ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ନାହିଁ। ତେବେ ଶେଷ ପରୀକ୍ଷଣ ପୂର୍ବରୁ ଏହାକୁ ବ୍ୟବହାର ପାଇଁ ଅନୁମୋଦନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର। ଏହାକୁ ଏକ ଅପରିପକ୍ଵ ନିଷ୍ପତ୍ତି କହି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟ କରନ୍ତୁ ବୋଲି ଥରୁର ଦାବି କରିଛନ୍ତି।

ରବିବାର କୋଭିଡ ଟିକା କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଶଶି ଥରୁର ଏକ ଟୁଇଟ କରି କହିଛନ୍ତି ଯେ, ତୁତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କୋଭାକ୍ସିନ ଟିକାକୁ ବ୍ୟବହାର କରାଗଲେ ଏହା ବିପଦଜନକ ହୋଇପାରେ। ତେଣୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ କୋଭାକ୍ସିନ ଟିକାର ବ୍ୟବହାର କେତେ ସୁରକ୍ଷିତ ସେ ନେଇ ସ୍ପଷ୍ଟ କରନ୍ତୁ। ଯେ ପର୍ଯ୍ୟନ୍ତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଶେଷ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହାର ବ୍ୟବହାରକୁ ସ୍ଥଗିତ ରଖାଯାଉ। ଏବେ କେବଳ କୋଭିସିଲ୍ଡ ଟିକାକୁ ବ୍ୟବହାର କରାଯାଉ।

ତେବେ ରବିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ)ର ନିର୍ଦ୍ଦେଶକ ଭି ଜି ସୋମାନୀ କୋଭାକ୍ସିନର ମାନ ନେଇ ସ୍ପଷ୍ଟ କରିସାରିଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ପରୀକ୍ଷା ପରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।ରବିବାର କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟକୁ ଯାଞ୍ଚ୍ କରିବା ପରେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) ଦୁଇ ଟିକାକୁ ଅନୁମତି ଦେଇଛନ୍ତି। କୋଭିସିଲ୍ଡ ଅକ୍ସୋଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଔଷଧ କମ୍ପାନି ଆଷ୍ଟ୍ରାଜେନିକାର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ବେଳେ ଭାରତୀୟ ଟିକା ନିର୍ମାତା କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଏହାର ନିର୍ମାଣ ଓ ପରୀକ୍ଷଣରେ ସାହାଯ୍ୟ କରୁଛି। ଅନ୍ୟପଟେ କୋଭାକ୍ସିନ ହେଉଛି ସମ୍ପୂର୍ଣ୍ଣ ଦେଶୀ ବା ଆମ ଭାରତୀୟ କମ୍ପାନି ଦ୍ଵାରା ପ୍ରସ୍ତୁତ ଟିକା। ଆଇସିଏମ୍ଆର, ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

କୋଭିସିଲ୍ଡ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଇ ଗତି କରିଛି। ପ୍ରଥମ ପର୍ଯ୍ୟାୟରେ ଏଥିରେ ୨ଲକ୍ଷ ୨୩ ହଜାର ୭୪୫ଜଣଙ୍କୁ ଟିକିକାକରଣ କରାଯାଇଥିଲା। ଏଥିରୁ ୭୦.୪୨ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ବୋଲି ଜଣାପଡ଼ିଥିଲା। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯାଇଥିଲା। ଏହାର ରିପୋର୍ଟ ଅନୁଧ୍ୟାନ କରିବା ପରେ ଡିଜିସିଆଇ ଏହାକୁ ଅନୁମତି ଦେଇଥିଲେ।

ସେହିପରି ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇସାରିଛି। ବର୍ତ୍ତମାନର ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୨ ହଜାର ୫୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକାର ପରୀକ୍ଷଣ ହୋଇଛି।

Comment