ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପୁଣି ଖୋଲିବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୯ ତାରିଖରୁ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶୁକ୍ରବାର ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ଆସନ୍ତା ୨୯ରୁ ୩୧ ତାରିଖ ଯାଏଁ ବିରଜା ମନ୍ଦିର ଖୋଲିବ। ଏହାପରେ ଜାନୁଆରି ୧, ୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ। ନୂଆବର୍ଷରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ପୁଣି ୪ ତାରିଖରୁ ମନ୍ଦିରରେ ଦର୍ଶନ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିପାରିବେ। ଏହି ସମୟରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ମନ୍ଦିରରେ ପିଣ୍ଡଦାନ ପାଇଁ ମଧ୍ୟ କଟକଣା ଜାରି ହୋଇଛି। ପିଣ୍ଡଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ମନ୍ଦିର ପ୍ରଶାସନଠାରୁ ଅନୁମତି ଆଣିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ମନ୍ଦିରରେ ବିବାହ ହୋଇପାରିବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।

Comment