଟବଳ ଫିରୋଜ ରାଉତ, କନେଷ୍ଟବଳ ସାଜନ ଜେନା, ଏଏସ୍‌ଆଇ ଅବିନାଶ ରାଉତ ଏବଂ ଅନ୍ୟ କର୍ମଚାରୀ। ଏହି ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ କର୍ମନିଷ୍ଠ ତଦନ୍ତ ପରେ ଡକାୟତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲେ।

Comment