ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମୁକାବିଲା ପାଇଁ ଦେଶରେ ଟିକାକରଣ ଚାଲୁ ରହିଛି। କୋଭିଡ ଭ୍ୟାକ୍ସିନ ଦେବାର କିଛି ମାସ ପରେ ମଣିଷ ଦେହର ଇମ୍ୟୁନିଟି ପାଓ୍ଵାର କମିକାବୁ ଲାଗିଥାଏ। ତେଣୁ କୋଭିଡକୁ ମାତ ଦେବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି। କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ମୁକାବିଲା କରିବା ପାଇଁ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜର ଆବଶ୍ୟକତା ରହିଛି। କରୋନା ଏବଂ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଯୋଗୁ ସ୍ଵାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା ଏବଂ ବୟସ୍କଙ୍କ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବୁଷ୍ଟର ଡୋଜକୁ ବର୍ତ୍ତମାନ ସମୟରେ ପ୍ରଥମିକତା ଦିଆଯାଇଥିବା ଦିଲ୍ଲୀ ଏମସ୍ ଡାକ୍ତର ସଂଜୟ ରାୟ କହିଛନ୍ତି।

ସ୍ଵାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ଯିଏ ଯେଉଁ ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିବେ ସେମାନଙ୍କୁ ସେହି ଭ୍ୟାକ୍ସିନର ବୁଷ୍ଟର ଡୋଜ ଦିଆଯିବ। ଅର୍ଥାତ କୋଭାକ୍ସିନର ଦୁଇଟି ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭାକ୍ସିନର ବୁଷ୍ଟର ଡୋଜ ଏବଂ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କୁ କୋଭିସିଲ୍ଡର ବୁଷ୍ଟର ଡୋଜ ଦିଆଯିବ। କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଭ୍ୟାକ୍ସିନର ପ୍ରଥମ ଡୋଜକୁ ପ୍ରାଇମେରି କୁହାଯାଇଥାଏ। ଅର୍ଥାତ ପ୍ରଥମ ଡୋଜ ଭାଇରସକୁ ଚିହ୍ନଟ କରି ତା’ ବିରୋଧରେ ଆଣ୍ଟିବଡି ତିଆରି କରିଥାଏ। ଏହି ଆଣ୍ଟିବଡିକୁ ଜାରି ରଖିବାର ପାଇଁ ଦ୍ଵିତୀୟ ଡୋଜର ଆବଶ୍ୟକତା ପଡ଼ିଥାଏ।

କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଭ୍ୟାକ୍ସିନର ଇମ୍ୟୁନିଟି ପାଓ୍ଵାର ୬ରୁ ୮ ମାସ ପରେ କମିବାକୁ ଲାଗୁଛି। ତେଣୁ ଇମ୍ୟୁନିଟିକୁ ବୁଷ୍ଟ କରିବା ପାଇଁ ବୁଷ୍ଟର ଡୋଜ ଦିଆଯିବାକୁ ସରକାର ସ୍ଥିର କରିଛନ୍ତି। କୋଭିଡ ପାଇଁ ଦିଆଯାଉଥିବା ଭ୍ୟାକ୍ସିନ କେତେ ପ୍ରଭାବିତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ପରେ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ସଂଜୟ ରାୟ।

ଦେଶରେ ଆଜିଠାରୁ ‘ପ୍ରିକସନ’ ଡୋଜର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ସ୍ଵାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବହୁବିଧ ରୋଗରେ ପୀଡ଼ିତଙ୍କୁ ଏହି ଡୋଜ ଦିଆଯାଉଛି। ଦ୍ଵିତୀୟ ଡୋଜ କୋଭିଡ ଟିକାର ୯ ମାସ ସମୟ ପୂରଣ ହେବା ପରେ ଏହି ଟିକା ଦିଆଯାଇପାରିବ। ଦେଶର ପ୍ରାୟ ୧ କୋଟି ସ୍ଵାସ୍ଥ୍ୟକର୍ମୀ, ୨ କୋଟି ସମ୍ମୁଖ ଯୋଦ୍ଧା ଏବଂ ୧୩ କୋଟି ବୟସ୍କଙ୍କୁ ପ୍ରିକସନ ଟିକା ଦିଆଯିବ। ଏଥିପାଇଁ ମୋଟ ୧୬ କୋଟି ବୁଷ୍ଟର ଡୋଜର ଆବଶ୍ୟକତା ରହିଛି।

Comment