ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଟିକାର ଘୋର ଅଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ବିଶେଷ କରି କୋଭିସିଲ୍ଡ ଟିକାର ଅଭାବ ଦେଖାଦେଇଛି। ତିନି  ଦିନ ତଳେ  ମାତ୍ର ୧ ଲକ୍ଷ ୧୩ ହଜାର ୮୩୦ କୋଭିସିଲ୍ଡ ଟିକା ରାଜ୍ୟରେ ମହଜୁଦ ଥିଲା। ଏହା ସମୁଦ୍ରକୁ ଶଙ୍ଖେ ସଦୃଶ। ଯଦି ଏଭଳି ଚାଲେ ତେବେ ରାଜ୍ୟରେ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି।

ଗୋଟିଏ ପଟେ ଓଡ଼ିଶା ସରକାର ଚାହୁଁଛନ୍ତି ଯଥା ଶୀଘ୍ର ଲୋକଙ୍କୁ ଟିକା ଦେଇ କରୋନା ମହାମାରୀକୁ ଦୂରରେ ରଖିବେ। କିନ୍ତୁ ଯଥେଷ୍ଟ ଟିକା ମିଳୁନାହିଁ। ଜୁନ ୨୧ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଟିକା ନୀତି ଘୋଷଣା କରାଯାଇଛି ସେହି ନୀତି ଅନୁଯାୟୀ ଲୋକଙ୍କ ପାଇଁ ଟିକା ଯୋଗାଇଦେବା କେନ୍ଦ୍ରର ଦାୟିତ୍ୱ। ସେହି ଟିକାକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ।

ତେବେ ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ କେନ୍ଦ୍ରରୁ ଟିକା ଆସୁନାହିଁ ଏହା ସ୍ପଷ୍ଟ। ଏହାର ପ୍ରମାଣ ଶନିବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକୁମାର ଦାସଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ପାଖକୁ ଲେଖାଯାଇଥିବା ଚିଠି। ଜୁନ ମାସ ପାଇଁ ଓଡ଼ିଶାକୁ ଆଉ ଅଧିକ ୬ଲକ୍ଷ ଡୋଜ ଟିକା ଯୋଗାଇଦେବାକୁ ନବ ଦାସ ତାଙ୍କ ଚିଠିରେ ଅନୁରୋଧ କରିଥିଲେ।ଉକ୍ତ ଚିଠିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏକଥା ମଧ୍ୟ ଲେଖିଥିଲେ ଯେ ଯଥେଷ୍ଟ ଆଗରୁ ଟିକା ପ୍ରେରଣକୁ ସୁବ୍ୟବସ୍ଥିତ କରାଯାଉ ଯାହାଫଳରେ କି ବିଭିନ୍ନ ଟିକା କେନ୍ଦ୍ରରେ ଟିକା ଶେଷ ହେବା ପରିସ୍ଥିତି ଯେଭଳି ସୃଷ୍ଟି ନହୁଏ। ପ୍ରତି ମାସରେ କେତେ ଟିକା ମିଳିବ ତାହା ନିର୍ଦ୍ଧାରଣ କରାଯାଉ ଓ ସେହି ଅନୁଯାୟୀ ଟିକା ପଠାଯାଉ ବୋଲି ମନ୍ତ୍ରୀ ନବ ଦାସ ସେହି ଚିଠିରେ ଜୋର ଦେଇଥିଲେ।

ବାସ୍ତବରେ ଟିକା ଠିକ ସମୟରେ ନଆସିବା ଯୋଗୁଁ ଲୋକେ ନାନା ପ୍ରକାର ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଦୁଇ ଦିନ ତଳେ ଆଠଗଡ଼ରେ ଏହିଭଳି ଏକ ଅବସ୍ଥା ସୃଷ୍ଟି ହୋଇଥିଲା। ଟିକା ନେବାକୁ ରାତି ଅଧରୁ ଧାଡି ଲଗାଇଥିଲେ ଲୋକ, ହେଲେ ସକାଳୁ କୁହାଗଲା ଟିକା ନାହିଁ।କରୋନା ମୁକାବିଲା ପାଇଁ ଟିକା ନେବା ଜରୁରୀ ହୋଇଥିବାବେଳେ ଟିକା କେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥାର ଚିତ୍ର  ପ୍ରଥମଥର ପାଇଁ ନୁହେଁ ବାରମ୍ବାର ଘଟିବାରେ ଲାଗିଛି। ଆଠଗଡ ଉପଖଣ୍ଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାତି ଅନିଦ୍ରା ହୋଇ ଧାଡି ବାନ୍ଧିଥିବା ଲୋକଙ୍କୁ ଟିକା ନଥିବା କହି ହସ୍ପିଟାଲ କର୍ତୃପକ୍ଷ ଫେରାଇ ଦେବାପରେ ଉତ୍ତେଜନା ପ୍ରକାଶ ପାଇଥିଲା ଯାହାକି ସ୍ୱାଭାବିକ।

ଲୋକଙ୍କ ଅଭିଯେଗ, ଟିକା ନଥିବା ବାବଦରେ ଦିନକ ଆଗରୁ କାହିଁକି ସୂଚନା ଦିଆଗଲା ନାହିଁ। ଏଭଳି ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନସାଧାରଣ। ଟିକା ଅଭାବରୁ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଟିକାକରଣକୁ ବନ୍ଦ ରଖାଯାଇଛି। ଟିକାର ଏପରି ସଙ୍କଟ ଯୋଗୁଁ ଲୋକଙ୍କ ଆସ୍ଥା ମଧ୍ୟ ତୁଟିବା ସ୍ୱାଭାବିକ।ଜୁନ ୨୧ରେ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ ଆରମ୍ଭ କରାଯାଇଥିଲା। ଦୈନିକ ୩ଲକ୍ଷ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଟାର୍ଗେଟ ପଛରେ ପଡି ଯାଇଛି ଓଡ଼ିଶା। ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଉନଥିବାବେଳେ  ଅନ୍ୟପଟେ ଟିକାକରଣ ବି ଠିକ ସମୟରେ ହୋଇପାରୁନାହିଁ। ଆଶା କରାଯାଉଛି କେନ୍ଦ୍ର ସରକାର ଏଦିଗରେ ଦୃଷ୍ଟି ଦେବେ ଓ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ।

Comment