ଓଡ଼ିଶାଲାଇଭ୍ ବ୍ୟୁରୋ

ବେଶ୍ କିଛିଦିନ ହେବ କରୋନା ଟିକାକରଣ ପ୍ରସଙ୍ଗରେ ଏକ ନୂଆ ଶବ୍ଦ ‘ଡ୍ରାଏ ରନ୍’ ବିଷୟରେ ଶୁଣିବାକୁ ମିଳୁଛି। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନିକଟରେ କରୋନା ଟିକାକରଣ ପାଇଁ ଦେଶରେ ଡ୍ରାଏ ରନ୍ ହେବ ବୋଲି ଘୋଷଣା କରିଥିଲେ। ତେବେ ଏହି ଡ୍ରାଏ ରନ୍‌ ଶବ୍ଦଟିର ପ୍ରକୃତ ଅର୍ଥ ଜାଣିବା ପାଇଁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ।

ଡ୍ରାଏ ରନ୍ କ’ଣ?

କୌଣସି ଏକ କାର୍ଯ୍ୟ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଉକ୍ତ କାର୍ଯ୍ୟ ପାଇଁ ଏକ ଅଭ୍ୟାସ କରିବାକୁ ଡ୍ରାଏ ରନ୍ କୁହାଯାଏ। ଯେପରି ଯୁଦ୍ଧ ପୂର୍ବରୁ ସେନା ଏକ ଡ୍ରିଲ୍ କରିଥାଏ। ଫଳରେ ସେନା ଯୁଦ୍ଧ ପାଇଁ କେତେ ପ୍ରସ୍ତୁତ ଅଛି, ଯୁଦ୍ଧ ହେଲେ କେତେ କ୍ଷତି ହୋଇପାରେ କିମ୍ଵା ଶତ୍ରୁକୁ ହରାଇବା ପାଇଁ ଆଉ କେତେ ପ୍ରସ୍ତୁତ ହେବାକୁ ପଡ଼ିବ ତାହା ଜଣାପଡ଼େ। ଏହି ପ୍ରକ୍ରିୟା କରାଯିବା ଦ୍ଵାରା କରୋନା ଟିକାକରଣ ପୂର୍ବରୁ ଟିକା ପାଇଁ ଆମ ଦେଶ କେତେ ପ୍ରସ୍ତୁତ ଅଛି ଏବଂ କିପରି ସଫଳତାର ସହ ଟିକାକରଣକୁ କରାଯିବ ସେବାବଦରେ ସରକାରଙ୍କୁ ଏକ ତଥ୍ୟ ମିଳିଯିବ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଦେଶର ୪ଟି ରାଜ୍ୟ ଆନ୍ଧପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ଡିସେମ୍ଵର ୨୮ ଏବଂ ୨୯ ତାରିଖ ଦୁଇଦିନ ପାଇଁ ଏହି ଡ୍ରାଏ ରନ୍ ପ୍ରକ୍ରିୟା କରାଯାଉଛି।ଡ୍ରାଏ ରନ୍‌ର ପ୍ରକ୍ରିୟା

ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ମିଳିଥିବା ସୂଚନା ମୁତାବକ, ଡ୍ରାଏ ରନ୍‌ ହେଉଥିବା ୪ଟି ରାଜ୍ୟର ୧୦୦ ଜଣ ଲୋକଙ୍କୁ ଦୁଇଟି ଅଲଗା ଅଲଗା ଜିଲ୍ଲାରେ ଏକ ଡମି ଟିକା ଦିଆଯିବ। ୪ଟି ଯାକ ରାଜ୍ୟରେ ୧୦୦ ଜଣ ଲେଖାଏଁ ଲୋକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କେଉଁଠି ଡମି ଟିକା ଦିଆଯିବ ଏବଂ କିଏ ଏହି ଟିକାକରଣ କରିବେ ତାଙ୍କ ନାମ ଆଦିକୁ ଡମି ଟିକା ପାଇବାକୁ ଥିବା ଲୋକମାନଙ୍କୁ ଆଗୁଆ ଏସଏମଏସ ଜରିଆରେ ଏ ବାବଦରେ ସୂଚନା ପଠାଯିବ।

ଥରେ ଡମି ଟିକା ଦିଆଯିବା ପରେ ସେମାନଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ଅବଜରବେସନରେ ରଖାଯିବ। ଏହାପରେ ସେମାନଙ୍କଠାରେ କି ପ୍ରତିକ୍ରିୟା ଦେଖାଗଲା ସେ ବାଦବରେ ରାଜ୍ୟ ଟାସ୍କ ଫୋର୍ସ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ କରିବେ। ଏହି ଡ୍ରାଏ ରନ୍‌ ରିପୋର୍ଟକୁ ଆଧାର କରି ସରକାର ଆଗକୁ କରୋନା ଟିକା ଦେବାର ବ୍ୟବସ୍ଥା କରିବେ।

Comment