ଓଡ଼ିଶାଲାଇଭ୍ ବ୍ୟୁରୋ

  • ସହାରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ
  • ଭୁବନେଶ୍ଵର ଉପକଣ୍ଠର ୪ଟି ଗ୍ରାମର ବାସିନ୍ଦାଙ୍କୁ ଜମିପଟ୍ଟା ଆବଣ୍ଟନ
  • ସହରାଞ୍ଚଳ ବିକାଶରେ ଓଡ଼ିଶା ହେବ ରୋଲ ମଡେଲ – ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗୁରୁବାର ଭୁବନେଶ୍ଵର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପଟ୍ଟା ଆବଣ୍ଟନ କରିଛନ୍ତି।

“ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା। ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କରିଛନ୍ତି ଯେ, ଭୁବନେଶ୍ଵର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର। ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି। ଏ ଦୃଷ୍ଟିରୁ ଏହାର ସାମଗ୍ରିକ ବିକାଶ ପାଇଁ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ସହରଗୁଡିକର ଯୋଜନାବଦ୍ଧ ବିକାଶ ପାଇଁ ଏହା ସଂପୂର୍ଣ୍ଣ ଭାବେ ଏକ ସ୍ଵଚ୍ଛ ଓ ବାସ୍ତବବାଦୀ ଉପାୟ ଅଟେ।ଟାଉନ ପ୍ଲାନିଂ କାର୍ଯ୍ୟକ୍ରମରେ, ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ। ଭିତ୍ତିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁଁ ଜମି ମାଲିକମାନେ ଉପକୃତ ହୁଅନ୍ତି। ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ଵ ଗ୍ରାମରେ ୪୫ଟି ଟାଉନ ପ୍ଲାନିଂ କରାଯାଇଛି। ପ୍ରାଥମିକ ଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି। ଏଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି।

“ସହର ଗୁଡିକ ହେଉଛି ଅର୍ଥନୈତିକ ବିକାଶର ଇଞ୍ଜିନ। ଏହାର ନିରନ୍ତର, ସାମଗ୍ରିକ ବିକାଶ ପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଆର୍ଥିକ ସୁରକ୍ଷାବଳୟ ସୃଷ୍ଟି ସହିତ ବିକାଶ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯିବା ଉଚିତ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ଵରରେ ଏଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସହରର ଭିତ୍ତିଭୂମି ବିକାଶ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ଏହି କାର୍ଯ୍ୟକ୍ରମ ଅବସରରେ ଯୋଜନା ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍, ରାଜସ୍ଵ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ କିଶନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Comment